ଖବର ଓଡିଶା : 04/03/2023:
ମହିଳା କ୍ରିକେଟ ଦଳ ପାଇଁ ଆଜି ଏକ ଖୁସି ଓ ଐତିହାସିକ ଦିନ | ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ମହିଳା ପ୍ରିମିୟର ଲିଗ୍ (WPL) । ୨୩ ଦିନ ଧରି ହେବାକୁ ଥିବା ଏହି ପ୍ରତିଯୋଗିତାରେ ୫ଟି ଦଳ ଭାଗ ନେଉଛନ୍ତି । ଆଜି WPL ର ଉଦଘାଟନୀ ମ୍ୟାଚରେ ଗୁଜୁରାଟ ଜାଏଣ୍ଟସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ ଟକ୍କର । ଗୁଜୁରାଟ ଜାଏଣ୍ଟସର ନେତୃତ୍ୱ ବେଥ ମୁନି ନେଉଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେଉଛନ୍ତି ଭାରତୀୟ ଦଳର ଅଧିନାୟକ ହରମନପ୍ରୀତ କୌର । ଆଜି ସନ୍ଧ୍ୟା ୭.୩୦ରେ ମୁମ୍ବାଇର ଡି ଓ୍ୱାଇ ପାଟିଲ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଆଜି ମ୍ୟାଚ ପୂର୍ବରୁ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯାଇ ଏହି ମେଗା ଟୁର୍ଣ୍ଣାମେଣ୍ଟର ଉଦଘାଟନ କରାଯିବ । ଆଜି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ସାଜିବେ ଅଭିନେତ୍ରୀ କ୍ରିତି ସାନନ୍, କିଆରା ଆଡଭାନୀ ଓ ଏପି ଧିଲୋନ୍ ।
ଇଂଲଣ୍ଡର ଦି ହଣ୍ଡ୍ରେଡ୍ ମହିଳା ପ୍ରତିଯୋଗିତା ଓ ଅଷ୍ଟ୍ରେଲିଆର ମହିଳା ବିଗ୍ ବାସ୍ ଲିଗ୍ ପରେ ଭାରତରେ ଏହି WPL ଆୟୋଜନ କରାଯାଉଛି । ୨୩ ଦିନ ଧରି ୫ଟି ଦଳକୁ ନେଇ ଚାଲିବ ଏହି ମେଗା ଟୁର୍ଣ୍ଣାମେଣ୍ଟ । ଏହି ଟୁର୍ଣ୍ଣାମେଣ୍ଟରେ ପ୍ରତ୍ୟେକ ଦଳ ପରସ୍ପର ମଧ୍ୟରେ ୨ଟି ଲେଖାଏଁ ଲିଗ୍ ମ୍ୟାଚ୍ ଖେଳିବେ । ଲିଗ୍ ପର୍ଯ୍ୟାୟ ପରେ ପଏଣ୍ଟ ଟେବୁଲରେ ଶୀର୍ଷରେ ଥିବା ଦଳ ସିଧାସଳଖ ଫାଇନାଲରେ ନିଜ ସ୍ଥାନ ଦୃଢ଼ କରିବ । ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଥିବା ଦଳ ମଧ୍ୟରେ ଏଲିମିନେଟର ଖେଳାଯିବ । ଏଲିମିନେଟର ଦଳର ବିଜେତା ଫାଇନାଲକୁ ପ୍ରବେଶ କରିବ । ଆଇପିଏଲ୍ ଭଳି ଡବ୍ଲ୍ୟୁପିଏଲ୍ରେ ମଧ୍ୟ ୫ଟି ଯାକ ଫ୍ରାଞ୍ଚାଇଜ ନିଲାମୀ ମାଧ୍ୟମରେ ସେମାନଙ୍କ ମନପସନ୍ଦର ଖେଳାଳି କ୍ରୟ କରିଥିଲେ।