ଜୋଫ୍ରା ଆର୍ଚରଙ୍କୁ ଇଂଲଣ୍ଡ ଦେଲା ବିଶ୍ୱକପ ଟିକେଟ୍, ଘୋଷଣା କଲା ଫାଇନାଲ୍ ଦଳ
Khabar Odisha:Sports-cricket-odisha-jofra-archer-liam-dawson-picked-for-world-cup-from-England
ଇଂଲଣ୍ଡ, ମେ ୨୧(ଖବର ଓଡିଶା):

ବିଶ୍ୱକପ ୨୦୧୯ ଆରମ୍ଭ ହେବାର ଠିକ୍ ପୂର୍ବରୁ ଇଂଲଣ୍ଡ କ୍ରିକେଟ୍ ଦଳ ନିଜ ଦଳରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି । ଇଂଲଣ୍ଡ କ୍ରିକେଟ ଦଳ ପକ୍ଷରୁ ୧୫ ଜଣିଆ ଫାଇନାଲ୍ ବିଶ୍ୱକପ ଦଳ ଘୋଷଣା କରାଯାଇଛି । ଇଂଲଣ୍ଡ ପକ୍ଷରୁ ଯୁବ ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କୁ ଦଳରେ ସାମିଲ କରାଯାଇଛି । ଜୋଫ୍ରା ଆର୍ଚରଙ୍କୁ ଡେଭିଡ୍ ୱିଲିଙ୍କ ସ୍ଥାନରେ ଦଳରେ ସ୍ଥାନ ଦିଆଯାଇଛି ।

ଜୋଫ୍ରା ଆର୍ଚରଙ୍କ ବ୍ୟତୀତ ଲିଆମ୍ ଡାସନ୍ ଓ ଜେମ୍ସ ୱିନ୍ସଙ୍କୁ ମଧ୍ୟ ଦଳରେ ସାମିଲ କରିଛି ଇଂଲଣ୍ଡ । ଜୋ ଡେନଲୀଙ୍କ ସ୍ଥାନରେ ଲିଆମ୍ ଡାସନ୍ ସାମିଲ ହୋଇଥିବା ବେଳେ ଆଲେକ୍ସ ହେଲ୍ସଙ୍କ ସ୍ଥାନରେ ଜେମ୍ସ ୱିନ୍ସଙ୍କୁ ସାମିଲ କରାଯାଇଛି । ଜୋଫ୍ରା ଆର୍ଚର ନିକଟରେ ପାକିସ୍ତାନ ବିପକ୍ଷରେ ଖେଳିଥିବା ୨ଟି ଦିନିକିଆ ଓ ଆୟରଲ୍ୟାଣ୍ଡ ବିପକ୍ଷରେ ଖେଳିଥିବା ଗୋଟିଏ ଦିନିକିଆ ମ୍ୟାଚରେ ନିଜର ପ୍ରଦର୍ଶନରେ ଚୟନକର୍ତ୍ତାଙ୍କୁ ବେଶ୍ ପ୍ରଭାବିତ କରିଥିଲେ । ଏହି ସିରିଜରେ ସେ ୧୪୦ କିଲୋମିଟର ସ୍ପିଡ୍‌ରେ ବୋଲିଂ କରିବା ସହିତ ଦମ୍‌ଦାର ୟାର୍କର ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିଥିଲା । ଯାହା ଫଳରେ ଚୟନକର୍ତ୍ତା ତାଙ୍କୁ ବିଶ୍ୱକପ ଦଳରେ ସାମିଲ କରିଥିଲେ । 

ବାମହାତୀ ଲେଗ୍ ସ୍ପିନର ଲିଆମ୍ ଡାସନ୍ ଗତବର୍ଷ ଅକ୍ଟୋବରରେ ଶେଷଥର ପାଇଁ ଖେଳିଥିଲେ । ବୋଲିଂ ବ୍ୟତୀତ ସେ ବ୍ୟାଟିଂରେ ମଧ୍ୟ ପାରଙ୍ଗମ । ନିକଟରେ ଦିନିକିଆ କପରେ ଲିଆମ୍ ଡାସନ୍ ଦମ୍‌ଦାରଖେଳ ପ୍ରଦର୍ଶନ କରିଥିଲେ, ତେଣୁ ତାଙ୍କୁ ବିଶ୍ୱକପ ଦଳରେ ସାମିଲ କରାଯାଇଥିଲା । ସେ ଏହି ଟୁର୍ଣ୍ଣାମେଣ୍ଟରେ ୧୮ଟି ୱିକେଟ ହାସଲ କରିବା ସହିତ ୨୭୪ ରନ ମଧ୍ୟ କରିଥିଲେ । 

ତାଙ୍କ ବ୍ୟତୀତ ଆଲେକ୍ସ ହେଲ୍ସଙ୍କ ସ୍ଥାନରେ ଜେମ୍ସ ୱିନ୍ସଙ୍କୁ ଇଂଲଣ୍ଡ ବିଶୱକପ ଦଳରେ ସାମିଲ କରିଛି । ହେଲ୍ସ ଡ୍ରଗ୍ସ ଟେଷ୍ଟରେ ଫେଲ ହେବା ପରେ ତାଙ୍କୁ ଦଳରୁ ବାଦ୍ ଦିଆଯାଇଥିଲା । ସେହି କାରଣରୁ ଜେମ୍ସ ୱିନ୍ସଙ୍କୁ ଇଂଲଣ୍ଡ ବିଶୱକପ ଦଳରେ ସାମିଲ କରାଯାଇଛି । 

Subscribe

National International State Sports Entertainment