ଭାରତୀୟ ବିଶ୍ୱକପ ଦଳରେ ସାମିଲ ହେଲେ ପ୍ରିୟା ପୁନିଆ
Khabar Odisha:Sports-cricket-odisha-churu-rajasthan-girl-priya-punia-selected-in-indian-cricket-team-for-icc-womens-t20-world-cup
ନୂଆଦିଲ୍ଲୀ, ଜୁନ ୧୧(ଖବର ଓଡିଶା):

 ଇଂଲଣ୍ଡରେ ଆଇସିସି କ୍ରିକେଟ ବିଶ୍ୱକପର ୧୨ ତମ ସଂସ୍କରଣ ଚାଲିଛି ଏବଂ ଭାରତୀୟ ଦଳ ତାର ପ୍ରଥମ ଦୁଇଟି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ଉପରେ ଦମ୍‌ଦାର ବିଜୟ ହାସଲ କରିସାରିଛି । ସାରା ଦେଶର କ୍ରିକେଟପ୍ରେମୀ ଏହି ବିଜୟ ଅଭିଯାନରେ ବେଶ୍ ଖୁସି ଅଛନ୍ତି । ଏହି ଭିତରେ ରାଜସ୍ଥାନର ଚୁରୁ ଜିଲ୍ଲାରେ କ୍ରିକେଟ ସହିତ ଜଡିତ ଥିବା ଆଉ ଏକ ବଡ ଖୁସିଖବର ପହଞ୍ଚିଛି । ପୁରୁ ଜିଲ୍ଲାର ସାଦୁଲପୁର କ୍ଷେତ୍ରରେ ଜଣାଉ ଖାରୀର ଝିଅ ପ୍ରିୟା ପୁନିଆଙ୍କ ଚୟନ ଭାରତୀୟ ମହିଳା ଟି-୨୦ ବିଶ୍ୱକପ ଦଳରେ ହୋଇଯାଇଛି । ପ୍ରିୟାଙ୍କ ବାପା ସୁରେନ୍ଦ୍ର ପୁନିଆ ଜୟପୁରରେ ଭାରତୀୟ ସର୍ବେକ୍ଷଣ ବିଭାଗରେ ହେଡ୍ କ୍ଲର୍କ ଭାବରେ କାମ କରନ୍ତି । 

୨୨ ବର୍ଷର ପୁନିଆ ଓପନିଂ ବ୍ୟାଟି କରନ୍ତି । ନିକଟରେ ଖେଳାଯାଇଥିବା ମହିଳା କ୍ରିକେଟ ଚାମ୍ପିୟନସିପରେ ଗୁଜୁରାଟ ଓ ତାମିଲନାଡୁ ବିପକ୍ଷରେ ଶତକୀୟ ଇନିଂସ ଖେଳିବା ପହରେ ପ୍ରିୟାଙ୍କ ଚୟନ ହୋଇଥିଲା । ଏବେ ସେ ବିଶ୍ୱକପରେ ଚୌକା ଛକା ମାରିବାକୁ ମଧ୍ୟ ପ୍ରସ୍ତୁତ । ଚୁରୁର ଛୋଟ ଗାଁରେ ଜନ୍ମ ହୋଇଥିବା ପ୍ରିୟା ଏବେ ମହିଳା କ୍ରିକେଟ ଜଗତରେ ନିଜର ଖାସ୍ ପରିଚୟ ତିଆରି କରିଛନ୍ତି । 

ଭାରତୀୟ ପୁରୁଷ ଦଳର ଅଧିନାୟକ ବିରାଟ କୋହଲିଙ୍କ କୋଚ୍ ରାଜକୁମାର ଶର୍ମା ପ୍ରିୟାଙ୍କର ମଧ୍ୟ କୋଚ ଏବଂ ସେ ବିଶ୍ୱାସ ରଖିଛନ୍ତି ଯେ ପ୍ରିୟା ତାଙ୍କ ପ୍ରତିଭାର ପରିଚୟ ପୂର୍ବରୁ ଦେଇସାରିଛନ୍ତି ଏବଂ ଦେଶ ପାଇଁ ତାଙ୍କର ଦମ୍‌ଦାର କ୍ରିକେଟର ପ୍ରଦର୍ଶନ ଏବେ ବାକି ଅଛି । ଗତ ବର୍ଷ ପ୍ରିୟାଙ୍କୁ ମହିଳା ଟି-୨୦ ଦଳରେ ସାମିଲ କରାଯାଇଥିଲା । ବିରାଟ କୋହଲିଙ୍କ କୋଚ ରାଜକୁମାର ଶର୍ମାଙ୍କ ଠାରୁ ପ୍ରିୟା ୨୦୦୮ ରୁ ୨୦୧୫ ପର୍ଯ୍ୟନ୍ତ ଟ୍ରେନିଂ ନେଇସାରିଛନ୍ତି । ବାଙ୍ଗାଲୁରୁରେ ସିନିୟର ମହିଳା ଦିନିକିଆ ଚାମ୍ପିୟନସିପରେ ଦିଲ୍ଲୀର ପ୍ରତିନିଧିତ୍ୱ କରିବା ସହିତ ୮ଟି ମ୍ୟାଚରୁ ୫୦ ହାରରେ ୪୦୭ ରନ କରିଥିଲେ । ନିକଟରେ ତାମିଲନାଡୁ ବିପକ୍ଷରେ ୧୪୩ ଏବଂ ଗୁଜୁରାଟ ବିପକ୍ଷରେ ୧୨୫ରନର ଇନିଂସ ଖେଳିବା ପରେ ପ୍ରିୟାଙ୍କୁ ଭାରତୀୟ ମହିଳା ଟି-୨୦ ଦଳରେ ସାମିଲ କରାଯାଇଛି । 

ପ୍ରିୟା ପୂର୍ବରୁ ବ୍ୟାଡମିଣ୍ଟନ ଖେଲୁଥିଲେ, କିନ୍ତୁ ପରେ ପାଖାପାଖି ୯ ବର୍ଷ ବୟସରେ ସୁରାଣା ଏକାଡେମୀରେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ । ଜୟପୁରରେ ୬ ମାସର ଟ୍ରେନିଂ ପରେ ତାଙ୍କ ପରିବାର ଦିଲ୍ଲୀକୁ ସିଫ୍ଟ ହୋଇଯାଇଥିଲେ ଏବଂ ଦିଲ୍ଲୀରେ ବିରାଟ କୋହଲିହ୍କ କୋଚ ରାଜକୁମାର ଶର୍ମାଙ୍କ ବେଷ୍ଟ ଦିଲ୍ଲୀ ଏକାଡେମୀରେ ପ୍ରାକ୍ଟିସ ଆରମ୍ଭ କରିଥିଲେ । ବର୍ତ୍ତମାନ ସୁଦ୍ଧା ପ୍ରିୟା ଦିଲ୍ଲୀ ପାଇଁ ୧୯ ବର୍ଷରୁ କମ, ୨୩ ବର୍ଷରୁ କମ୍ ଏବଂ ସିନିୟର ବର୍ଗରେ କ୍ରିକେଟ ଖେଳିସାରିଛନ୍ତି । 

Subscribe

National International State Sports Entertainment