ନୂଆଦିଲ୍ଲୀ, ଜାନୁଆରୀ ୧୬ (ଖବର ଓଡ଼ିଶା): ଭାରତୀୟ ଟିମ୍ର ଷ୍ଟାର କ୍ରିକେଟର ବିରାଟ କୋହଲି ଶନିବାର (ଜାନୁଆରୀ ୧୫) ଟେଷ୍ଟ ଫର୍ମାଟର ଅଧିନାୟକ ପଦରୁ ଇସ୍ତଫା ଦେଇସାରିଛନ୍ତି। ଏହା ପରେ ଟିମ୍ ଇଣ୍ଡିଆର ଅଧିନାୟକ ଦାୟିତ୍ବ କାହା ହାତରେ ରହିବ, ସେନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏବେ ଭାରତର ଟେଷ୍ଟ ଅଧିନାୟକ କିଏ ହେବେ? ଅଭିଜ୍ଞତା ସଂପନ୍ନ ବ୍ୟକ୍ତି ଓ ପ୍ରଶଂସକଙ୍କ ହିସାବରେ କୋହଲିଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଟେଷ୍ଟ ଅଧିନାୟକ ଦାୟିତ୍ବ ଦିଆଯିବା କଥା। କିନ୍ତୁ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ନିଷ୍ପତ୍ତି ଉପରେ ନିର୍ଭର କରୁଛି କିଏ ହେବେ ଅଧିନାୟକ। ଚର୍ଚ୍ଚା ହେଉଛି ଯେ, ବିସିସିଆଇ ନଜରରେ ଆଉ କେହି ଜଣେ ଅଧିନାୟକ ହେବେ।
ସୂଚନାଯୋଗ୍ୟ, ଗତବର୍ଷ ସେପ୍ଟେମ୍ବରରେ ବିରାଟ କୋହଲି ଟି୨୦ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ବିସିସିଆଇ ରୋହିତ ଶର୍ମାଙ୍କୁ ଟିମ ଇଣ୍ଡିଆର ଦାୟିତ୍ବ ହସ୍ତାନ୍ତର କରିଥିଲା। ତେଣୁ ପ୍ରଶଂସକଙ୍କ ମତରେ ବିସିସିଆଇ ପୁଣି ଟେଷ୍ଟ ଦାୟିତ୍ବ ରୋହିତ ଶର୍ମାଙ୍କୁ ଦେଇପାରେ। କାରଣ ବିରାଟ କୋହଲିଙ୍କ ପରେ ରୋହିତ ଶର୍ମା ହେଉଛନ୍ତି ଦଳର ବରିଷ୍ଠ ଖେଳାଳି।
ଅନ୍ୟପଟରେ ବିସିସିଆଇ ସୂତ୍ରରୁ ଗଣମାଧ୍ୟମ ରିପୋର୍ଟ କରିଛି ଯେ, ଚୟନକାରୀ କମିଟି ଟେଷ୍ଟ ଟିମ୍ର ଅଧିନାୟକ ପାଇଁ ଆଲୋଚନା କରିବେ। କୁହାଯାଉଛି ଯେ, କେଏଲ ରାହୁଲଙ୍କୁ ମଧ୍ୟ ଟେଷ୍ଟ ଟିମ୍ରେ ଅଧିନାୟକ ପଦ ମିଳିପାରେ। କିନ୍ତୁ ପ୍ରୋସେସ ହିସାବରେ ଦେଖିବାକୁ ଗଲେ କେଏଲ ରାହୁଲଙ୍କୁ ଉପଅଧିନାୟକ ପଦ ସମ୍ଭାଳିବା କଥା। କିନ୍ତୁ ଟିମ୍ ଇଣ୍ଡିଆର ଟେଷ୍ଟ ଅଧିନାୟକ ଓ ଉପଅଧିନାୟକ କିଏ ହେବ ଆଗାମୀ ସମୟ କହିବ।