୪୭ ବର୍ଷ ବୟସରେ ପାଦ ଥାପିଲେ ସଚିନ ତେନ୍ଦୁଲକର, କରୋନା ଯୋଗୁଁ ପାଳିବେନି ଜନ୍ମଦିନ
Khabar Odisha:Sports-cricket-Sachin-Tendulkar-47th-birthday-know-about-his-fabulous-journey-in-world-cup-history

ନୂଆଦିଲ୍ଲୀ, ଏପ୍ରିଲ ୨୪ (ଖବର ଓଡ଼ିଶା): ବିଶ୍ୱର ଜଣାଶୁଣା କ୍ରିକେଟର ସଚିନ ତେନ୍ଦୁଲକର ଆଜି (ଗୁରୁବାର, ୨୦୨୦, ଏପ୍ରିଲ ୨୪) ୪୭ ବର୍ଷ ବୟସରେ ପାଦ ଥାପିଛନ୍ତି । କିନ୍ତୁ ମାଷ୍ଟର ବ୍ଲାଷ୍ଟର ଏଥର ସମଗ୍ର ବିଶ୍ୱରେ କରୋନା ଭାଇରସ ସଂକ୍ରମଣ ବ୍ୟାପିଥିବାରୁ ଜନ୍ମଦିନ ପାଳନ କରୁ ନାହାନ୍ତି । ସଚିନ ଯଦିଓ ଜନ୍ମଦିନ ପାଳନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି, କିନ୍ତୁ ତାଙ୍କର ପ୍ରଶଂସକ ତାଙ୍କର ଜନ୍ମଦିନକୁ ନିଶ୍ଚିତ ଭାବେ ମନେ ପକାଇବେ । 

ମହାନ ବ୍ୟାଟ୍ସମ୍ୟାନ ନିଜର କ୍ୟାରିୟରରେ ୬ଟି ବିଶ୍ୱ କପ ଖେଳିଛନ୍ତି । ସେ ନିଜର ପ୍ରଥମ ବିଶ୍ୱ କପ ଖେଳିବା ପୂର୍ବରୁ ମୋଟ ୩୧ଟି ଦିନିକିଆ ଖେଳି ୮୯୪ ରନ କରିଥିଲେ । ଏହି ସ୍କୋର ମଧ୍ୟରେ କୌଣସି ଶତକ ନ ଥିଲା । ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ୧୯୯୨ରେ ଅନୁଷ୍ଠିତ ବିଶ୍ୱ କପ ସଚିନଙ୍କ ପାଇଁ ନୂଆ ଅନୁଭୂତି ଆଣିଦେଇଥିଲା । ଏଥିରେ ସେ ସମସ୍ତ ୮ଟି ମ୍ୟାଚ ଖେଳି ୨୮୩ ରନ କରିଥିଲେ । ସେ ଟୁର୍ଣ୍ଣାମେଣ୍ଟରେ ୩ଟି ଅର୍ଦ୍ଧଶତକ ସମେତ ସର୍ବାଧିକ ୮୪ ରନ ହାସଲ କରିଥିଲେ । 

ବିଶ୍ୱକପ ୧୯୯୬ ଭାରତ, ପାକିସ୍ତାନ ଓ ଶ୍ରୀଲଙ୍କାରେ ଅନୁଷ୍ଠିତ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ଖେଳିବା ପୂର୍ବରୁ ସଚିନ ୧୦୨ଟି ଦିନିକିଆ ଖେଳି ସାରିଥିଲେ । ଏଥିରେ ୪ଟି ଶତକ ହାସଲ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ସେ ୨ଟି ଶତକ ସହ ୫୨୩ ରନ ସଂଗ୍ରହ ରକିଥିଲେ । ମାତ୍ର ଭାରତ ସେମିଫାଇନାଲରେ ହାରି ଯାଇଥିଲା । 

ବର୍ଷ ୧୯୯୯ରେ ଇଂଲଣ୍ଡରେ ଅନୁଷ୍ଠିତ ବିଶ୍ୱକପ ଖେଳିଥିଲେ ମାଷ୍ଟର ବ୍ଲାଷ୍ଟର । ଏଥିରେ ସେ ୭ଟି ମ୍ୟାଚ ଖେଳି ୨୫୩ ରନ ଯୋଡ଼ିଥିଲେ । ସେହିପରି ୨୦୦୩ରେ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ କେନିଆରେ ଆୟୋଜିତ ବିଶ୍ୱକପ, ୨୦୦୭ରେ ୱେଷ୍ଟଇଣ୍ଡିଜରେ ଓ ୨୦୧୧ରେ ଭାରତ, ବାଂଲାଦେଶ ଓ ଶ୍ରୀଲଙ୍କାରେ ଅନୁଷ୍ଠିତ ବଶ୍ୱକପ ଖେଳିଥିଲେ ସଚିନ । 

ସଚିନ ୬ଟି ବିଶ୍ୱକପ ଖେଳି ୨ ହଜାର ୨୭୮ ରନ ସଂଗ୍ରହ କରିଥିଲେ, ଯାହାକି କୌଣସି ବ୍ୟାଟ୍ସମ୍ୟାନଙ୍କ ଦ୍ୱାରା କରାଯାଇଥିବା ସର୍ବାଧିକ ସ୍କୋର । ତାଙ୍କ ପରେ ଅଷ୍ଟ୍ରେଲିଆର ରିକି ପଣ୍ଟିଂଙ୍କ ନାମ ଆସିଥାଏ । ସେ କିନ୍ତୁ ପ୍ରାୟ ୫୦୦ ରନ ପଛରେ ଅଛନ୍ତି । ସର୍ବାଧିକ ଶତକ ଓ ଅର୍ଦ୍ଧଶତକ ହାସଲ କରିବାରେ ସଚିନଙ୍କ ରେକର୍ଡ ଅଛି । ସେ ବିଶ୍ୱକପରେ ୧୫ଟି ଅର୍ଦ୍ଧଶତକ ହାସଲ କରିବାରେ ଏକମାତ୍ର ଖେଳାଳି । 

 

  • Tags:

Subscribe

National International State Sports Entertainment