ମୁମ୍ବାଇ, ମେ ୧୯ (ଖବର ଓଡ଼ିଶା): ଲଖନଉ ସୁପର ଜ୍ୟାଣ୍ଟସ୍ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୨ର ୬୬ତମ ମ୍ୟାଚ୍ରେ ରୋମାଞ୍ଚକର ବିଜୟ ହାସଲ କରିଛି । କୋଲକାତା ନାଇଟ୍ ରାଇଡର୍ସକୁ ୨ ରନ୍ରେ ପରାସ୍ତ କରିଛି । ସ୍ଥାନୀୟ ଡି ୱାଇ ପାଟିଲ ଷ୍ଟାଡିୟମ୍ରେ ବୁଧବାର ସନ୍ଧ୍ୟାରେ ମ୍ୟାଚ୍ ଶେଷ ଓଭର ଯାଏଁ ଖେଳାଯାଇଥିଲା । କୋଲକାତାକୁ ଜିତାଇବା ପାଇଁ ଦଳର ଯୁବ ବ୍ୟାଟର ରିଙ୍କୁ ସିଂହ ବିସ୍ଫୋରକ ବ୍ୟାଟିଂ କରିଥିଲେ । ସେ ୧୫ଟି ବଲ୍ରେ ୪୦ ରନ୍ କରିଥିଲେ । ଏଥିରେ ସେ ୨ଟି ଚୌକା ଓ ୪ଟି ଛକା ମାରିଥିଲେ । ଶେଷ ବଲ୍ ପର୍ଯ୍ୟନ୍ତ ଦ୍ୱନ୍ଦ୍ୱ ଜାରି ରହିଥିଲା ଯେ, ମ୍ୟାଚ୍ କିଏ ଜିତିବ ।
ଲଖନଉ ପ୍ରଥମେ ବ୍ୟାଟିଂ କରିଥିଲା । ପ୍ରାରମ୍ଭିକ ବ୍ୟାଟର କ୍ୱିଣ୍ଟନ୍ ଡି’କକ୍ ଓ ଅଧିନାୟକ କେଏଲ୍ ରାହୁଲ ଅପରାଜିତ ରହି ୨୧୦ ରନ୍ କରିଥିଲେ । ଲଖନଉ କୌଣସି ୱିକେଟ୍ ନ ହରାଇ ଏକ ବିଶାଳ ସ୍କୋର କରିଥିଲା । ଡି’କକ୍ ୧୦ଟି ଚୌକା ଓ ସମାନ ପରିମାଣର ଛକା ବଳରେ ୧୪୦ ରନ୍ କରିଥିଲେ । ରାହୁଲ ୫୧ଟି ବଲ୍ ସାମ୍ନା କରି ୬୮ ରନ୍ କରିଥିଲେ । ସେ ୩ଟି ଚୌକା ଓ ୪ଟି ଛକା ମାରିଥିଲେ ।
କୋଲକାତା ପାଇଁ ନୀତିଶ ରାଣା ୪୨ ରନ୍, ଅଧିନାୟକ ଶ୍ରେୟସ ଆୟର ୫୦ ରନ୍, ସାମ୍ ବିଲିଂ ୩୬ ରନ୍ ଓ ସୁନୀଲ ନାରାୟଣ ଅପରାଜିତ ୨୧ ରନ୍ କରିଥିଲେ । ଲଖନଉ ତରଫରୁ ମୋସିନ ଖାନ ଓ ମାର୍କସ ଷ୍ଟୋଇନିଂସ ୩-୩ ୱିକେଟ୍ ନେଇଥିଲେ । କ୍ରିଷ୍ଣପା ଗୌତମ ଓ ରବି ବିଷ୍ଣୋୟୀଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା ।