ନୂଆଦିଲ୍ଲୀ, ଅଗଷ୍ଟ ୧୧ (ଖବର ଓଡ଼ିଶା): ଏସିଆ କପ୍ କ୍ରିକେଟ ପାଇଁ ଭାରତୀୟ ଟିମ୍ ଘୋଷିତ ହୋଇଯାଇଛି । ସୋମବାର ମୁମ୍ବାଇରେ ଅନୁଷ୍ଠିତ ବୈଠକ ପରେ ମୁଖ୍ୟ ଚୟନକାରୀ ଚେତନ ଶର୍ମାଙ୍କ ନେତୃତ୍ୱରେ ଚୟନ କମିଟି ୧୫ ଜଣିଆ ଭାରତୀୟ ଦଳକୁ ଅନ୍ତିମ ରୂପ ଦେଇଛନ୍ତି । ଭାରତୀୟ ଟିମ୍ରେ ବିରାଟ କୋହଲି ଓ ଉପ-ଅଧିନାୟକ କେଏଲ୍ ରାହୁଲଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି । ଆଭେସ ଖାନ ଓ ରବି ବିଶ୍ନୋୟୀଙ୍କ ଭଳି ଖେଳାଳିଙ୍କୁ ମଧ୍ୟ ଟିମ୍ରେ ସାମିଲ କରାଯାଇଛି । କିଛି ଷ୍ଟାର ଖେଳାଳିଙ୍କୁ ଟିମ୍ରେ ସ୍ଥାନ ମିଳିନାହିଁ ।
ଈଶାନ କିଶନ ଓ ଶ୍ରେୟସ ଆୟରଙ୍କୁ ଏସିଆ କପ ପାଇଁ ଭାରତୀୟ ଟିମ୍ରେ ସ୍ଥାନ ମିଳିନାହିଁ । ଶ୍ରେୟସଙ୍କୁ ଷ୍ଟାଣ୍ଡ ବଏ ଭାବେ ତାଲିକାରେ ସ୍ଥାନ ମିଳିଥିବା ବେଳେ ଈଶାନ କିଶନଙ୍କୁ ତାଲିକାରେ ସାମିଲ କରାଯାଇନାହିଁ । ଏବେ ଏସିଆ କପରୁ ବାହାର ହେବା ପରେ ଉଭୟ ଖେଳାଳିଙ୍କ ଟି-୨୦ ଅନ୍ତର୍ଜାତୀୟ କ୍ୟାରିୟରରେ ବର୍ତ୍ତମାନ ପାଇଁ ବ୍ରେକ ଲାଗିଚି ।
ତଥ୍ୟ ଅନୁସାରେ ୨୦୨୨ରେ ଭାରତ ପାଇଁ ଟି-୨୦ ମ୍ୟାଚରେ ସର୍ବାଧିକ ରନ କରିଥିବା ଖେଳାଳିଙ୍କ ତାଲିକାରେ ଶ୍ରେୟସ ଆୟର ଓ ଈଶାନ କିଶନ କ୍ରମଶଃ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଶ୍ରେୟସ ୧୪ଟି ମ୍ୟାଚରେ ୪୪.୯୦ ହାର ଓ ୧୪୨.୯୯ ଷ୍ଟ୍ରାଇକ ରେଟରେ ୪୪୯ ରନ୍ ସଂଗ୍ରହ କରିଛନ୍ତି । ଏହାରି ମଧ୍ୟରେ ସେ ୪ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷରେ ଫ୍ଲୋରିଡାରେ ଆୟୋଜିତ ଶେଷ ଟି-୨୦ରେ ଓପିନିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ ।
ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ (ଉପଅଧିନାୟକ), ବିରାଟ କୋହଲ, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ (ୱିକେଟକିପର), ଦିନେଶ କାର୍ତ୍ତିକ (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ରବିଚନ୍ଦ୍ରନ ଅଶ୍ୱିନ, ୟୁଜବେନ୍ଦ୍ର ଚହଲ, ରବି ବିଶ୍ନୋୟୀ, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂହ ଓ ଆଭେସ ଖାନ ।
ସୂଚନାଯୋଗ୍ୟ, ଏସିଆ ଆସନ୍ତା ୨୭ ତାରିଖ ଠାରୁ ଆରମ୍ଭ ହେବ । ଏହି ଟୁର୍ଣ୍ଣାମେଣ୍ଟ ୟୁଏଇରେ ସେପ୍ଟେମ୍ବର ୧୧ ତାରିଖ ଯାଏଁ ଖେଳାଯିବ । ଶ୍ରୀଲଙ୍କା, ଭାରତ, ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନ ପୂର୍ବରୁ ଯୋଗ୍ୟତାଅର୍ଜନ କରିସାରିଛନ୍ତି । ଅନ୍ତିମ ଟିମ ନିର୍ଦ୍ଧାରିତ ହୋଇପାରି ନାହିଁ । ଭାରତ ନିଜର ଅଭିଯାନ ଅଗଷ୍ଟ ୨୮ରେ ପାକିସ୍ତାନ ବିପକ୍ଷରେ ଆରମ୍ଭ କରିବ ।