ବର୍ମିଂହାମ, ଅଗଷ୍ଟ ୦୮ (ଖବର ଓଡ଼ିଶା): ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୨ର ମହିଳା କ୍ରିକେଟର ଫାଇନାଲ ମୁକାବିଲାରେ ଭାରତୀୟ ଟିମ୍ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଛି । ଅଷ୍ଟ୍ରେଲିଆ ଏହି ମ୍ୟାଚକୁ ୯ ରନ୍ରେ ବିଜୟ ହାସଲ କରି ସ୍ୱର୍ଣ୍ଣ ପଦକ ଜିତିଛି । ଟିମ ଇଣ୍ଡିଆକୁ ରୌପ୍ୟ ପଦକ ମିଳିଛି । ବର୍ମିଂହାମର ଏଜବେଷ୍ଟନରେ ଫାଇନାଲ ମ୍ୟାଚ ଶେଷ ଓଭର ପର୍ଯ୍ୟନ୍ତ ଯାଇଥିଲା । କିନ୍ତୁ ଅଷ୍ଟ୍ରେଲିଆ ଦ୍ୱାରା ଦିଆଯାଇଥିବା ୧୬୨ ରନ୍ର ବିଜୟ ଲକ୍ଷ୍ୟକୁ ଭାରତ ପୂରା କରିପାରି ନଥିଲା ।
ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୬୧ ରନ୍ ସଂଗ୍ରହ କରିଥିଲା । ଜବାବରେ ଭାରତ ୧୯.୩ ଓଭରରେ ସମସ୍ତ ୱିକେଟ ହରାଇ ୧୫୨ ରନ୍ରେ ଅଲଆଉଟ ହୋଇଯାଇଥିଲା । ଭାରତ ପାଇଁ ଅଧିନାୟକ ହରମନପ୍ରୀତ କୌର ସର୍ବାଧିକ ୬୫ ରନ୍ ସଂଗ୍ରହ କରିଥିଲେ । ଏଥିରେ ସେ ୭ଟି ଚୌକା ଓ ୨ଟି ଛକା ମାରିଥିଲେ । ଜେମିମା ରୋଡ୍ରିଗଜ ୩୩ଟି ବଲ ଖେଳି ୩ଟି ଚୌକା ବଳରେ ୩୩ ରନ୍ ସଂଗ୍ରହ କରିଥିଲେ । ଭାରତର ଅନ୍ୟ ଖେଳାଳିଙ୍କର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା ।