ହାଇଦ୍ରାବାଦ, ସେପ୍ଟେମ୍ବର ୨୫ (ଖବର ଓଡ଼ିଶା): ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଟି-୨୦ ଶୃଙ୍ଖଳାର ୩ୟ ତଥା ଅନ୍ତିମ ମ୍ୟାଚ ଖେଳାଯିବ । ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ସନ୍ଧ୍ୟା ୭ଟାରେ ଏହି ମ୍ୟାଚ ଆରମ୍ଭ ହେବ । ତେବେ ଉଭୟ ଟିମ୍ ପାଇଁ ଏହି ମ୍ୟଚ ଗୁରୁତ୍ୱପୂର୍ଣ୍ଣ । କାରଣ ମୋହାଲିରେ କଙ୍ଗାରୁ ଟିମ୍ ବିଜୟୀ ହୋଇଥିଲା ବେଳେ ନାଗପୁରରେ ଭାରତୀୟ ଟିମ୍ ମ୍ୟାଚ ଜିତିଥିଲା । ତେଣୁ ଅନ୍ତିମ ମୁକାବିଲାରେ ବିଜୟ ହାସଲ କରିବା ପାଇଁ ଉଭୟ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତକରିଛନ୍ତି ।
ନାଗପୁରରେ ବର୍ଷାବାଧିତ ମ୍ୟାଚକୁ ଉଭୟ ପକ୍ଷରୁ ୮-୮ ଓଭର କରି ଦିଆଯାଇଥିଲା । ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଅତିଥି ଟିମ୍ ପ୍ରଥମେ ବ୍ୟାଟିଂ କରି ଭାରତକୁ ୯୧ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା । ଏହି ଲକ୍ଷ୍ୟକୁ ଭାରତ ୭.୨ ଓଭରରେ ୪ଟି ୱିକେଟ ହରାଇ ହାସଲ କରିଥିଲା । ଭାରତର ବିଜୟରେ ଅଧିନାୟକ ରୋହିତ ଶର୍ମା ହିରୋ ସାଜିଥିଲେ ।
ମୋହାଲିରେ ଖେଳାଯାଇଥିବା ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଭାରତକୁ ଅଷ୍ଟ୍ରେଲିଆ ୪ ୱିକେଟରେ ପରାସ୍ତ କରିଥିଲା । ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୨୦୮ ରନ୍ ସଂଗ୍ରହ କରିଥିଲା । ଜବାବରେ କଙ୍ଗାରୁ ଟିମ୍ ୪ଟି ବଲ ଥାଇ ଲକ୍ଷ୍ୟ ହାସଲ କରିଥିଲା ।