ନୂଆଦିଲ୍ଲୀ, ସେପ୍ଟେମ୍ବର ୨୦ (ଖବର ଓଡ଼ିଶା): ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଆଜି (ମଙ୍ଗଳବାର) ଠାରୁ ଆରମ୍ଭ ହେବ । ପଂଜାବର ମୋହାଲିସ୍ଥିତ ପିସିଏ ଷ୍ଟାଡିୟମରେ ଏହି ମ୍ୟାଚ ରାତି ୭ଟାରୁ ଆରମ୍ଭ ହେବ । ଟି-୨୦ ବିଶ୍ୱକପ-୨୦୨୨କୁ ଦୃଷ୍ଟିରେ ରଖି ଭାରତୀୟ ଟିମ୍ ପାଇଁ ଏହି ଶୃଙ୍ଖଳା ଗୁରୁତ୍ୱପୂର୍ଣ୍ଣ । ବିଶ୍ୱକପ ପୂର୍ବରୁ ଭାରତ ପାଇଁ ସବୁଠାରୁ ବଡ଼ ମସଲା ମଧ୍ୟ କ୍ରମର ଖେଳାଳିଙ୍କୁ ନେଇ । କାରଣ ମଧ୍ୟକ୍ରମରେ କମ୍ବିନେଶନ ଠିକ ରହିଲେ ଦଳ ଭଲ ପ୍ରଦର୍ଶନ କରିପାରିବ । ରୋହିତ ଶର୍ମା ଏହି ସମସ୍ୟାର ସମାଧାନ କରିବାକୁ ଯୋଜନା କରିଛନ୍ତି ।
ବିଶ୍ୱକପ ପୂର୍ବରୁ ଖେଳାଯିବାକୁ ଥିବା ୬ଟି ଟି-୨୦ ମ୍ୟାଚ ପାଇଁ ଯଦିଓ ବୋଲରଙ୍କୁ ବିଶ୍ରାମ ଦିଆଯାଇଥିଲା, ଭାରତ ଓଭରଅଲ ନିଜର ମଜବୁତ ଟିମ୍କୁ ଆଣିଛି । ଅଷ୍ଟ୍ରେଲିଆ ପରେ ଭାରତ ଅନ୍ୟ ୩ଟି ମ୍ୟାଚ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ ।
ରୋହିତ ଶର୍ମା ପୂର୍ବରୁ କହିସାରିଛନ୍ତି ଯେ, ତାଙ୍କ ସହିତ କେଏଲ ରାହୁଲ ପାଳି ଆରମ୍ଭ କରିବେ । କିନ୍ତୁ ରାହୁଲଙ୍କ ସ୍ଥାନରେ ବିରାଟ କୋହଲି ମଧ୍ୟ ପାଳି ଆରମ୍ଭ କରିପାରନ୍ତି । ବିରାଟ କୋହଲି ନିଜର ଗତ ଟି-୨୦ ମ୍ୟାଚରେ ବସ୍ଫୋରକ ବ୍ୟାଟିଂ କରିଥିଲେ । କିନ୍ତୁ ଏବେ ଚୂଡ଼ାନ୍ତ ଏକାଦଶରେ ୱିକେଟକିପର ଭାବେ ଋଷଭ ପନ୍ତ ଓ ଦିନେଶ କାର୍ତ୍ତିକଙ୍କ ମଧ୍ୟରୁ କିଏ ସ୍ଥାନ ପାଇବେ, ତାହା ସ୍ପଷ୍ଟ ହୋଇପାରି ନାହିଁ ।