ବର୍ମିଂହାମ, ଅଗଷ୍ଟ ୦୧ (ଖବର ଓଡ଼ିଶା): ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୨ରେ ଭାରତକୁ ତୃତୀୟ ସ୍ୱର୍ଣ୍ଣପଦକ ମିଳିଛି । ୨୦ ବର୍ଷୀୟ ଅଚିନ୍ତା ଶେଉଳି ପୁରୁଷ ଭାରୋତ୍ତଳନର ୭୩ କିଲୋ ଭାରବର୍ଗରେ ଏହି ପଦକ ଆଣିଛନ୍ତି । ଅଚିନ୍ତା ଶେଉଳି ସ୍ନେଚରେ ରେକର୍ଡ ୧୪୩ କିଲୋ ଓଜନ ଉଠାଇଥିଲେ । ସେହିପରି କ୍ଲିନ ଆଣ୍ଡ ଜାର୍କରେ ସେ ୧୭୦ କିଲୋ ଭାର ଉଠାଇଥିଲେ । ମୋଟାମୋଟି ଭାବେ ସେ ଗେମ୍ସ ରେକର୍ଡ କରି ୩୧୩କିଲୋ ଓଜନ ଉଠାଇ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି ।
ପଦକ ଜିତିବା ପରେ ଅଚିନ୍ତା ଗଣମାଧ୍ୟମକୁ କହିଛନ୍ତି ଯେ, ସେ ବହୁତ ଖୁସି ଅଛନ୍ତି । ଅନେକ ସଂଘର୍ଷ ଅତିକ୍ରମ କରି ମୁଁ ପଦକ ଜିତିଛି । ଏହି ପଦକ ଭାଇ ଓ କୋଚଙ୍କୁ ସମର୍ପିତ କରୁଛି । ଏହା ପରେ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେବି । ଏହି ଇଭେଣ୍ଟରେ ମାଲେଶିଆର ହରି ହିଦାୟତ ମହମ୍ମଦ ୨ୟ ସ୍ଥାନ ହାସଲ କରିଥିଲେ । ସେ ୩୦୩ କିଲୋ ଓଜନ ଉଠାଇଥିଲେ । କାନାଡାର ଡର୍ସିଗ୍ନି ୨୯୮ କିଲୋ ଓଜନ ଉଠାଇ କାଂସ୍ୟ ପଦକ ଜିତିଛନ୍ତି ।
ସୂଚନାଯୋଗ୍ୟ, ଭାରତକୁ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏପର୍ଯ୍ୟନ୍ତ ମୋଟ ୬ଟି ପଦକ ମିଳିଛି । ଏହା ପୂର୍ବରୁ ଟୋକିଓ ଅଲିମ୍ପିକ୍ସର ରୌପ୍ୟପଦକ ବିଜୟିନୀ ମୀରାବାଇ ଚନୁ ୪୯ କିଲୋ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେହିପରି ଜେରେମୀ ଲାଲରିନୁଙ୍ଗା ୬୭ କିଲୋ ଭାରବର୍ଗରେ ଭାରତ ପାଇଁ ୨ୟ ସ୍ୱର୍ଣ୍ଣପଦକ ଜିତିଥିଲେ । ବିନ୍ଦିଆରାଣୀ ଦେବୀ ମହିଳା ୱେଟଲିଫ୍ଟିଙ୍ଗର ୫୫ କିଲୋ ଭାରବର୍ଗରେ ଭାରତ ପାଇଁ ରୌପ୍ୟପଦକ ଆଣିଥିଲେ । ସେହିପରି ସଂକେତ ମହାଦେବ ଓ ଗୁରୁରାଜା ପୁଜାରୀ ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ଭାରତ ପାଇଁ ଆଣିଛନ୍ତି ।