ନୂଆଦିଲ୍ଲୀ: କ୍ରିକେଟରେ ଉଭୟ ହାତରେ ବ୍ୟାଟିଂ ଓ ବୋଲିଂ କରିପାରୁଥିବା ବହୁତ କମ୍ ଖେଳାଳି ଦେଖିବାକୁ ମିଳନ୍ତି। ଉଭୟ ହାତରେ ବୋଲିଂ କରିପାରୁଥିବା ବୋଲର ବହୁତ କମ୍ ଦେଖିଥିବେ। ମଧ୍ୟପ୍ରଦେଶର ଜୁନିଅର କ୍ରିକେଟର ସୋହମ ପଟବର୍ଦ୍ଧନ ବ୍ୟାଟିଂ ସହିତ ଉଭୟ ହାତରେ ବୋଲିଂ ମଧ୍ୟ କରନ୍ତି। ଏଥି ପାଇଁ ସେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ଦୃଷ୍ଟି ଆକର୍ଷଣ ହୋଇଛନ୍ତି।
ସୋହମଙ୍କୁ ବିସିସିଆଇ ବେଙ୍ଗାଲୁରୁରେ ଆୟୋଜିତ ହେବାକୁ ଥିବା ହାଇ ପରଫରମାନ୍ସ ଶିବିର ପାଇଁ ଚୟନ କରିଛି। ମଧ୍ୟ ପ୍ରଦେଶରୁ ସୋହମଙ୍କ ବ୍ୟତୀତ ଏହି ଶିବିରରେ ରୋହିତ ସିଂହ ରାଜାୱତ ମଧ୍ୟ ଅଂଶଗ୍ରହଣ କରିପାରିବେ। ସୋହମ ବାମହାତୀ ବ୍ୟାଟର। ଏଥି ସହିତ ଉଭୟ ବାମ ଓ ଡାହାଣ ହାତରେ ବୋଲିଂ କରିପାରନ୍ତି। ଡାହାଣ ହାତରେ ଅଫ୍ ସ୍ପିନ ଓ ବାମ ହାତରେ ଅର୍ଥୋଡକ୍ସ ବୋଲିଂ କରନ୍ତି। ଅର୍ଥାତ ପରିସ୍ଥିତି ଅନୁସାରେ ସେ ବୋଲିଂ ରଣନୀତି କରନ୍ତି।
କୋଚ ଦେବଆଶୀଷ ନିଲୋସେ କହିଛନ୍ତି, ସୋହମ ହେଉଛନ୍ତି ପ୍ରତିଭାଶାଳୀ ଏବଂ କ୍ରମାଗତ ନିଜର ଖେଳରେ ସଂଶୋଧନ ଆଣିବାକୁ ଉଦ୍ୟମ କରନ୍ତି। ପଡ଼ିଆରେ ତାଙ୍କର ପ୍ରଦର୍ଶନ ହେଉଛି ସାକ୍ଷୀ। ବିସିସିଆଇ ତରଫରୁ ତାଙ୍କୁ ଅଭ୍ୟାସ ପାଇଁ ସୁଯୋଗ ମିଳିଥିବାରୁ ସେଠାରେ ସେ ଆହୁରି ଅଧିକ ଶିଖିବେ। ସୋହମଙ୍କ ପିତା ତଥା ପୂର୍ବତନ ରଣଜୀ କ୍ରିକେଟର ନିଖିଲ କହିଛନ୍ତି ଆମ ପରିବାର ତୃତୀୟ ପିଢ଼ି ହେଉଛି ସୋହମ। ମୋର ବାପା ସ୍ବର୍ଗତଃ ଅଶୋକ ପଟବର୍ଦ୍ଧନ ମଧ୍ୟ ମଧ୍ୟପ୍ରଦେଶ ୧୯ ବର୍ଷରୁ କମ୍ କ୍ରିକେଟର ଅଧିନାୟକ ଥିଲେ।
ସୂଚନାଯୋଗ୍ୟ, ସୋହମ ଜୋନାଲ ୧୮ ବର୍ଷୀୟରୁ କମ୍ ଫାଇନାଲରେ ଜବଲପୁର ବିପକ୍ଷରେ ୩୦୮ ରନ୍ ସଂଗ୍ରହ କରିଥିଲେ। କୁଚବେହାର ଟ୍ରଫିରେ ହରିୟାଣା ବିପକ୍ଷରେ ୧୧୭ ରନ୍, ରାଜସ୍ଥାନ ବିପକ୍ଷରେ ୯୪ ରନ୍ ଭଳି ପ୍ରଦର୍ଶନ କରିଥିଲେ। ସେହିପରି ମଧ୍ୟପ୍ରଦେଶ ୧୯ ବର୍ଷରୁ କମ୍ କ୍ରିକେଟରେ ଦିଲ୍ଲୀ ବିପକ୍ଷରେ ୯୦ ରନ୍ ସଂଗ୍ରହ କରିଥିଲେ।