ନୂଆଦିଲ୍ଲୀ: ଆଇପିଏଲ ୨୦୨୫ରେ ଯଦି କିଏ ସବୁଠୁ ଅତି ଖରାପ ପ୍ରଦର୍ଶନ କରୁଛି ସେ ହେଉଛି ଲଖନଉ ସୁପର ଜାଏଣ୍ଟସର ଅଧିନାୟକ ଋଷଭ ପନ୍ତ । ଆଇପିଏଲର ମେଗା ନିଲାମରେ ତାଙ୍କୁ ଲଖନଉ ୨୭ କୋଟି ଟଙ୍କା ଖର୍ଚ୍ଚ କରି ନିଜ ଦଳରେ ସାମିଲ କରିଥିଲା । ଏଥିସହ ଆଇପିଏଲ ଇତିହାସରେ ସବୁଠୁ ଦାମୀ ଖେଳାଳି ହେବାର ରେକର୍ଡ କରିଥିଲେ ପନ୍ତ । ମାତ୍ର ଚଳିତ ସିଜିନରେ ତାଙ୍କର ପ୍ରଦର୍ଶନ ଦେଖିଲେ ଏଲଏସଜିର ମାଲିକ ସଞ୍ଜୀବ ଗୋଏଙ୍କା ନିଜର ମୁଣ୍ଡ ପିଟି ଦେବେ । ନିଜ ଦଳ ପାଇଁ ସବୁଠୁ ଅଧିକ ରନ କରିବାରେ ପନ୍ତ ସପ୍ତମ ସ୍ଥାନରେ ଅଛନ୍ତି । ଏହା ବ୍ୟତୀତ ସିଜିନରେ ଏହି ତାଲିକାରେ ସେ ୬୧ତମ ସ୍ଥାନରେ ରହିଛନ୍ତି ।
ପନ୍ତ ଆଇପିଏଲରେ ଅତି କମରେ ୧୦ ଇନିଂସ ପରେ ସବୁଠୁ ଖରାପ ହାରରେ ବ୍ୟାଟିଂ କରିଛନ୍ତି । ଆଇପିଏଲ ୨୦୨୫ରେ ସେ ଏ ପର୍ଯ୍ୟନ୍ତ ୧୨.୮୦ ହାରରେ ଏବଂ ୯୯.୨୨ ଷ୍ଟ୍ରାଇକ ରେଟରେ ମାତ୍ର ୧୨୮ ରନ କରିଛନ୍ତି । ଏଥିରୁ କେବଳ ଗୋଟିଏ ମ୍ୟାଚରେ ସେ ୬୩ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ବାକି ମ୍ୟାଚରେ ସେ କ୍ରିଜରେ ତିଷ୍ଠି ପାରୁ ନାହାନ୍ତି । ତାଙ୍କର ଏମିତି ଶୋଚନୀୟ ପ୍ରଦର୍ଶନକୁ ଦେଖିଲେ ମାଲିକ ଗୋଏଙ୍କା ଭାବୁଥିବେ ଏହି ଖେଳାଳିଙ୍କୁ ୨୭ କୋଟି ଟଙ୍କା ଦେଇ କିଣିବା ମସ୍ତବଡ ଭୁଲ୍ କରି ଦେଲି ।
ଅଧିନାୟକତ୍ୱରେ ମଧ୍ୟ ପନ୍ତ ବହୁତ ଫିକା ରହିଛନ୍ତି । ଏଲଏସଜି ଚଳିତ ସିଜିନରେ ଏ ପର୍ଯ୍ୟନ୍ତ ୧୧ଟି ଖେଳି ୫ଟି ଜିତିଥିବା ବେଳେ ୬ଟି ହାରିଛି । ତେବେ ବଡ କଥା ଶେଷ ୫ଟି ମ୍ୟାଚରୁ ଦଳ ୪ଟି ହାରିଛି । ଯେଉଁ ଗୋଟିଏ ମ୍ୟାଚ୍ ଦଳ ଜିତିଛି ତାହା ରାଜସ୍ଥାନ ରୟାଲ୍ସ ବିପକ୍ଷରେ ମାତ୍ର ୨ ରନରେ । ଯଦି ସେହି ମ୍ୟାଚକୁ ଦଳ ହାରିଥାନ୍ତା ତେବେ ପ୍ଲେ ଅଫ ରେସ ଦୌଡରୁ ବାଦ୍ ପଡି ସାରନ୍ତାଣି । ରବିବାର ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚରେ ଆଶା କରାଯାଉଥିଲା ପନ୍ତ ନିଜ ପ୍ରଦର୍ଶନରେ ସୁଧାର କରି ଭଲ ଇନିଂସ ଖେଳିବେ । ମାତ୍ର ସେ ୧୭ ବଲରୁ ୧୮ ରନ କରି ଆଉଟ୍ ହୋଇଥିଲେ । ଏହି ମ୍ୟାଚରେ ଏଲଏସଜି ୩୭ ରନରେ ପରାଜିତ ହୋଇଛି ।