ନୂଆଦିଲ୍ଲୀ: ଦିନିକିଆ ଓ ଟି-୨୦ରେ ଅଧିନାୟକ ଭାବେ ରୋହିତ ଶର୍ମାଙ୍କ ବ୍ୟାଟରୁ ଖୁବ୍ ରନ ବାହାରିଛି । ମାତ୍ର ଟେଷ୍ଟ କ୍ରିକେଟ୍ କଥା ଆସିଲେ ରୋହିତଙ୍କ ବ୍ୟାଟରେ କଳଙ୍କି ଲାଗି ଯାଉଛି । ରୋହିତ ଶର୍ମାଙ୍କ ରେକର୍ଡକୁ ଦେଖିଲେ ଏହା ହିଁ ଦେଖିବାକୁ ମିଳୁଛି । ରୋହିତ ଶର୍ମା ଅଧିନାୟକ ଭାବେ ଟେଷ୍ଟ କ୍ରିକେଟରେ ୨୦ ମ୍ୟାଚ୍ ଖେଳି ସାରିଲେଣି । ଯଦି ଗତ ୫୦ ବର୍ଷରେ ଭାରତ ପାଇଁ ଅଧିନାୟକତ୍ୱ କରିଥିବା ଖେଳାଳିଙ୍କ ପ୍ରଥମ ୨୦ ଟେଷ୍ଟ ମ୍ୟାଚର ତୁଳନା କରାଯିବ ତେବେ ରୋହିତ ଶର୍ମା ଟପ୍-୫ରେ ବି ନାହାନ୍ତି । ଅଧିନାୟକ ଭାବେ ଅଧିକ ରନ କରିବା ତାଲିକାରେ ବିରାଟ ହୋହଲି ଶୀର୍ଷରେ ଅଛନ୍ତି ।
ରୋହିତ ଶର୍ମା ଟେଷ୍ଟ କ୍ରିକେଟରେ ଅଧିନାୟକ ଭାବେ ପ୍ରଥମ ୨୦ଟି ମ୍ୟାଚରେ ୩୫.୧୧ ହାରରେ ୧୧୯୪ ରନ କରିଛନ୍ତି । ରନ ଏବଂ ବ୍ୟାଟିଂ ହାର ମାମଲାରେ ସେ ତାଲିକାରେ ସପ୍ତମ ସ୍ଥାନରେ ରହିଛନ୍ତି । କିନ୍ତୁ ଅଧିନାୟକ ନ ହେବା ପୂର୍ବରୁ ରୋହିତଙ୍କ ଟେଷ୍ଟ ରେକର୍ଡ ବେଶ ଦମଦାର ରହିଥିଲା । ତାଙ୍କ ବ୍ୟାଟରୁ ନିୟମିତ ରନ ବାହାରିବା ସହ ବଡ ଇନିଂସ ଦେଖିବାକୁ ମିଳୁଥିଲା ।
ରୋହିତ ଟେଷ୍ଟ କ୍ରିକେଟରେ ବ୍ୟାଟର ଭାବେ ୪୩ ମ୍ୟାଚ୍ ଖେଳି ୪୬.୮୭ ହାରରେ ୩୦୪୭ ରନ କରିଛନ୍ତି । ଏହି ରେକର୍ଡକୁ ସ୍ପଷ୍ଟ ଜଣା ପଡୁଛି ଯେ, ହିଟମ୍ୟାନ ଟେଷ୍ଟ ମ୍ୟାଚରେ ଅଧିନାୟକ ବୋଝ ସମ୍ଭାଳି ପାରୁ ନାହାନ୍ତି । ଅଧିନାୟକ ଭାବେ ପ୍ରଥମ ୨୦ ଟେଷ୍ଟ ମ୍ୟାଚରେ ସବୁଠୁ ଅଧିକ ରନ ବିରାଟ କୋହଲି କରିଛନ୍ତି । ସେ ୬୦ ହାରରେ ୧୮୬୧ ରନ କରିଛନ୍ତି । ବ୍ୟାଟିଂ ହାର ହିସାବରେ ସୁନୀଲ ଗାଭାସ୍କର ବିରାଟଙ୍କଠୁ ଆଗରେ ଅଛନ୍ତି । ଗାଭାସ୍କର ଅଧିନାୟକ ଭାବେ ପ୍ରଥମ ୨୦ ଟେଷ୍ଟରେ ୬୨.୬୨ ହାରରେ ୧୮୧୬ ରନ କରିଛନ୍ତି ।
ତାଲିକାରେ ତୃତୀୟରେ ଅଛନ୍ତି ସଚିନ ତେନ୍ଦୁଲକର । ମାଷ୍ଟରବ୍ଲାଷ୍ଟର ୫୪.୩୩ ହାରରେ ୧୬୩୦ ରନ, ଏମଏସ ଧୋନୀ ୫୧.୦୮ ହାରରେ ୧୨୨୬ ରନ, ରାହୁଲ ଦ୍ରାବିଡ ୪୫.୭୪ ହାରରେ ୧୪୧୮ ରନ, ମହମ୍ମଦ ଆଝାରୁଦ୍ଦୀନ ୪୪.୩୭ ହାରରେ ୧୨୮୭ ରନ, ରୋହିତ ଶର୍ମା ୩୫.୧୧ ହାରରେ ୧୧୯୪ ରନ କରିଛନ୍ତି ।
ସେହିପରି ଅଧିନାୟକ ଭାବେ ପ୍ରଥମ ୨୦ ଟେଷ୍ଟରେ ସୌରଭ ଗାଙ୍ଗୁଲି ୩.୮୯ ହାରରେ ୯୪୯, କପିଲ ଦେବ ୨୪.୦୯ ହାରରେ ୭୪୭ ରନ ଓ ବିଶନ ସିଂ ବେଦୀ ୧୫ ହାରରେ ୨୮୫ ରନ କରିଛନ୍ତି । ତେବେ ସଂପ୍ରତି ସ୍ଥିତିକୁ ଦେଖିଲେ ରୋହିତ ଶର୍ମା ଟେଷ୍ଟ ମ୍ୟାଚରେ ଅଧିନାୟକ ନିଜକୁ ସଠିକ ଭାବେ ପ୍ରମାଣିତ କରିବାରେ ବିଫଳ ହୋଇଛନ୍ତି ।