ଚେନ୍ନାଇ: ଆସନ୍ତା ୧୯ ତାରିଖ ଠାରୁ ବାଂଲାଦେଶ ବିପକ୍ଷରେ ଭାରତୀୟ ଦଳ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳିବ। ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଚେନ୍ନାଇର ଏମ୍ ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍ ପାଇଁ ଅଧିନାୟକ ରୋହିତ ଶର୍ମା ଓ ପୂର୍ବତନ ଅଧିନାୟକ ବିରାଟ କୋହଲି ଚେନ୍ନାଇରେ ପହଞ୍ଚିଛନ୍ତି। ଏହା ପୂର୍ବରୁ ଟିମ୍ ଇଣ୍ଡିଆର ଅନେକ ଖେଳାଳି ଚେନ୍ନାଇରେ ପହଞ୍ଚିଥିଲେ।
ଚେନ୍ନାଇ ଏୟାରପୋର୍ଟରୁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ରୋହିତ ଶର୍ମା ଚେନ୍ନାଇରେ ପହଞ୍ଚିବାର ଭିଡିଓ ସେୟାର କରି ଭାରତୀୟ ଅଧିନାୟକ ଗତକାଲି ରାତିରେ ଚେନ୍ନାଇରେ ପହଞ୍ଚିଥିଲେ ବୋଲି ନ୍ୟୁଜ୍ ଏଜେନ୍ସି ପିଟିଆଇ କହିଛି।
ସେହିପରି ବିରାଟ କୋହଲି ଲଣ୍ଡନରୁ ସିଧାସଳଖ ଚେନ୍ନାଇରେ ପହଞ୍ଚିଥିବା ସୂଚନା ମିଳିଛି। ବିରାଟ କୋହଲିଙ୍କୁ ପୂର୍ବରୁ ଅନେକ ଥର ଲଣ୍ଡନରେ ଦେଖିବାକୁ ମିଳିଛି। ମିଡିଆ ରିପୋର୍ଟ ଅନୁଯାୟୀ, କୋହଲିଙ୍କ ପୁଅ ଆକାଏ ଜନ୍ମ ହେବା ପରଠାରୁ ପରିବାର ସହ ଲଣ୍ଡନରେ ରହୁଥିଲେ। ସେପଟେ କୋହଲିଙ୍କ ଚେନ୍ନାଇ ଆଗମନର ଭିଡିଓକୁ ତାଙ୍କ ଫ୍ୟାନ ପେଜ ଜରିଆରେ ସେୟାର କରାଯାଇଛି।
ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆ ଅଭ୍ୟାସ ଶିବିରରେ ଅଂଶଗ୍ରହଣ କରିବ। ଭାରତୀୟ ଦଳର ଅନେକ ଖେଳାଳି ଲମ୍ବା ବିରତି ପରେ ଫେରୁଛନ୍ତି, ତେଣୁ ଅଭ୍ୟାସ ଶିବିର ସେମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। ଯେମିତି ଯଶପ୍ରୀତ ବୁମରା ଟି-୨୦ ବିଶ୍ୱକପ୍ ଫାଇନାଲ ପରେ ଫେରୁଛନ୍ତି। ପ୍ରାୟ ଅଢ଼େଇ ମାସ ପରେ ବୁମରାଙ୍କୁ ପଡ଼ିଆରେ ଦେଖିବାକୁ ମିଳିବ।
ସୂଚନାଯୋଗ୍ୟ, ଟିମ୍ ଇଣ୍ଡିଆକୁ ବାଂଲାଦେଶ ବିପକ୍ଷରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବାକୁ ପଡ଼ିବ। ସିରିଜର ଦ୍ୱିତୀୟ ମ୍ୟାଚ୍ ସେପ୍ଟେମ୍ବର ୨୭ରୁ କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳାଯିବ। ତେବେ ବିସିସିଆଇ କେବଳ ଚେନ୍ନାଇ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରିଛି।
ସମ୍ଭାବ୍ୟ ଭାରତୀୟ ଦଳ
ରୋହିତ ଶର୍ମା (ଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, ଶୁଭମନ ଗିଲ, ବିରାଟ କୋହଲି, କେଏଲ ରାହୁଲ, ସରଫରାଜ ଖାନ୍, ଋଷଭ ପନ୍ତ (ୱିକେଟ୍ ରକ୍ଷକ), ଧ୍ରୁବ ଜୁରେଲ୍ (ୱିକେଟ୍ ରକ୍ଷକ), ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଆକାଶ ଦୀପ, ଯଶପ୍ରୀତ ବୁମ୍ରା, ୟଶ ଦୟାଲ।
ସମ୍ଭାବ୍ୟ ବାଂଲାଦେଶ ଦଳ
ନଜମୁଲ ହୁସେନ ଶାଣ୍ଟୋ (ଅଧିନାୟକ), ମହମୁଦୁଲ ହାସନ ଜୋୟ, ଜାକିର ହାସନ, ଶାଦମାନ ଇସଲାମ, ମୋମିନୁଲ ହକ୍, ମୁସ୍ଫିକୁର ରହିମ, ସାକିବ ଅଲ ହାସନ, ଲିଟନ ଦାସ, ମେହେଦି ହାସନ ମିରାଜ, ତାଇଜୁଲ ଇସଲାମ, ନଇମ ହାସନ, ନାହିଦ ରାଣା, ହାସନ ମହମୁଦ, ତାସ୍କିନ୍ ଅହମ୍ମଦ, ସୟଦ ଖାଲିଦ ଅହମ୍ମଦ, ଜାକର ଅଲ୍ଲୀ ଅନିକ।
ଅଧିକ ପଢ଼ନ୍ତୁ: ମହାରାଷ୍ଟ୍ରର ଅମ୍ବରନାଥରେ ରାସାୟନିକ କାରଖାନାରୁ ଗ୍ୟାସ ଲିକ୍