କାନପୁର: ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଓ ଓପନର ଯଶସ୍ୱୀ ଜୟସ୍ୱାଲ ଉଭୟ ମିଶି ଟେଷ୍ଟ କ୍ରିକେଟରେ ଟି-୨୦ର ମଜା ଦେଇଛନ୍ତି । ବାଂଲାଦେଶ ବିପକ୍ଷ କାନପୁର ଟେଷ୍ଟରେ ଉଭୟ ତିନି ଓଭରରେ ୫୦ ରନ କରି ଇତିହାସ ରଚିଛନ୍ତି । ଟେଷ୍ଟ କ୍ରିକେଟ୍ ଇତିହାସରେ ଦ୍ରୁତତମ ଅର୍ଦ୍ଧଶତକ କରିବାରେ ଭାରତ ଇଂଲଣ୍ଡର ବିଶ୍ୱ ରେକର୍ଡକୁ ଭାଙ୍ଗିଛି । ଇଂଲଣ୍ଡ ଚଳିତ ବର୍ଷ ଟ୍ରେଣ୍ଟ ବ୍ରିଜ ଟେଷ୍ଟରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୪.୨ ଓଭରରେ ୫୦ ରନ କରିଥିଲା । କିନ୍ତୁ ଭାରତ ମାତ୍ର ୩ ଓଭରରେ ୫୦ ରନ କରି ଇଂଲଣ୍ଡରେ ରେକର୍ଡକୁ ଧ୍ୱସ୍ତ କରିଛି ।
ଟେଷ୍ଟ କ୍ରିକେଟରେ କୌଣସି ଦଳ ଦ୍ୱାରା ସବୁଠୁ ଦ୍ରୁତ ୫୦ ରନ କରିବା ମାମଲାରେ ତୃତୀୟ ଓ ଚତୁର୍ଥ ସ୍ଥାନରେ ମଧ୍ୟ ଇଂଲଣ୍ଡ ରହିଛି । ଦଳ ୧୯୯୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୪.୩ ଓଭରରେ ୫୦ ରନ କରିଥିଲା । ପୁଣି ୨୦୦୨ରେ ଶ୍ରୀଲଙ୍କା ବିପକ୍ଷରେ ୫ ଓଭରରେ ଇଂଲଣ୍ଡର ଓପନର ୫୦ ରନ ପୂରଣ କରିଥିଲେ । ଆଉ ଏହି ସବୁ ରେକର୍ଡକୁ ଭାରତ ପଛରେ ପକାଇ ଦେଇଛି । କାନପୁର ଟେଷ୍ଟର ଆଜି ହେଉଛି ଚତୁର୍ଥ ଦିନ । ଏହି ମ୍ୟାଚର ଫଳାଫଳ ପାଇଁ କିଛି ଚମତ୍କାର କରିବାକୁ ପଡିବ । ବାଂଲାଦେଶ ପ୍ରଥମ ଇନିଂସରେ ୨୩୩ ରନରେ ଅଲଆଉଟ୍ ହେବା ପରେ ଭାରତ ଯେବେ ବ୍ୟାଟିଂ କରିବାକୁ କ୍ରିଜକୁ ଓହ୍ଲାଇଲା ଦଳର ଆଭିମୁଖ୍ୟ ସ୍ପଷ୍ଟ ଥିଲା ଯେ, ବିଜୟ ହିଁ ଆମକୁ ଦରକାର ।
ଦୁଇ ଓପନର ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରି ବିନା କୌଣସି ୱିକେଟ୍ ହରାଇ ୫୧ ରନ ଯୋଡିଥିଲେ । ଯଶସ୍ୱୀ ୧୩ ବଲରୁ ୩୦ ରନ ଓ ରୋହିତ ୬ ବଲରୁ ୧୯ ରନ କରିଥିଲେ । କିନ୍ତୁ ଚତୁର୍ଥ ଓଭରରେ ରୋହିତ ଆଉଟ୍ ହେବା ଦଳକୁ ବଡ ଝଟକା ଲାଗିଥିଲା । ରୋହିତ ୧୧ ବଲରୁ ୨୩ ରନ କରି ମେହଦି ହାସନଙ୍କ ବଲରେ ବୋଲ୍ଡ ହୋଇଥିଲେ । ଜୟସ୍ୱାଲ ବିସ୍ଫୋରକ ବ୍ୟାଟିଂ ଜାରି ରଖି ଅର୍ଦ୍ଧଶତକ ହାସଲ କରିବା ସହ ୫୧ ବଲରୁ ୧୨ ଚୌକା ଓ ୨ ଛକା ସହ ୭୨ ରନ କରି ଆଉଟ୍ ହୋଇଛନ୍ତି । ଖବର ଲେଖାଯିବା ସୁ୍ଦ୍ଧା ଭାରତ ୧୬ ଓଭରରେ ୨ ଓପନରଙ୍କୁ ହରାଇ ୧୩୮ ରନ କରିଛି ।