ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ ପାଇଁ ଅନେକ ଦଳ ନିଜ ଅଧିନାୟକ ଘୋଷଣା କରିଛନ୍ତି। ଏବେ ଋଷଭ ପନ୍ତ ଲକ୍ଷ୍ନୌ ସୁପର ଜାଏଣ୍ଟସର ନେତୃତ୍ୱ ନେବେ ବୋଲି ପ୍ରାୟ ନିଶ୍ଚିତ ହୋଇଯାଇଛି। ମେଗା ନିଲାମରେ ପନ୍ତଙ୍କୁ ଲକ୍ଷ୍ନୌ ଦଳ ୨୭ କୋଟି ଟଙ୍କାରେ କିଣିଥିଲା, ଯାହା ତାଙ୍କୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଇତିହାସରେ ସବୁଠାରୁ ଦାମୀ ଖେଳାଳି କରିଥିଲା। ଏପର୍ଯ୍ୟନ୍ତ କେଏଲ୍ ରାହୁଲ ଗତ ୩ ଟି ସିଜନରେ ଏଲଏସଜିର ନେତୃତ୍ୱ ନେଉଥିଲେ, କିନ୍ତୁ ବର୍ତ୍ତମାନ ସେ ଦିଲ୍ଲୀ କ୍ୟାପିଟାଲ୍ସରେ ଯୋଗ ଦେଇଛନ୍ତି।
ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ୨୦୨୨ରେ ଆଇପିଏଲ୍ ପଦାର୍ପଣ କରିଥିଲା, ଯାହା ପରେ ଦଳ କେଏଲ୍ ରାହୁଲଙ୍କ ଅଧିନାୟକତ୍ୱରେ ଲଗାତାର ଦୁଇଥର ପ୍ଲେଅଫ୍ ରେ ପହଞ୍ଚିଥିଲା। ତେବେ ଆଇପିଏଲ୍ ୨୦୨୪ରେ ଖରାପ ପ୍ରଦର୍ଶନ ପରେ ଏଲ୍ ଏସ୍ ଜି ଫ୍ରାଞ୍ଚାଇଜ୍ ରାହୁଲଙ୍କୁ ମୁକ୍ତ କରିଥିଲା। ଏବେ ଇଏସପିଏନ୍ କ୍ରିକଇନ୍ଫୋର ଏକ ରିପୋର୍ଟରୁ ଜଣାପଡିଛି ଯେ ପନ୍ତଙ୍କ ଅଧିନାୟକତ୍ୱ ପ୍ରାୟ ନିଶ୍ଚିତ ହୋଇସାରିଛି ଏବଂ ଖୁବଶୀଘ୍ର ଘୋଷଣା ହୋଇପାରେ। ଋଷଭ ପନ୍ତ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲସର ଅଧିନାୟକ ଥିଲେ, ଯାହାଙ୍କ ଅଧୀନରେ ଦିଲ୍ଲୀ ଗତବର୍ଷ ଷଷ୍ଠ ସ୍ଥାନରେ ରହିଥିଲା।
ଯଦି ଋଷଭ ପନ୍ତଙ୍କୁ ବର୍ତ୍ତମାନ ଅଧିନାୟକ କରାଯାଏ, ତେବେ ସେ ଡେଭିଡ୍ ମିଲର, ନିକୋଲାସ୍ ପୁରନ୍, ମିଚେଲ ମାର୍ଶ ଏବଂ ଏଡେନ୍ ମାର୍କରାମଙ୍କ ଭଳି ପ୍ରସିଦ୍ଧ ଏବଂ ଶକ୍ତିଶାଳୀ ଖେଳାଳିଙ୍କ ନେତୃତ୍ୱ ନେବେ। ମେଗା ନିଲାମ ପରେ ପୁରନ, ମିଚେଲ ମାର୍ଶ, ଡେଭିଡ୍ ମିଲର ଏବଂ ଏପରିକି ମାର୍କରାମଙ୍କୁ ଅଧିନାୟକ ପଦ ପାଇଁ ବିକଳ୍ପ ଭାବେ ଦେଖିବାକୁ ମିଳିଥିଲା। ଆପଣଙ୍କୁ ସ୍ମରଣ କରାଇ ଦେଉଛୁ ଯେ ଲକ୍ଷ୍ନୌ ଟିମ୍ ମେଗା ନିଲାମ ପୂର୍ବରୁ ନିକୋଲାସ ପୁରନ, ଆୟୁଷ ବଦୋନି, ରବି ବିଷ୍ନୋଇ, ମୟଙ୍କ ଯାଦବ ଏବଂ ମୋହସିନ ଖାନଙ୍କୁ ବଜାୟ ରଖିବାକୁ ନିଷ୍ପତ୍ତି ନେଇଥିଲା। ଯଦି ଋଷଭ ପନ୍ତ ଅଧିନାୟକ ହୁଅନ୍ତି ତେବେ ସେ କୋଚ୍ ଜଷ୍ଟିନ୍ ଲାଙ୍ଗରଙ୍କ ସହ କାମ କରିବେ ଏବଂ ଆଇପିଏଲ୍ ୨୦୨୫ ପାଇଁ ଲକ୍ଷ୍ନୌ ଜାହିର ଖାନଙ୍କୁ ନୂଆ ପରାମର୍ଶଦାତା ଭାବେ ନିଯୁକ୍ତ କରିଛି।