ନୂଆଦିଲ୍ଲୀ: ଭାରତର ତାରକା ୱିକେଟ କିପର ବ୍ୟାଟର ଋଷଭ ପନ୍ତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ପୁଣି ଥରେ ଆହତ ହୋଇଛନ୍ତି । ଆହତ ସମସ୍ୟାରୁ ମୁକୁଳିବା ପରେ ସେ ଦକ୍ଷିଣ ଆଫ୍ରିକା ଏ ବିପକ୍ଷ ମ୍ୟାଚ୍ ସହ ମଇଦାନକୁ ପ୍ରତ୍ୟାବର୍ତ୍ତନ କରିଥିଲେ । କିନ୍ତୁ ଏହି ଅନଅଫିସିଆଲ ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନରେ ପନ୍ତ ଆହତ ହେବାରୁ ପଡିଆ ବାହାରକୁ ଚାଲି ଯାଇଛନ୍ତି ।
ବେଙ୍ଗାଲୁରୁର ସେଣ୍ଟର ଅଫ ଏକ୍ସିଲେନ୍ସରେ ଭାରତ ଏ ଓ ଦକ୍ଷିଣ ଆଫ୍ରିକା ଏ ମଧ୍ୟରେ ଅନଅଫିସିଆଲ ଟେଷ୍ଟ ମ୍ୟାଚ୍ ଖେଳା ଯାଉଛି । ମ୍ୟାଚର ତୃତୀୟ ଦିନରେ ବ୍ୟାଟିଂ କରିବା ସମୟରେ ପନ୍ତଙ୍କୁ ଶେପୋ ମୋରେକିଙ୍କ ବଲରେ ତିନି ଥର ଆଘାତ ଲାଗିଛି । ଦକ୍ଷିଣ ଆଫ୍ରିକାର ଏହି ଦ୍ରୁତ ବୋଲରଙ୍କ ବଲ ପନ୍ତଙ୍କ ହେଲମେଟରେ ବି ବାଜିଛି । ପୁଣି ଶରୀରରେ ତିନି ଥର ବଲ ବାଜିବାରୁ ତାଙ୍କୁ ରିଟାୟର୍ଡ ହଟ୍ ହେବାକୁ ପଡିଛି । ମ୍ୟାଚ୍ ସମୟରେ ପନ୍ତ ବ୍ୟାଟିଂ କରିବାକୁ ଚାହୁଁଥିଲେ । ମାତ୍ର କୋଚ୍ ହୃଷିକେଶ କାନିତକର ଓ ଫିଜିଓ ପନ୍ତଙ୍କୁ ରିଟାୟର୍ଡ ହଟ୍ ହେବାକୁ କହିଥିଲେ । ଉଲ୍ଲେଖନୀୟ ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମଧ୍ୟରେ ନଭେମ୍ବର ୧୪ରୁ ପ୍ରଥମ ଟେଷ୍ଟ ଖେଳାଯିବ ।
ସୂଚନାଯୋଗ୍ୟ, ଇଂଲଣ୍ଡ ବିପକ୍ଷ ମାଞ୍ଚେଷ୍ଟରରେ ଖେଳା ଯାଇଥିବା ଚତୁର୍ଥ ଟେଷ୍ଟରେ କ୍ରିସ ୱକ୍ସଙ୍କ ବଲରେ ପନ୍ତ ଆହତ ହୋଇଥିଲେ । ପନ୍ତଙ୍କ ପାଦର ଆଙ୍ଗୁଠିରେ ବଡ ଆଘାତ ଲାଗିଥିଲା । ଏଥିରୁ ସୁସ୍ଥ ହୋଇ ଫିଟ୍ ହେବା ପାଇଁ ପନ୍ତଙ୍କୁ ସାଢେ ତିନି ମାସ ସମୟ ଲାଗିଥିଲା । ଏଥିରୁ ମୁକୁଳିବା ପରେ ପନ୍ତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଦଳରେ ଚୟନ ହୋଇଛନ୍ତି । ପ୍ରଥମ ଟେଷ୍ଟ ପୂର୍ବରୁ ପାଖାପାଖି ଗୋଟିଏ ସପ୍ତାହ ସମୟ ବାକି ରହିଛି । ସେତେ ବେଳକୁ ପନ୍ତ ପୂରା ବିଶ୍ରାମ ନେଇ ପଡିଆକୁ ଫେରି ପାରନ୍ତି ।
ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ
ଶୁଭମନ ଗିଲ୍(ଅଧିନାୟକ), ଋଷଭ ପନ୍ତ( ୱିକେଟ୍ କିପର ଓ ଉପଅଧିନାୟକ), କେଏଲ ରାହୁଲ, ଯଶସ୍ୱୀ ଜୟସ୍ୱାଲ, ସାଇ ସୁଦର୍ଶନ, ଦେବଦତ୍ତ ପାଡିକଲ, ରବୀନ୍ଦ୍ର ଜାଡେଜା, ଧ୍ରୁବ ଜୁରେଲ, ୱାଶିଟଂନ ସୁନ୍ଦର, ଯଶପ୍ରୀତ ବୁମରା, ଅକ୍ଷର ପଟେଲ, ନୀତିଶ କୁମାର ରେଡ୍ଡୀ, ମହମ୍ମଦ ସିରାଜ, କୁଲଦୀପ ଯାଦବ ଓ ଆକାଶ ଦୀପ ।
Also read: ଜୟ ଶାହଙ୍କ ହସ୍ତକ୍ଷେପ ପରେ ପ୍ରତୀକା ରାୱଲଙ୍କୁ ମିଳିବ ବିଶ୍ୱକପ୍ ମେଡାଲ, ଆଇସିସି ବଦଳାଇବାକୁ ପଡିଲା ନିୟମ