ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ୨୦୨୪ ବିଶ୍ୱ ବିଜେତା ଭାରତୀୟ କ୍ରିକେଟ୍ ଦଳର କୋଚ୍ ରହିଥିବା ରାହୁଲ ଦ୍ରାବିଡଙ୍କୁ ରାଜସ୍ଥାନ ରୟାଲ୍ସର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ ଦେଇଛି । ଆଇପିଏଲ୍ ଫ୍ରାଞ୍ଚାଇଜ ରାଜସ୍ଥାନ ଶୁକ୍ରବାର ଏହାର ଘୋଷଣା କରିଛି । ଭାରତକୁ ଟି-୨୦ ବିଶ୍ୱକପ୍ ଜିତାଇବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ଦ୍ରାବିଡ ଆଇପିଏଲ୍ ୨୦୨୫ ନିଲାମ ପୂର୍ବରୁ ଖେଳାଳିଙ୍କ ରିଟେସନ ପରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦଳର ବଡ ଭୂମିକା ଗ୍ରହଣ କରି ପାରନ୍ତି ।
ଗତ ତିନି ବର୍ଷରୁ ରାଜସ୍ଥାନ ରୟାଲ୍ସର କ୍ରିକେଟ୍ ନିର୍ଦ୍ଦେଶକ ପଦରେ ଥିବା କୁମାର ସାଙ୍ଗାକାରା ନିଜର ପଦରେ ରହିବେ । ଉଲ୍ଲେଖନୀୟ ଭାରତର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ ୨୦୧୨ ଓ ୨୦୧୩ରେ ରାଜସ୍ଥାନ ରୟାଲ୍ସର ଅଧିନାୟକ ଥିଲେ ଏବଂ ଦୁଇ ବର୍ଷ ମେଣ୍ଟର ଦାୟିତ୍ୱ ମଧ୍ୟ ସମ୍ଭାଳିଥିଲେ । ଏହା ପରେ ସେ ୨୦୧୬ରେ ଦିଲ୍ଲୀ କ୍ୟାପିଟାଲ୍ସରେ ଯୋଗ ଦେଇଥିଲେ । ପୁଣି ବିସିସିଆଇ ତାଙ୍କୁ ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀର ନିର୍ଦ୍ଦେଶକ ପଦରେ ନିଯୁକ୍ତ କରିଥିଲା । ୨୦୨୧ରେ ଏନସିଏରୁ ଅବ୍ୟାହିତ ନେଇ ରବି ଶାସ୍ତ୍ରୀଙ୍କ ସ୍ଥାନରେ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ହୋଇଥିଲେ ଦ ୱାଲ ନାମରେ ପରିଚିତ ଦ୍ରାବିଡ ।
ରାଜସ୍ଥାନ ରୟାଲ୍ସକୁ ଫେରିିବା ପରେ ଦ୍ରାବିଡ କହିଛନ୍ତି, ମୁଁ ଏହି ଫ୍ରାଞ୍ଚାଇଜକୁ ପୁନର୍ବାର ଫେରି ଆନନ୍ଦିତ । ଏହି ଦଳରେ ମୁଁ ଗତ ଅନେକ ବର୍ଷ ଧରି ନିଜ ଘର ପରି କାମ କରିଛି । ବିଶ୍ୱକପ୍ ପରେ ଆଉ ଏକ ଆହ୍ୱାନପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିବାର ଏହା ଏକ ପ୍ରକୃଷ୍ଠ ସମୟ । ରାଜସ୍ଥାନ ରୟାଲ୍ସ ପାଇଁ ଏହି କାମ କରିବା ଏକ ଉଚିତ୍ ସ୍ଥାନ ।
ରିପୋର୍ଟ ଅନୁଯାୟୀ, ରାଜସ୍ଥାନ ରୟାଲ୍ସ ବିକ୍ରମ ରାଠୋରଙ୍କୁ ଦ୍ରାବିଡଙ୍କ ସହାୟକ କୋଚ୍ ଭାବେ ସାମିଲ କରିପାରେ । ରାଠୋର ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟିଂ କୋଚ୍ ରହିବା ସହ ଏନସିଏରେ ଦ୍ରାବିଡଙ୍କ କୋଚିଂ ଷ୍ଟାଫର ସଦସ୍ୟ ଥିଲେ ।