ନୂଆଦିଲ୍ଲୀ: ଆଇପିଏଲ ୨୦୨୫ରେ ଚେନ୍ନାଇ ସୁପର କିଙ୍ଗ୍ସର ଅବସ୍ଥା ନ କହିଲେ ଭଲ । ୫ ଥରର ଚାମ୍ପିଅନ୍ସ ଚେନ୍ନାଇର ଏମିତି ପ୍ରଦର୍ଶନ ଦେଖି ଲାଗୁଛି ଚଳିତ ଆଇପିଏଲ୍ ମହେନ୍ଦ୍ର ସିଂ ଧୋନୀଙ୍କ ଶେଷ ସିଜିନ ହୋଇପାରେ । ସାମାଜିକ ଗଣମାଧ୍ୟମରେ ଏହାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି । ବିଶେଷ କରି କୋଲକାତା ବିପକ୍ଷରେ ଚେନ୍ନାଇର ପରାଜୟ ପରେ ଦଳ ପ୍ରବନ୍ଧକ ଓ ଧୋନୀଙ୍କୁ ନେଇ ପ୍ରଶ୍ନ ଉଠୁଛି । କାରଣ ଚଳିତ ସିଜିନରେ ଚେନ୍ନାଇର ଏହା ଲଗାତାର ପଞ୍ଚମ ପରାଜୟ ।
କେବଳ ଏତିକି ନୁହେଁ ନିଜ ଘରୋଇ ମାଟିରେ ଏହା ଲଗାତାର ତୃତୀୟ ପରାଜୟ । ସିଏସକେ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୦୩ ରନ କରି ପାରିଥିଲା । କୋଲକାତା ଅନାୟସରେ ମାତ୍ର ୧୦.୨ ଓଭରରେ ୨ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା । ସିଏସକେର ପରାଜୟ ପରେ ମହମ୍ମଦ କୈଫ ଧୋନୀଙ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି ।
ସେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି କଣ ଏହା ଧୋନୀଙ୍କ ଶେଷ ଆଇପିଏଲ୍ ? ଯେଉଁଭଳି ଭାବେ ଚଳିତ ସିଜିନ ଚେନ୍ନାଇ ପାଇଁ ବିତୁଛି. କଣ ଦଳ ପାଇଁ ପରିବର୍ତ୍ତନର ଏହା ସଠିକ ସମୟ ? ସେ ଲେଖିଛନ୍ତି, ଯେବେ ବିରୋଧୀ ଦଳରେ ସୁନିଲ ନାରାୟଣ ଓ ବରୁଣ ଚକ୍ରବର୍ତ୍ତୀଙ୍କ ପରି ଘାତକ ସ୍ପିନର ଅଛନ୍ତି, ତେବେ ଘରୋଇ ମଇଦାନର ପିଚ୍ ସ୍ପିନ ଉପଯୋଗୀ କରାଯିବାର ଆବଶ୍ୟକତା କଣ ଥିଲା ?
ଅନ୍ୟପଟେ ଋତୁରାଜ ଆହତ ହୋଇ ପୂରା ସିଜିନରୁ ବାଦ୍ ପଡିଥିବା ବେଳେ ମହେନ୍ଦ୍ର ସିଂ ଧୋନୀ ପୁଣି ଥରେ ସିଏସକେର ଅଧିନାୟକ ଦାୟିତ୍ୱ ସମ୍ଭାଳିଛନ୍ତି । ସମସ୍ତେ ଆଶା ରଖିଥିଲେ ଯେ, ଧୋନୀ ଅଧିନାୟକ ହେବା ପରେ ଚେନ୍ନାଇ ଠିକ ଟ୍ରାକକୁ ଫେରିବ, ମାତ୍ର ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି ।