ହାଇଦ୍ରାବାଦ: ସନରାଇଜର୍ସ ହାଇଦ୍ରାବାଦ ଶନିବାର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ରଚିଛି ଇତିହାସ । ଦଳ ଅଭିଷେକ ଶର୍ମାଙ୍କ ବିଧ୍ୱଂସୀ ଶତକ ବଳରେ ଆଇପିଏଲ୍ ଇତିହାସରେ ଦ୍ୱିତୀୟ ସଫଳ ବିଜୟ ଲକ୍ଷ୍ୟ ହାସଲ କରିଛି । ଆଇପିଏଲ୍ ୨୦୨୫ର ୨୭ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରି ୨୪୫ ରନ କରିଥିଲା । ଏହି ବିଶାଳ ଲକ୍ଷ୍ୟ ଦେଖି ଲାଗୁଥିଲା ହାଇଦ୍ରାବାଦ ପାଇଁ ଏହା ହାସଲ କରିବା ବହୁତ ମୁସ୍କିଲ । କାରଣ ଗତ ଚାରୋଟି ମ୍ୟାଚରେ ଦଳ ପରାଜିତ ହୋଇଥିଲା । କିନ୍ତୁ ଅଭିଷେକ ଶର୍ମା ଓ ଟ୍ରେଭିସ ହେଡ ଅବିସ୍ମରଣୀୟ ବ୍ୟାଟିଂ କରି ଓପନିଂ ଯୋଡିରେ ୧୭୧ ରନ ଭାଗିଦାରୀ କରି ସନରାଇଜର୍ସ ହାଇଦ୍ରାବାଦକୁ ୯ଟି ବଳ ବଳକା ଥାଇ ୮ ୱିକେଟରେ ଜିତାଇଛନ୍ତି । ଏହି ବିଜୟ ସହ ହାଇଦ୍ରାବାଦ ପରାଜୟର ଧାରା ଭାଙ୍ଗି ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନକୁ ଉଠିଛି । ଅନ୍ୟପଟେ ପଞ୍ଜାବ ଅଧିନାୟକ ଶ୍ରେୟସ ଆୟରଙ୍କ ଦମଦାର ୮୨ ରନର ଇନିଂସ ବୃଥା ହୋଇଛି । ଦଳ ନିଜର ପଞ୍ଚମ ମ୍ୟାଚରୁ ଦ୍ୱିତୀୟ ପରାଜୟ ଭୋଗିଛି ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ କିଙ୍ଗ୍ସ ଦମଦାର ଷ୍ଟାଇଲରେ ନିଜର ଇନିଂସ ଆରମ୍ଭ କରିଥିଲା । ଦୁଇ ଓପନର ପ୍ରିୟାଂଶ ଆର୍ଯ୍ୟ ଓ ପ୍ରଭସିମରନ ସିଂ ୪ ଓଭରରେ ୬୬ ରନ ଯୋଡିଥିିଲେ । ଏହି ରନ ଗତିକୁ ବଜାୟ ରଖିଥିଲେ ଅଧିନାୟକ ଶ୍ରେୟସ ଆୟର । ସେ ଦମଦାର ବ୍ୟାଟିଂ କରି ଦଳକୁ ବିଶାଳ ସ୍କୋର ପ୍ରଦାନ କରିଥିଲେ । ନେହଲ ୱେଧରା ୨୭ ରନ କରିଥିଲେ । ଶଶାଙ୍କ ସିଂ ୨ ରନ ଓ ମ୍ୟାକ୍ସୱେଲ ୩ ରନ ନିରାଶ କରିଥିଲେ ମଧ୍ୟ ଏହାର ଭରଣା କରିଥିଲେ ଶ୍ରେୟସ ଓ ମାର୍କସ ଷ୍ଟୋଇନିସ । ଆୟର ୩୬ ବଲରୁ ୬ ଚୌକା ଓ ୬ ଛକା ସହ ୮୨ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ଏହା ପରେ ଶେଷ ଆଡକୁ ଷ୍ଟୋଇନିସ ମାତ୍ର ୧୧ ବଲରୁ ୧ ଚୌକା ଓ ୪ ଛକା ସହ ୩୪ ରନ କରିବାରୁ ପଞ୍ଜାବ ୨୪୫ ରନର ବିଶାଳ ପାହାଡ ଛିଡା କରିଥିଲା ।
ଜବାବରେ ହାଇଦ୍ରାବାଦର ଦୁଇ ଓପନର ଟ୍ରେଭିସ ହେଡ ଓ ଅଭିଷେକ ଶର୍ମା ଆରମ୍ଭରୁ ହିଁ ବିସ୍ଫୋରକ ବ୍ୟାଟିଂ କରିଥିଲେ । ଖାସ୍ କରି ଅଭିଷେକ ପଞ୍ଜାବ ବୋଲରଙ୍କୁ ନିର୍ମମ ପ୍ରହାର କରି ନିଦ ହଜାଇ ଦେଇଥିଲେ । ଉଭୟ ପ୍ରତିପକ୍ଷ ଦଳକୁ କୌଣସି ସୁଯୋଗ ଦେଇ ନ ଥିଲେ । ଅଭିଷେକ ୧୯ ବଲରୁ ନିଜର ଅର୍ଦ୍ଧଶତକ ପୂରଣ କରିଥିବା ବେଳେ ହେଡ୍ ୩୨ ବଲରେ ଅର୍ଦ୍ଧଶତକ ପୂରା କରିଥିଲେ । ପଞ୍ଜାବ କିଙ୍ଗ୍ସକୁ ପ୍ରଥମ ସଫଳତା ମିଳିଲା ବେଳକୁ ବହୁତ ବିଳମ୍ବ ହୋଇ ସାରିଥିଲା । ହେଡଙ୍କୁ ଚହଲ ଆଉଟ୍ କରି ଏହି ଯୋଡିକୁ ଭାଙ୍ଗିଥିଲେ । ଏହା ପୂର୍ବରୁ ଦୁଇ ବ୍ୟାଟର ଓପନିଂ ଭାଗିଦାରୀରେ ୧୭୧ ରନ ଯୋଡିଥିଲେ । ହେଡ୍ ୩୭ ବଲରୁ ୩ ଛକା ଓ ୯ ଚୌକା ସହ ୬୬ ରନ କରିଥିଲେ ।
ହେଡଙ୍କ ଆଉଟ୍ ପରେ ବି ଅଭିଷେକଙ୍କ ବ୍ୟାଟ୍ ଥମି ନ ଥିଲା । ସେ ୪୦ ବଲରୁ ନିଜର ଶତକ ପୂରା କରିଥିଲେ । ଏହା ପରେ ବି ପଞ୍ଜାବ ବୋଲରଙ୍କୁ ପ୍ରହାର କରି ଚାଲିଥିଲେ । ସେ ୧୭ତମ ଓଭରରେ ଆଉଟ୍ ହେବା ବେଳକୁ ପଞ୍ଜାବର ସ୍କୋର ୨୨୨ ରନରେ ପହଞ୍ଚି ଯାଇଥିଲା । ଆଉ ଦଳ ବିଜୟର ଦ୍ୱାର ଦେଶରେ ଥିଲା । ଅଭିଷେକ ମାତ୍ର ୫୫ ବଲରୁ ୧୦ ଛକା ଓ ୧୪ ଚୌକା ଜରିଆରେ ୧୪୧ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ । ତାଙ୍କର ଆଇପିଏଲରେ ଏହା ହେଉଛି ପ୍ରଥମ ଶତକ ।