ଲାଉଡରହିଲ୍: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ପୁରୁଷ ଟି-୨୦ ବିଶ୍ବକପ୍ର ୩୦ତମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଯାଇଛି। ଆମେରିକା ଓ ଆୟର୍ଲାଣ୍ଡ ମଧ୍ୟରେ ଶୁକ୍ରବାର ଏହି ମ୍ୟାଚ୍ ଖେଳାଯିବାର ଥିଲା। ତେବେ ମ୍ୟାଚ୍ ବାତିଲ ହେବା କାରଣରୁ ଆୟୋଜକ ଆମେରିକା ସିଧାସଳଖ ସୁପର-୮ରେ ପହଞ୍ଚିଛି। ଗ୍ରୁପ୍-ଏରେ ଭାରତ ୬ ପଏଣ୍ଟ, ଆମେରିକା ୫ ପଏଣ୍ଟ ହାସଲ କରିଥିବା ବେଳେ ପାକିସ୍ଥାନ ୨ ପଏଣ୍ଟ ସହିତ ତୃତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଆମେରିକାଠୁ ହାରିଥିବା ପୂର୍ବ ବିଜେତା ପାକିସ୍ତାନର ଅଭିଯାନ ଲିଗ୍ ପର୍ଯ୍ୟାୟରେ ଶେଷ ହୋଇଇଛି। ସେହିପରି କାନାଡା ଓ ଆୟର୍ଲାଣ୍ଡ ମଧ୍ୟ ସୁପର-୮ ଦୌଡ଼ରୁ ବାହାରି ଯାଇଛି।
ଫ୍ଲୋରିଡାର ସେଣ୍ଟ୍ରାଲ ବ୍ରୋୱାର୍ଡ ରିଜନାଲ ପାର୍କ ଷ୍ଟାଡିୟମରେ ଆମେରିକା ଓ ଆୟର୍ଲାଣ୍ଡ ମଧ୍ୟରେ ମୁକାବିଲା ହେବାର ଥିଲା। କିନ୍ତୁ ବର୍ଷା ଏଭଳି ଭାବେ ଜାରି ରହିଲା, ଯେଉଁଥି ପାଇଁ ଟସ୍ ମଧ୍ୟ ପଡ଼ିପାରି ନଥିଲା। ଫଳରେ ଆମେରିକା ପଏଣ୍ଟ ଆଧାରରେ ସୁପର-୮କୁ ଉନ୍ନୀତ ହୋଇଛି। ଏପର୍ଯ୍ୟନ୍ତ ସୁପର-୮ରେ ଭାରତ ସମେତ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ ଓ ଆଫଗାନିସ୍ତାନ ମଧ୍ୟ ପହଞ୍ଚି ସାରିଛନ୍ତି।
ସୂଚନାଯୋଗ୍ୟ, ଆମେରିକା ଓ ଆୟର୍ଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ ବାତିଲ ହେବା ପରେ ଉଭୟ ଟିମ୍କୁ ୧-୧ ପଏଣ୍ଟ ମିଳିଛି। ଚଳିତ ଟୁର୍ଣ୍ଣାମେଣ୍ଟରେ ଆମେରିକାର ପଏଣ୍ଟ ୫ ହୋଇଥିବା ବେଳେ ପାକିସ୍ତାନକୁ ୩ ମିଳିଛି। ପାକିସ୍ତାନ ଟିମ୍ ଜୁନ୍ ୧୬ରେ ନିଜର ଶେଷ ମୁକାବିଲାରେ ଆୟର୍ଲାଣ୍ଡକୁ ଭେଟିବ। ଏହି ମ୍ୟାଚରେ ପାକିସ୍ତାନ ଜିତିଲେ ମଧ୍ୟ ସୁପର-୮ ଖେଳି ପାରିବ ନାହିଁ। କାରଣ ନିଜର ଶେଷ ଲିଗ୍ ମ୍ୟାଚ ଜିତିଲେ ପାକିସ୍ତାନର ପଏଣ୍ଟ ୪ ହେବ।