ଦୁବାଇ: ଆଜି ଏସିଆ କପ୍ ୨୦୨୫ର ଫାଇନାଲରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ । ଏସିଆ କପ୍ ଇତିହାସରେ ପ୍ରଥମ ଥର ଦୁଇ ଦଳ ଫାଇନାଲରେ ପରସ୍ପରର ମୁକାବିଲା କରିବେ । ୪୧ ବର୍ଷର ଏସିଆ କପର ଇତିହାସରେ ଏମିତି ଫାଇନାଲ୍ କେବେ ଦେଖିବାକୁ ମିଳି ନ ଥିଲା । ମାତ୍ର ଏଥର ଏମିତି ହେବାକୁ ଯାଉଛି । ଚଳିତ ଏସିଆ କପରେ ଭାରତ ଓ ପାକିସ୍ତାନ ଦୁଇ ଥର ମୁହାଁମୁହିଁ ହୋଇ ସାରିଛନ୍ତି ଏବଂ ପ୍ରତିଥର ଭାରତ ବିଜୟୀ ହୋଇଛି । ହେଲେ ଫାଇନାଲରେ ପାକିସ୍ତାନ ଦଳ ଘାତକ ହୋଇଯାଏ । ଏହା ଆମେ କହୁନୁ, ଏହା ରେକର୍ଡ କହୁଛି ।
ଭାରତ ଓ ପାକିସ୍ତାନ ଏହା ପୂର୍ବରୁ ୧୨ ଥର କୌଣସି ନା କୌଣସି ଟୁର୍ଣ୍ଣାମେଣ୍ଟ କିମ୍ବା କୌଣସି ନା କୌଣସି ସିରିଜର ଫାଇନାଲରେ ମୁହାଁମୁହିଁ ହୋଇଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ୧୨ରୁ ୮ ଥର ପାକିସ୍ତାନ ବିଜେତା ରହିଛି । ଆଉ ଭାରତକୁ ୪ ବିଜୟରେ ସନ୍ତୁଷ୍ଟ ହେବାକୁ ପଡିିଛି । ବହୁ ରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଭାରତ ଓ ପାକିସ୍ତାନ ୫ ଥର ପରସ୍ପରର ମୁକାବିଲା କରିଛନ୍ତି । ଏଥିରୁ ୩ ଥର ଭାରତ ଫାଇନାଲରେ ହାରିଛି । ତେବେ ଆଜିର ଫାଇନାଲରେ ଭାରତର ପଲ୍ଲା ଭାରି ରହିଛି ।
ଅତି କମରେ ୫ ଟିମକୁ ନେଇ ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ଭାରତ ଓ ପାକିସ୍ତାନ ଫାଇନାଲରେ ୫ ଥର ମୁହାଁମୁହିଁ ହୋଇଛନ୍ତି । ଭାରତ ବିଶ୍ୱ ଚାମ୍ପିଅନଶିପ ଅଫ କ୍ରିକେଟର ୧୯୮୫ର ଫାଇନାଲରେ ପାକିସ୍ତାନକୁ ହରାଇଥିଲା । ପାକିସ୍ତାନ ଏସିଆ କପ୍ ୧୯୮୬ ଓ ୧୯୯୪ରେ ବିଜୟୀ ହୋଇଥିଲା । ଭାରତ ୨୦୦୭ ଟି-୨୦ ବିଶ୍ୱକପ ଫାଇନାଲରେ ପାକିସ୍ତାନକୁ ହରାଇଥିବା ବେଳେ ଚାମ୍ପିଅନ୍ସ ଟ୍ରଫି ୨୦୧୭ରେ ପାକିସ୍ତାନ ଟିମ୍ ଇଣ୍ଡିଆକୁ ମାତ୍ ଦେଇଥିଲା ।
ଟିମ୍ ଇଣ୍ଡିଆ ଓ ପାକିସ୍ତାନ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଏ ପର୍ଯ୍ୟନ୍ତ ୧୫ ଥର ସାମ୍ନାସାମ୍ନି ହୋଇଛନ୍ତି । ଏଥିରୁ ୧୨ ଥର ଭାରତ ଜିତିଥିବା ବେଳେ ପାକିସ୍ତାନ ଜିତିଛି ମାତ୍ର ୩ଟି ମ୍ୟାଚ୍ । ଗତ ୫ଟି ଟି-୨୦ ମ୍ୟାଚରୁ ଭାରତ ୪ଟି ଜିତିଥିବା ବେଳେ ପାକିସ୍ତାନ ୨୦୨୨ ଏସିଆ କପର ସୁପର-୪ରେ ବିଜୟୀ ହୋଇଥିଲା । ତେଣୁ ଏସବୁ ରେକର୍ଡ ଦେଖିଲେ ଲାଗୁଛି ପାକିସ୍ତାନର ଲିଗରେ ପ୍ରଦର୍ଶନ ଯାହା ଥାଉ ନା କାହିଁକି ଫାଇନାଲରେ ଦଳ ଅଲଗା ସ୍ୱରୂପରେ ନଜର ଆସେ । ଭାରତକୁ ଏ ଦିଗ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ।
Also read: ଫଟୋସୁଟ୍ କରିବାକୁ ମନା କରିଦେଇଥିଲେ ସୂର୍ଯ୍ୟକୁମାର, କ୍ରୋଧିତ ହେଲେ ପାକିସ୍ତାନୀ ଅଧିନାୟକ