ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସ-୨୦୨୪ରେ ରୌପ୍ୟ ପଦକ ଜିତିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ତାରକା ଜାଭେଲିନ୍ ଫିଙ୍ଗାଳି ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଇତିହାସ ରଚିଥିବା ନୀରଜ ଚୋପ୍ରାଙ୍କୁ ପ୍ରଶଂସା କରି କହିଛନ୍ତି ଯେ ଉତ୍କର୍ଷତା ପ୍ରକାଶ ପାଇଛି। ନୀରଜ ଚୋପ୍ରା ଅଲିମ୍ପିକ୍ସରେ କ୍ରମାଗତ ପଦକ ଜିତିବାରେ ଭାରତର ପ୍ରଥମ ଟ୍ରାକ୍ ଆଣ୍ଡ ଫିଲ୍ଡ ଆଥଲେଟ୍ ହୋଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ନୀରଜ ଚୋପ୍ରାଙ୍କୁ ତାଙ୍କ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ପ୍ରଶଂସା କରିବା ସହ ଲେଖିଛନ୍ତି, ନୀରଜ ଚୋପ୍ରା ଜଣେ ଶ୍ରେଷ୍ଠ ବ୍ୟକ୍ତି। ସମୟ କ୍ରମେ ସେ ପୁଣି ନିଜର ମହାନତା ଦେଖାଇଛନ୍ତି। ସେ ପୁଣି ଥରେ ଅଲିମ୍ପିକ୍ସ ସଫଳତା ନେଇ ଫେରୁଥିବାରୁ ଭାରତ ବହୁତ ଖୁସି ଅନୁଭବ କରୁଛି। ରୌପ୍ୟ ପଦକ ଜିତିଥିବାରୁ ନୀରଜଙ୍କୁ ଅଭିନନ୍ଦନ ଜଣାଉଛି। ସେ ଭବିଷ୍ୟତର ଅଗଣିତ ଆଥଲେଟ୍ମାନଙ୍କୁ ସେମାନଙ୍କ ସ୍ୱପ୍ନ ପୂରଣ କରିବା ଏବଂ ଆମ ଦେଶକୁ ଗର୍ବିତ କରିବାକୁ ପ୍ରେରଣା ଦେବେ ।
ସୂଚନାଯୋଗ୍ୟ, ଜାଭେଲିନ୍ ଥ୍ରୋ ଇଭେଣ୍ଟର ଫାଇନାଲରେ ନୀରଜ ଚୋପ୍ରାଙ୍କୁ ମାତ୍ର ଗୋଟିଏ ଥ୍ରୋ ମିଳିଥିଲା। ଚୋପ୍ରା ମୋଟ ୬ଟି ଥ୍ରୋ କରିଥିବା ବେଳେ ସେଥିରୁ ୫ଟି ଫାଉଲ୍ ହୋଇଥିଲା। ଭାରତୀୟ ଆଥଲେଟଙ୍କ ଦ୍ବିତୀୟ ଥ୍ରୋ ସଠିକ୍ ଥିଲା, ଯାହା କି ତାଙ୍କ ସିଜନର ଶ୍ରେଷ୍ଠ ଥ୍ରୋ ମଧ୍ୟ ଥିଲା। ନୀରଜ ୮୯.୪୫ ମିଟର ଦୂରରେ ଜାଭେଲିନ ଫିଙ୍ଗିଥିଲେ। ତେବେ ପାକିସ୍ତାନର ଅର୍ଶଦ ନଦୀମଙ୍କ ଦ୍ବିତୀୟ ଥ୍ରୋ ୯୨.୯୭ ମିଟର ଦୂରତାରେ ଜାଭେଲିନ୍ ଫିଙ୍ଗି ପୂରା କାହାଣୀକୁ ବଦଳାଇ ଦେଇଥିଲା।
ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିଥିବା ନୀରଜ ଚୋପ୍ରା ଏବେ ଏକ ସ୍ୱତନ୍ତ୍ର କ୍ଲବରେ ସାମିଲ ହୋଇଛନ୍ତି। ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିବାରେ ନୀରଜ ଚୋପ୍ରା ଭାରତର ଚତୁର୍ଥ ଆଥଲେଟ୍ ହୋଇଛନ୍ତି। ଏହା ପୂର୍ବରୁ ସୁଶୀଲ କୁମାର, ପିଭି ସିନ୍ଧୁ ଓ ମନୁ ଭାକର ଅଲିମ୍ପିକ୍ସରେ ଦୁଇଟି ପଦକ ଜିତି ଚମତ୍କାର ପ୍ରଦର୍ଶନ କରିଛନ୍ତି।
ସୂଚନାଯୋଗ୍ୟ, ପ୍ୟାରିସ୍ ଅଲିମ୍ପିକ୍ସରେ ମନୁ ଭାକର ଦୁଇଟି ଯାକ ପଦକ ଜିତିଛନ୍ତି। ସେ ମହିଳା ୧୦ ମିଟର ଏୟାର ପିସ୍ତଲ ଏବଂ ପରେ ସରବଜୋତ ସିଂଙ୍କ ସହ ମିଶ୍ରିତ ଦଳଗତ ଇଭେଣ୍ଟରେ କାଂସ୍ୟ ପଦକ ହାସଲ କରିଛନ୍ତି।