ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଓପନର ତଥା ଭାଷ୍ୟକାର ଆକାଶ ଚୋପ୍ରୋ ବିରାଟ କୋହଲିଙ୍କୁ ନେଇ ବଡ ଟିପ୍ପଣୀ କରିଛନ୍ତି । ସେ କହିଛନ୍ତି ଯେ, ବିପକ୍ଷ ଦଳକୁ ଏବେ ଆଉ ଭୟ ଲାଗୁ ନାହିଁ ଯେ, ବିରାଟ କୋହଲି କ୍ରିଜରେ ଅଛନ୍ତି । ଗତ ଦୁଇଟି ସିରିଜରେ କୋହଲିଙ୍କ ପ୍ରଦର୍ଶନ ବହୁତ ଖରାପ ରହିଛି । ଚଳିତ ବର୍ଷ ବିରାଟ କୋହଲି ୧୨ ଇନିଂସରେ ମାତ୍ର ୨୨.୭୨ ହାରରେ ମୋଟ୍ ୨୫୦ ରନ କରିଛନ୍ତି । ଶତକ ତ ଛାଡି ଦିଅନ୍ତୁ ବିରାଟ ମାତ୍ର ଗୋଟିଏ ଅର୍ଦ୍ଧଶତକ ହାସଲ କରିଛନ୍ତି ।
ଆକାଶ ଚୋପ୍ରା ନିଜର ୟୁଟ୍ୟୁବ୍ ଚ୍ୟାନେଲରେ କହିଛନ୍ତି, କୋହଲି ୧୦ ଇନିଂସରୁ ମାତ୍ର ଗୋଟିଏ ଅର୍ଦ୍ଧଶତକ ହାସଲ କରିବାକୁ ସକ୍ଷମ ହୋଇଛନ୍ତି । ଯଦି ଆପଣ କୋହଲିଙ୍କ ପୂରା କ୍ୟାରିୟରକୁ ଦେଖିବେ ତେବେ ସେ ଦଳ ପାଇଁ ବହୁତ କିଛି କରିଛନ୍ତି । ତେବେ ବାସ୍ତବରେ ତାଙ୍କର ୨୦୨୪ ପୂରା ବର୍ଷକୁ ଦେଖି କି ପ୍ରଦର୍ଶନ ମୂଲ୍ୟାଙ୍କନ କରି ପାରିବେ । ସେ ଇଂଲଣ୍ଡ ବିପକ୍ଷ ସିରିଜ୍ ବି ଖେଳି ନାହାନ୍ତି । ଏହା ବହୁତ ବଡ ତ୍ରୁଟି ଥିଲା । ଗତ ପାଞ୍ଚ ବର୍ଷ ବିରାଟଙ୍କ ପ୍ରଦର୍ଶନ ସକରାତ୍ମକ ରହିନାହିଁ । ଆଉ ଗତ ୧୦ ପାଳି ଦେଖିଲେ କୋହଲି ବହୁତ ନିରାଶ କରିଛନ୍ତି । ଏବେ ଲାଗୁଛି ତାଙ୍କୁ ଆଉ କୌଣସି ବୋଲର ଭୟ କରୁ ନାହାନ୍ତି । ଯେ କୌଣସି ବୋଲର ଆସି କୋହଲିଙ୍କୁ ଆଉଟ୍ କରିବାକୁ ସହଜ ମନେ କରୁଛନ୍ତି ।
ନ୍ୟୁଜିଲାଣ୍ଡ ବିପକ୍ଷ ନିକଟରେ ସଂପନ୍ନ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ବିରାଟ କୋହଲିଙ୍କ ବ୍ୟାଟିଂ ହାର ୧୫.୫୦ ରହିଛି । ୬ଟି ଇନିଂସରେ ସେ ମାତ୍ର ୯୩ ରନ କରିଛନ୍ତି । ଏଥିରେ ଗୋଟିଏ ଇନିଂସରେ ସେ ୭୦ ରନ କରିଥିଲେ । ଏଥିରୁ ଲାଗୁଛି ବିରାଟ କୋହଲିଙ୍କୁ ବିନା କୌନସି ସମସ୍ୟାରେ ବୋଲର ଆଉଟ୍ କରି ପାରୁଛନ୍ତି ।