ନୂଆଦିଲ୍ଲୀ, ମେ ୨୦ (ଖବର ଓଡ଼ିଶା): ୱାର୍ଲ୍ଡ ବକ୍ସିଂ ଚାମ୍ପିଅନ୍ଶିପରେ ଭାରତର ନିକହତ ଜରୀନ ଇତିହାସ ରଚିଛନ୍ତି । ସେ ଗୁରୁବାର ହୋଇଥିବା ଫାଇନାଲ ମୁକାବିଲାରେ ୫୨କିଗ୍ରା ବର୍ଗରେ ସ୍ୱର୍ଣ୍ଣପଦକ ଜିତିଛନ୍ତି । ଥାଇଲାଣ୍ଡର ଜଟପଙ୍ଗ ଜୁଟାମସଙ୍କୁ ସେ ୫-୦ରେ ପରାସ୍ତ କରି ଭାରତର ଗୌରବ ବଢ଼ାଇଛନ୍ତି ନିକହତ ।
ପୂରା ଫାଇଟ୍ରେ ନିକହତଙ୍କ ଦବଦବା ଦେଖିବାକୁ ମିଳିଥିଲା । ସେ ଯେତେବେଳେ ବିରୋଧୀ ବକ୍ସରଙ୍କୁ ଡାହାଣ ହାତର ବାଉଟରେ ମାରୁଥିଲେ, ଦର୍ଶକ ମଜା ନେଉଥିଲେ । ନିକହତ ପୂରା ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରିଥିଲେ । ପ୍ରଥମେ ସେ ସେମିଫାଇନାଲରେ ୫-୦ରେ ଜିତିଥିଲେ ।
ନିକହତଙ୍କ ପ୍ରଦର୍ଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସି ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ବକ୍ସର ନିକହତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟୁଇଟ୍ କରି କହିଛନ୍ତି ଯେ, ଆମର ବକ୍ସର ଆମ ପାଇଁ ଗୌରବ ଆଣିଛନ୍ତି । ସ୍ୱର୍ଣ୍ଣପଦକ ପାଇଁ ଅଭିନନ୍ଦନ ନିକହତ ଜରୀନ । ପ୍ରଧାନମନ୍ତ୍ରୀ ମନୀଷା ମୌନ ଓ ପ୍ରବୀନ ହୁଡାଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।
ତେଲେଙ୍ଗାନାର ନିଜମାବାଦର ମହିଳା ବକ୍ସର ନିକହତ ଜରୀନ ହେଉଛନ୍ତି ୫ମ ବକ୍ସର ଯିଏକି ୱାର୍ଲ୍ଡ ବକ୍ସିଂ ଚାମ୍ପିଅନଶିପରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଆଣିଛନ୍ତି । ମେରିକମ ୨୦୦୨, ୨୦୦୫, ୨୦୦୬, ୨୦୦୮, ୨୦୧୦ ଓ ୨୦୧୮ରେ ସ୍ୱର୍ଣ୍ଣ ପଦକ ଆଣିଥିଲେ । ସେହିପରି ୨୦୦୬ରେ ସରିତା ଦେବୀ, ଜେନ୍ନୀ ଆରଏଲ ଓ ଲେଖା କେସି ସ୍ୱର୍ଣ୍ଣପଦକ ଆଣିଥିଲେ ।