ଓଭାଲ: ଟି-୨୦ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚରେ ମଙ୍ଗଳବାର ନ୍ୟୁଜିଲାଣ୍ଡ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଛି। ଏହା ପାକିସ୍ତାନର କ୍ରମାଗତ ଦ୍ବିତୀୟ ପରାଜୟ। ସିରିଜର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ମଧ୍ୟ ସେମାନଙ୍କୁ ପରାସ୍ତ କରିଥିଲା। ୪୫ ରନ୍ର ବିସ୍ଫୋରକ ଇନିଂସ ପାଇଁ ଟିମ୍ ସେଇଫର୍ଟ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଶାହିନ ଆଫ୍ରିଦିଙ୍କ ଗୋଟିଏ ଓଭରରେ ସେଫର୍ଟ ୪ଟି ଛକା ମାରିଥିଲେ। ତାଙ୍କ ସହ ଫିନ୍ ଆଲେନ୍ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ।
ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ନ୍ୟୁଜିଲାଣ୍ଡକୁ ୧୩୬ ରନର ଟାର୍ଗେଟ ଦେଇଥିଲା। ଜବାବରେ ନ୍ୟୁଜିଲାଣ୍ଡ ୧୩.୧ ଓଭରରେ ମ୍ୟାଚ୍ ଜିତି ନେଇଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ୍ ସେଇଫର୍ଟ ଓ ଫିନ୍ ଆଲେନ୍ ଇନିଂସ୍ ଆରମ୍ଭ କରିଥିଲେ। ସେଇଫର୍ଟ ୨୨ ବଲ୍ ରୁ ୫ ଛକା ଓ ୩ ଚୌକା ସହ ୪୫ ରନ୍ କରିଥିଲେ। ଆଲେନ୍ ୧୬ ବଲ୍ରୁ ୩୮ ରନ୍ କରିବା ସହ ୫ଟି ଛକା ମାରିଥିଲେ।
ନ୍ୟୁଜିଲାଣ୍ଡ ଖେଳାଳି ମାର୍କ ଚାପମ୍ୟାନ୍ ୧ ରନ୍ କରି ଆଉଟ୍ ହୋଇଥିଲେ। ଡାରିଲ୍ ମିଚେଲ୍ ୧୪ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଜେମ୍ସ ନିଶାମ ମଧ୍ୟ ମାତ୍ର ୫ ରନ୍ କରି ଆଉଟ୍ ହୋଇଥିଲେ। ମିଚେଲ୍ ହେ ୨୧ ରନ୍ ର ଅପରାଜିତ ଇନିଂସ୍ ଖେଳି ୧ ଚୌକା ଓ ୧ ଛକା ସହ ୧୬ ବଲ୍ ର ସମ୍ମୁଖୀନ ହୋଇଥିଲେ। ଅଧିନାୟକ ବ୍ରେସୱେଲ୍ ୫ ରନ୍ କରି ଅପରାଜିତ ରହିଥିଲେ।
ପାକିସ୍ତାନ ପକ୍ଷରୁ ବୋଲିଂ କରି ହାରିସ ରଉଫ୍ ୨ଟି ୱିକେଟ୍ ନେଇଥିଲେ। ମହମ୍ମଦ ଅଲ୍ଲୀ ଓ ଖୁଶଦିଲ ଶାହ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଦଳ ପକ୍ଷରୁ ସଲମାନ ଆଗା ୨୮ ବଲ୍ ରୁ ୪ ଚୌକା ଓ ୩ ଛକା ସହ ୪୬ ରନ୍ କରିଥିଲେ। ଶାଦାବ ଖାନ୍ ୧୪ ବଲ୍ରୁ ୨ ଚୌକା ଓ ୨ ଛକା ମାରି ୨୬ ରନ୍ କରିଥିଲେ। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ପାକିସ୍ତାନର ଏହା କ୍ରମାଗତ ଦ୍ବିତୀୟ ପରାଜୟ। ସିରିଜର ତୃତୀୟ ମ୍ୟାଚ୍ ମାର୍ଚ୍ଚ ୨୧ରେ ଅକଲାଣ୍ଡରେ ଖେଳାଯିବ।
ଅଧିକ ପଢ଼ନ୍ତୁ: ପୃଥିବୀ ଅଭିମୁଖେ ସୁନୀତା: ସହକର୍ମୀଙ୍କୁ କଲେ ଆଲିଙ୍ଗନ