ଖବର ଓଡିଶା : 29/01/2023
ଆଜି ବିଶ୍ୱକପ୍ ହକିର ଗ୍ରାଣ୍ଡ୍ ଫାଇନାଲ୍ ମ୍ୟାଚ୍। ବିଶ୍ୱକପ୍ ହକିରେ ଆଜି ସୁପର ଶୋ'। ତେବେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ ହକି ବିଶ୍ୱକପ ଫାଇନାଲ । ସଂଧ୍ୟା ୭ଟାରେ ଖେଳାଯିବାକୁ ଥିବା ଫାଇନାଲ୍ରେ ଦୁଇ ୟୁରୋପୀୟ ଶକ୍ତି ବେଲଜିୟମ୍ ଏବଂ ଜର୍ମାନି ମଧ୍ୟରେ ଟ୍ରଫି ପାଇଁ ଲଢ଼େଇ ହେବ। ଗତ ବିଶ୍ବକପ ଚାମ୍ପିଅନ ବେଲଜିୟମ ପୁଣି ଥରେ ବିଶ୍ବ ବିଜୟୀ ହେବାକୁ ପ୍ରସ୍ତୁତ ଥିବା ବେଳେ ଜର୍ମାନୀ ମଧ୍ୟ କଡା ଟକ୍କର ଦେବାକୁ ତୟାର । ପ୍ରତି ମ୍ୟାଚରେ ସଂଘର୍ଷ କରି ଫାଇନାଲ ଟିକେଟ୍ ହାତେଇ ଥିବା ଜର୍ମାନୀ ବେଲଜିୟମକୁ ମାତ ଦେଇ ବିଶ୍ବ ବିଜୟୀ ହେବାକୁ ଯୋଜନା ପ୍ରସ୍ତୁତ କରିଛି । ଏହି ମ୍ୟାଚ୍ ପୂର୍ବରୁ ତୃତୀୟ ସ୍ଥାନ ଓ କାଂସ୍ୟ ପଦକ ପାଇଁ ଦୁଇ ପରାଜିତ ସେମିଫାଇନାଲିଷ୍ଟ ଦଳ ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ ମଧ୍ୟରେ ଅପରାହ୍ଣ ୪.୩୦ରେ ଲଢ଼େଇ ହେବ। ୨୦୧୮ ବିଶ୍ୱକପରେ ନେଦରଲାଣ୍ଡସକୁ ହରାଇ ପଥମ ଥର ପାଇଁ ଚମ୍ପିୟନ ହୋଇଥିଲା ବେଲଜିୟମ । ଏହା ପରେ ବେଲଜିୟମ ଅଲମ୍ପିକରେ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା । ଯଦି ଆଜି ଫାଇନାଲ ମ୍ୟାଚ ବେଲଜିୟମ ଜିତେ ତେବେ ବିଶ୍ୱର ଚତୁର୍ଥ ଦଳ ଭାବେ ଲଗାତାର ଟ୍ରଫି ଜିତିବାର ରେକର୍ଡ ବେଲଜିୟମ ନାଁରେ ରହିବ । ଅନ୍ୟପଟେ ୨୦୦୨ ଓ ୨୦୦୬ର ବିଶ୍ୱ ଚାମ୍ପିଅନ୍ ଜର୍ମାନୀ ୨୦୧୦ରେ ରନରଅପ୍ରେ ସନ୍ତୁଷ୍ଟ ଥିଲା। ଏବେ ୧୨ ବର୍ଷ ପରେ ପୁଣି ଥରେ ଫାଇନାଲ ଖେଳିବ ଜର୍ମାନୀ। ଗତ ଶୁକ୍ରବାର ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଦୁଇଟି ସେମିଫାଇନାଲ୍ ମଧ୍ୟରୁ ପ୍ରଥମ ମ୍ୟାଚରେ ଜର୍ମାନୀ ୪-୩ ଗୋଲରେ ଅଷ୍ଟ୍ରେଲିଆକୁ ହରାଇଥିବା ବେଳେ ଦ୍ବିତୀୟ ମ୍ୟାଚରେ ବେଲଜିୟମ୍ ୩-୨ ଗୋଲରେ ନେଦରଲାଣ୍ଡସକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା ।