କୋଲକାତା: ନାଁ ମୁକୁଲ ଚୌଧୁରୀ । ଗତକାଲି ପର୍ଯ୍ୟନ୍ତ କ୍ରିକେଟ୍ ଜଗତରେ ଅପରିଚିତ ନ ଥିବା ନାଁ ଆଜି ଚର୍ଚ୍ଚାର ବିଷୟ ପାଲଟିଛି । ଏକାକୀ ନିଜ ଦମରେ କୋଲକାତା ନାଇଟ୍ ରାଇଡର୍ସ ମୁହଁରୁ ବିଜୟ ଛଡାଇ ଆଣିଛନ୍ତି । ତାଙ୍କର ଚିତ୍ତାକର୍ଷକ ଓ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଲଖନଉ ସୁପର ଜାଏଣ୍ଟସ ହାରିବା ମ୍ୟାଚକୁ ଜିତି ନେଇଛି । ଏଥିସହ କୋଲକାତାର ଚଳିତ ସିଜିନରେ ପରାଜୟର ଧାରା ଜାରି ରହିଛି । ତୃତୀୟ ମ୍ୟାଚରୁ ଦ୍ୱିତୀୟ ବିଜୟ ସହ ଏଲଏସଜି ପଞ୍ଚମକୁ ଉଠିଥିବା ବେଳେ କୋଲକାତା ଚତୁର୍ଥ ମ୍ୟାଚରୁ ତୃତୀୟ ପରାଜୟ ଭୋଗିଛି । ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ୪ ୱିକେଟ୍ ହରାଇ ୧୮୧ ରନର ଲଢୁଆ ସ୍କୋର କରିଥିଲା । ହେଲେ ମୁକୁଲ ଚୌଧୁରୀ ୨୭ ବଲରୁ ୫୪ ରନର ଇନିଂସ ଖେଳି ଦଳକୁ ଅବିଶ୍ୱସନୀୟ ବିଜୟ ଦେଇଛନ୍ତି । ତାଙ୍କର ଏହି ଇନିଂସରେ ୭ ଛକା ସାମିଲ୍ ।
ଶେଷ ୪ ଓଭରରେ ବାଜି ପଲଟାଇଲେ ମୁକୁଲ
ଲଖନଉ ସୁପର ଜାଏଣ୍ଟଓର ଇନିଂସରେ ୧୬ତମ ପର୍ଯ୍ୟନ୍ତ କୋଲକାତାର ବିଜୟ ସୁନିଶ୍ଚିତ ଲାଗୁଥିଲା । କିଏ ଭାବିଥିଲା ୨୧ ବର୍ଷର ମୁକୁଲ ଚୌଧୁରୀ ବିସ୍ଫୋରକ ବ୍ୟାଟିଂ କରି ପୂରା ମ୍ୟାଚର ଦିଗକୁ ବଦଳାଇ ଦେବେ । ୧୬ତମ ଓଭ ପର୍ଯ୍ୟନ୍ତ ଲଖନଉର ସ୍କୋର ୧୨୮-୭ ଥିଲା । ୪ ଓଭରରେ ଏଲଏସଜିକୁ ଜିତିବା ପାଇଁ ଦରକାର ଥିଲା ୫୪ ରନ । ୧୭ତମ ଓଭର ପର୍ଯ୍ୟନ୍ତ କୋଲକାତାର ବିଜୟ ସମ୍ଭାବନା ପ୍ରବଳ ଥିଲା ।
ମ୍ୟାଚର ଗତି ବଦଳିଲା ୧୮ତମ ଓଭରରେ ଯେବେ କାର୍ତ୍ତିକ ତ୍ୟାଗୀଙ୍କ ଓଭରରେ ମୁକୁଲ ଚୌଧୁରୀ ୨ ଛକା ମାରିଲେ । ଉକ୍ତ ଓଭରରେ ମୋଟ୍ ୧୩ ରନ ଆସିଥିଲା । ମୁକାବିଲା ରୋମାଞ୍ଚକର ମୋଡକୁ ଚାଲି ଆସିଥିଲା । । ଶେଷ ଦୁଇ ଓଭରରେ ଏଲଏସଜିକୁ ୩୦ ରନ ଆବଶ୍ୟକ ଥିଲା । ୧୯ତମ ଓଭରରେ କ୍ୟାମେରୁନ ଗ୍ରୀନ ୧୬ ରନ ଦେଇଥିଲେ । ବିଶେଷ କରି ଗ୍ରୀନଙ୍କ ଶେଷ ବଲରେ ମୁକୁଲ ଯେଉଁ ଛକା ମାରିଲେ ତାହା ଲଖନଉ ପାଇଁ ବିଜୟର ଦ୍ୱାର ଦେଶ ଖୋଲି ଦେଇଥିଲା ।
ଅନ୍ତିମ ଓଭରରେ ଲଖନଉକୁ ଜିତିବା ପାଇଁ ଦରକାର ଥିଲା ୧୪ ରନ । ପ୍ରଥମ ବଲରେ ଅଭେସ ଖାନ ଏକ ରନ ଦେଇ ମୁକୁଲଙ୍କୁ ସହଯୋଗ କରିଥିଲେ । ବୈଭବ ଅରୋରଙ୍କ ଦ୍ୱିତୀୟ ବଲରେ ଛକା ମାରିଥିଲେ ମୁକୁଲ । ହେଲେ ତୃତୀୟ ଓ ଚତୁର୍ଥ ବଲ ଡଟ୍ ରହିଥିଲା । କିଛି କ୍ଷଣ ପାଇଁ କେକେଆର ଶିବିରରେ ବିଜୟର ଆଶା ଜାଗି ଉଠିଥିଲା । ହେଲେ ପଞ୍ଚମ ବଲକୁ ଛକା ମାରି ମୁକୁଲ ଚୌଧୁରୀ କେକେଆରର ପ୍ରଥମ ବିଜୟ ସ୍ୱପ୍ନକୁ ଚୂରମାର କରିଥିଲେ । ଆଉ ଶେଷ ବଲରେ ମୁକୁଲ ସଟ୍ ଖେଳି ପାରି ନ ଥିଲେ ଏବଂ ବଲ ୱିକେଟ କିପରଙ୍କ ହାତକୁ ଯାଇଥିଲା । କିନ୍ତୁ ଅଙ୍ଗକୃଷ ରଘୁବଂଶୀ ବଲକୁ ଷ୍ଟମ୍ପରେ ବଜାଇ ପାରି ନ ଥିଲେ । ଆଉ ଶେଷରେ ରୋମାଞ୍ଚକର ମୁକାବିଲାକୁ ଜିତି ନେଇଥିଲା ଲଖନଉ ।
ଏହା ପୂର୍ବରୁ କୋଲକାତା ପାଇଁ ଅଧିନାୟକ ଆଜିଙ୍କ୍ୟ ରାହାଣେ ୪୧ ରନ କରିଥିଲେ । ତାଙ୍କ ବ୍ୟତୀତ ଅଙ୍ଗକୃଷ ରଘୁବଂଶି ୪୫ ରନ କରିଥିବା ବେଳେ କ୍ୟାମେରୁନଙ୍କ ୩୨ ରନ ଓ ରୋଭମ୍ୟାନ ପାୱେଲଙ୍କ ୩୯ ରନ ବଳରେ କୋଲକାତା ୧୮୧ ରନ କରି ଥିଲା । ଏଲଏସଜି ପକ୍ଷରୁ ମୁକୁଲ ଚୌଧୁରୀଙ୍କ ବ୍ୟତୀତ ଆୟୁଷ ବାଦୋନି ୫୪ ରନର ଉପଯୋଗୀ ଇନିଂସ ଖେଳିଥିଲେ ।