ଲର୍ଡ୍ସ: କ୍ରିକେଟର ମକ୍କା ଲର୍ଡ୍ସ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳା ଯାଉଥିବା ଭାରତ ବନାମ ଇଂଲଣ୍ଡ ତୃତୀୟ ଟେଷ୍ଟ ରୋମାଞ୍ଚକର ମୋଡରେ ପହଞ୍ଚି ଯାଇଛି । ପ୍ରତିଟି ରନ ପାଇଁ ଏବେ ଦୁଇ ଦଳ ମଧ୍ୟରେ କଡା ସଂଘର୍ଷ ଦେଖିବାକୁ ମିଳିବ । ଚତୁର୍ଥ ଦିନର ଖେଳ ବେଶ ନାଟକୀୟ ମୋଡ ନେଇ ସରିଛି । ପ୍ରଥମେ ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ୧୯୨ ରନରେ ଅଲଆଉଟ୍ ହେବା ପରେ ଜବାବରେ ଭାରତ ୫୮ ରନରେ ୪ ୱିକେଟ୍ ହରାଇ ସାରିଛି । ଶେଷ ଦିନରେ ଖେଳ ରୋମାଞ୍ଚକର ମୋଡରେ ପହଞ୍ଚି ସାରିଛି । ଉଭୟ ଇଂଲଣ୍ଡ ଓ ଭାରତ ପାଖରେ ବିଜୟର ସୁଯୋଗ ରହିଛି । ଇଂଲଣ୍ଡକୁ ମ୍ୟାଚ୍ ଜିତିବା ପାଇଁ ୬ ୱିକେଟ୍ ଦରକାର ଥିବା ବେଳେ ଭାରତକୁ ଆବଶ୍ୟକ ୧୩୫ ରନ । କେଏଲ ରାହୁଲ ୩୩ ରନ କରି ଅପରାଜିତ ଅଛନ୍ତି । ଶେଷ ଦିନରେ ଭାରତର ବିଜୟ କେଏଲ ରାହୁଲ, ଋଷଭ ପନ୍ତ, ରବୀନ୍ଦ୍ର ଜାଡେଜା, ନୀତଶ ରେଡ୍ଡୀ ଓ ୱାଶିଂଟନ ସୁନ୍ଦରଙ୍କ ଉପରେ ନିର୍ଭର କରେ ।
ଆଜି ଚତୁର୍ଥ ଦିନରେ ଇଂଲଣ୍ଡ ବ୍ୟାଟିଂ ଆରମ୍ଭ କରିଥିଲା । ତେବେ ଭାରତୀୟ ବୋଲର ଶାଣିତ ବୋଲିଂ କରି ଇଂଲଣ୍ଡ ବ୍ୟାଟରଙ୍କୁ କ୍ରିଜରେ ତିଷ୍ଠିବାକୁ ଦେଇ ନ ଥିଲେ । ବେନ ଡକେଟ୍(୧୨) ଏବଂ ଓଲି ପୋପ(୪)ଙ୍କୁ ଆଉଟ୍ କରି ମହମ୍ମଦ ସିରାଜ ଭାରତକୁ ଦୁଇଟି ସଫଳତା ଦେଇଥିଲେ । ଏହା ପରେ ଜ୍ୟାକ କ୍ରାଉଲି ୨୨ ତନ କରି ନୀତିଶ ରେଡ୍ଡୀଙ୍କ ଶିକାର ହୋଇଥିଲେ । ଦ୍ରୁତ ବ୍ୟାଟିଂ କରି ୨୩ ରନ କରିଥିବା ହ୍ୟାରି ବ୍ରୁକ ଆକାଶ ଦୀପଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଥିଲେ ।
୮୭ ରନରେ ୪ ୱିକେଟ୍ ହରାଇ ସଙ୍କଟରେ ଥିବା ଇଂଲଣ୍ଡର ଇନିଂସକୁ କିଛି ସମୟ ପାଇଁ ସମ୍ଭାଳିଥିଲେ ଅନୁଭବୀ ଜୋ ରୁଟ୍ ଓ ଅଧିନାୟକ ବେନ ଷ୍ଟୋକ୍ସ । ଦୁଇ ବ୍ୟାଟର ବେଶ ସତର୍କତାର ସହ ବ୍ୟାଟିଂ କରି ୫ମ ୱିକେଟ୍ ପାଇଁ ୬୭ ରନ ଯୋଡିଥିଲେ । ତେବେ ଜୋର ରୁଟଙ୍କୁ କ୍ଲିନ ବୋଲ୍ଡ କରି ୱାଶିଂଟନ ସୁନ୍ଦର ଭାରତକୁ ବଡ ସଫଳତା ଦେଇଥିଲେ । ଏହା ପରେ ୱାଶିଂଟନ ସୁନ୍ଦରଙ୍କ ଶାଣିତ ବୋଲିଂର ମୁକାବିଲା କରି ପାରି ନ ଥିଲା ଇଂଲଣ୍ଡ । ଜେମି ସ୍ମିଥ ୮ ରନ କରି ସୁନ୍ଦରଙ୍କ ଶିକାର ହୋଇଥିଲେ ।
ତେବେ କ୍ରିଜରେ ଜମି ଆସିଥିବା ଅଧିନାୟକ ବେନ ଷ୍ଟୋକ୍ସ ୩୩ ରନ କରି ସୁନ୍ଦର ଶିକାର ହୋଇଥିଲେ । ବ୍ରାଇଡନ କାର୍ସ ଓ କ୍ରିସ ୱକ୍ସଙ୍କୁ କ୍ଲିନବୋଲ୍ଡ କରି ବୁମରା ଭାରତକୁ ଦୁଇଟି ସଫଳତା ଦେଇଥିଲେ । ଶୋଏବ ବସିରଙ୍କୁ ବୋଲ୍ଡ କରି ୱାଶିଂଟନ ସୁନ୍ଦର ଇଂଲଣ୍ଡ ଇନିଂସକୁ ୧୯୨ ରନରେ ଅନ୍ତ ଘଟାଇଥିଲେ । ଭାରତ ପକ୍ଷରୁ ୱାଶିଂଟନ ସୁନ୍ଦର ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ ।
ଆଶା କରାଯାଉଥିଲା ଭାରତ ସହଜରେ ବିଜୟ ଲକ୍ଷ୍ୟ ହାସଲ କରିନେବ । ତେବେ ଭାରତ ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ୫୮ ରନ କରି ୪ ୱିକେଟ୍ ହରାଇ ସାରିଛି । ଜୟସ୍ୱାଲ ଖାତା ଖୋଲି ପାରି ନ ଥିବା ବେଲେ କରୁଣ ନାୟର ପୁଣି ନିରାଶ କରି ୧୪ ରନ କରି ଆଉଟ୍ ହୋଇଛନ୍ତି । ଅଧିନାୟକ ଗିଲ୍(୬ ରନ) ଆଉଟ୍ ହେବା ଭାରତକୁ ବଡ ଝଟକା ଦେଇଛି । ନାଇଟ୍ ୱାଚମ୍ୟାନ ଆକାଶ ଦୀପ ଆଉଟ୍ ହେବା ସହ ଚତୁର୍ଥ ଦିନର ଖେଳର ସମାପ୍ତି ଘଟିଥିଲା । କ୍ରିଜରେ କେଏଲ ରାହୁଲ ୩୩ ରନ କରି ଅପରାଜିତ ଅଛନ୍ତି । ଏହା ପୂର୍ବରୁ ଇଂଲଣ୍ଡ ଓ ଭାରତର ପ୍ରଥମ ଇନିଂସ ସ୍କୋର ୩୮୭ ରନ ବରାବର ରହିଥିଲା ।