କଟକ: କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ପରାସ୍ତ କରିଛି। ଟିମ୍ ଇଣ୍ଡିଆର ବିଜୟରେ ବୋଲରମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଭାରତୀୟ ବୋଲରଙ୍କ ଆଗରେ ଆଫ୍ରିକୀୟ ବ୍ୟାଟର ଆତ୍ମସମର୍ପଣ କରିଛନ୍ତି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମରା ଚମତ୍କାର ବୋଲିଂ କରି ଦୁଇଟି ୱିକେଟ୍ ନେଇ ନିଜ ନାମରେ ଏକ ସ୍ୱତନ୍ତ୍ର ରେକର୍ଡ କରିଛନ୍ତି। ଏହି ସମୟରେ ସେ ଟି-୨୦ ଆନ୍ତର୍ଜାତୀୟରେ ୧୦୦ ୱିକେଟ୍ ପୂରଣ କରିଛନ୍ତି। ସେ ଟି-୨୦ରେ ୧୦୦ କିମ୍ବା ତା’ଠାରୁ ଅଧିକ ୱିକେଟ୍ ନେଇଥିବା ଭାରତର ଦ୍ୱିତୀୟ ବୋଲର ହୋଇଛନ୍ତି।
ଯଶପ୍ରୀତ ବୁମରା ନିଜ ନାମରେ ଆଉ ଏକ ରେକର୍ଡ ଯୋଡିଛନ୍ତି। ସେ ବର୍ତ୍ତମାନ ତିନୋଟି ଫର୍ମାଟରେ ୧୦୦ କିମ୍ବା ତା'ଠାରୁ ଅଧିକ ୱିକେଟ୍ ନେଇଥିବା ପ୍ରଥମ ଭାରତୀୟ ବୋଲର ହୋଇଛନ୍ତି। ଅନ୍ୟ କୌଣସି ଭାରତୀୟ ଏ ପର୍ଯ୍ୟନ୍ତ ଏହି ସଫଳତା ପାଇନାହାନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟରେ ଏହି ସଫଳତା ହାସଲ କରିଥିବା ପଞ୍ଚମ ବୋଲର ମଧ୍ୟ ହୋଇଥିଲେ। ତାଙ୍କ ପୂର୍ବରୁ ଲସିଥ ମାଲିଙ୍ଗା, ଟିମ୍ ସାଉଦି, ସାକିବ ଅଲ୍ ହାସନ ଏବଂ ଶାହିନ ଶାହ ଆଫ୍ରିଦି ଏହି ସଫଳତା ହାସଲ କରିଥିଲେ।
ସମସ୍ତ ଫର୍ମାଟରେ ୧୦୦ ୱିକେଟ୍ ନେଇଥିବା ବୋଲର
ଲସିଥ ମାଲିଙ୍ଗା (ଶ୍ରୀଲଙ୍କା)
ଟିମ୍ ସାଉଦି (ନ୍ୟୁଜିଲ୍ୟାଣ୍ଡ)
ସାକିବ ଅଲ୍ ହାସନ (ବାଂଲାଦେଶ)
ସାହିନ ଆଫ୍ରିଦି (ପାକିସ୍ତାନ)
ଯଶପ୍ରୀତ ବୁମରା (ଭାରତ)
ବୁମରା ଟେଷ୍ଟରେ ୨୩୪ ଏବଂ ଦିନିକିଆରେ ୧୪୯ ୱିକେଟ୍ ନେଇଛନ୍ତି। ପୂର୍ବରୁ କ୍ରିକେଟର ତିନୋଟି ଫର୍ମାଟରେ ୧୦୦+ ୱିକେଟ୍ ନେଇଥିବା ବୋଲରଙ୍କ ତାଲିକାରେ ଚାରି ଜଣ ଖେଳାଳି ଥିଲେ। ଏବେ ବୁମରାଙ୍କ ନାମ ସେହି ତାଲିକାରେ ସାମିଲ ହୋଇଛି। ପ୍ରଥମ ଟି-୨୦ ମ୍ୟାଚ୍ରେ ବୁମରା ୩ ଓଭରରେ ୧୭ ରନ୍ ଦେଇ ୨ ୱିକେଟ୍ ନେଇଥିଲେ। ଏବେ ସେ ବାକି ମ୍ୟାଚ୍ଗୁଡ଼ିକରେ ଏହି ପ୍ରଦର୍ଶନ ବଜାୟ ରଖିବାକୁ ଚେଷ୍ଟା କରିବେ।
ପ୍ରଥମ ଟି-୨୦ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ୨୦ ଓଭରରେ ୬ ୱିକେଟ୍ ହରାଇ ୧୭୫ ରନ୍ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୧୨.୩ ଓଭରରେ ୭୪ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଏହି ବଡ଼ ବିଜୟ ସହିତ ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ରେ ୧-୦ର ଅଗ୍ରଣୀ ହାସଲ କରିଛି। ଟିମ୍ ଇଣ୍ଡିଆ ପୂର୍ବ ଦିନିକିଆ ସିରିଜ୍କୁ ମଧ୍ୟ ୨-୧ରେ ଜିତିଥିଲା।
Also read: ବାରବାଟୀରେ ଛକାର 'ଶତକ' ପୂରା କରିଲେ ପାଣ୍ଡ୍ୟା, ପୋଲାର୍ଡ-ରାହୁଲଙ୍କୁ ପଛରେ ପକାଇଲେ