କଟକ: କଟକରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଧମାଲ । ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ରେ ହାର୍ଦ୍ଦିକ ପାଣ୍ଡ୍ୟା ୫୯ ରନର ଏକ ଧମାକାଦାର ଇନିଂସ ଖେଳିଛନ୍ତି । ଏଥିରେ ୪ଟି ଛକା ସାମିଲ। ଏହା ସହିତ ସେ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚରେ ୧୦୦ ଛକା ପୂରଣ କରିଥିଲେ,ପାଣ୍ଡ୍ୟା । ଏପରି କରିବାରେ ଚତୁର୍ଥ ଭାରତୀୟ ବ୍ୟାଟର ହେବାର ଉପଲବ୍ଧି ହାସଲ କରିଛନ୍ତି ତାରକା ଅଲରାଉଣ୍ଡର । ହାର୍ଦ୍ଦିକଙ୍କ ଚମତ୍କାର ଇନିଂସ ଟିମ୍ ଇଣ୍ଡିଆକୁ ଖରାପ ଆରମ୍ଭ ସତ୍ତ୍ୱେ ୧୭୫ ରନର ବିଶାଳ ସ୍କୋରରେ ପହଞ୍ଚାଇବାରେ ସାହାଯ୍ୟ କରିଥିଲା।
ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟିଂ କରିବାକୁ ଆସିବା ବେଳେ ଭାରତ ଏକ କଷ୍ଟକର ପରିସ୍ଥିତିରେ ଥିଲା, ଅଭିଷେକ ଶର୍ମା (୧୭), ଶୁଭମନ ଗିଲ (୪), ଏବଂ ସୂର୍ୟ୍ୟକୁମାର ଯାଦବ (୧୨) ସମସ୍ତେ ଶସ୍ତାରେ ଆଉଟ ହୋଇଥିଲେ। ପୁଣି ତିଲକ ବର୍ମା ୧୨ତମ ଓଭରରେ ଆଉଟ୍ ହୋଇଥିଲେ । ସେତେବେଳେ ଭାରତର ସ୍କୋର ୭୮ ଥିଲା। ଏହା ପରେ ପାଣ୍ଡ୍ୟା କ୍ରିଜକୁ ଆସିବା ମାତ୍ରେ ବିସ୍ଫୋରକ ବ୍ୟାଟିଂ କରିଥିଲେ।
ହାର୍ଦ୍ଦିକ ନିଜର ଏହି ଧମାକାଦାର ଇନିଂସରେ ୪ଟି ଛକା ଏବଂ ୬ଟି ଚୌକା ମାରି ୨୮ ବଲ୍ ରୁ ଅପରାଜିତ ୫୯ ରନ କରିଥିଲେ । ସେ ଏବେ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ରେ ୧୦୦ ଛକା ମାରିବାର ଉପଲବ୍ଧି ନିଜ ନାଁରେ କରିଛନ୍ତି । ପୋଲାର୍ଡ (୯୯) ଏବଂ କେଏଲ ରାହୁଲ (୯୯)ଙ୍କୁ ପଛରେ ପକାଇ ଦେଇଛନ୍ତି।
ଟି-୨୦ରେ ସର୍ବାଧିକ ଛକା ମାରିଥିବା ଭାରତୀୟ ବ୍ୟାଟର
ରୋହିତ ଶର୍ମା - ୨୦୫
ସୂର୍ୟ୍ୟକୁମାର ଯାଦବ - ୧୫୫
ବିରାଟ କୋହଲି - ୧୨୪
ହାର୍ଦ୍ଦିକ ପାଣ୍ଡ୍ୟା - ୧୦୦
କେଏଲ ରାହୁଲ - ୯୯
ହାର୍ଦ୍ଦିକ ପାଣ୍ଡ୍ୟା ଏସିଆ କପ୍ରେ ଆହତ ହୋଇ ପାକିସ୍ତାନ ବିପକ୍ଷରେ ଫାଇନାଲ୍ ଖେଳିପାରି ନଥିଲେ। ପାଣ୍ଡ୍ୟା ଅଷ୍ଟ୍ରେଲିଆ ଗସ୍ତରୁ ମଧ୍ୟ ବାଦ ପଡ଼ିଥିଲେ। ଆଘାତରୁ ଫେରି ଏହା ତାଙ୍କର ପ୍ରଥମ ମ୍ୟାଚ୍ ଥିଲା, କିନ୍ତୁ ସେ ଚତ୍ମକାର ପର୍ମରେ ନଜର ଆସିଥିଲେ ପାଣ୍ଡ୍ୟା । ଟି-୨୦ ବିଶ୍ୱକପ୍ ପାଇଁ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ପାଣ୍ଡ୍ୟାଙ୍କ ଏହି ପ୍ରଦର୍ଶନ ଭାରତ ପାଇଁ ସବୁଠୁ ବଡ ଖବର ।
ପୂର୍ବରୁ, ଲୁଙ୍ଗି ଏନଗିଡି ଶୁଭମନ ଗିଲ୍ ଏବଂ ସୂର୍ୟ୍ୟକୁମାର ଯାଦବଙ୍କ ରୂପରେ ପାୱାରପ୍ଲେରେ ଦୁଇଟି ବଡ଼ ୱିକେଟ୍ ନେଇ ଭାରତର ଟପ୍ ଅର୍ଡରକୁ ଭାଙ୍ଗି ଦେଇଥିଲେ। ଚତୁର୍ଥ ନମ୍ବରରେ ତିଳକ ବର୍ମା କ୍ରିଜକୁ ଆସିଥିଲେ ମଧ୍ୟ ବଡ ସଟ୍ ଖେଳିବାରେ ବିଫଳ ହୋଇଥିଲେ । ଅକ୍ଷର ପଟେଲ ୨୧ ବଲ୍ରୁ ୨୩ ରନ୍ ର ଏକ ଭଲ ଇନିଂସ ଖେଳିଥିଲେ। ପ୍ରଥମେ ବ୍ୟାଟିଂ କରି ଭାରତ ୬ ୱିକେଟ୍ ହରାଇ ୧୭୫ ରନ୍ କରିଥିଲା।
Also read: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଓ୍ଵାର ଶୋ, ବାରବାଟୀରେ ଭାରତର ବିଶାଳ ବିଜୟ, ୧୦୧ ରନରେ ହାରିଲା ଦ. ଆଫ୍ରିକା