କଟକ: ବାରବାଟୀରେ ଭାରତର ବିଶାଳ ବିଜୟ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବଳରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଛି ଟିମ୍ ଇଣ୍ଡିଆ। ବିଜୟ ସହ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି ଭାରତ। ହାର୍ଦ୍ଦିକଙ୍କ ବିସ୍ଫୋରକ ୫୯ ରନ ବଳରେ ଭାରତ ୬ ଓ୍ଵିକେଟ୍ ହରାଇ ୧୭୫ ରନ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୧୨.୩ ଓଭରରେ ମାତ୍ର ୭୪ ରନରେ ଅଲଆଉଟ୍ ହୋଇଛି। ଭାରତ ଏକତରଫା ବିଜୟ ହାସଲ କରି ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜୟର ପରମ୍ପରା ଭାଙ୍ଗିଛି। ଏହି ମ୍ୟାଚ୍ରେ ଯଶପ୍ରୀତ ବୁମରା ନିଜର ୧୦୦ତମ ଟି-୨୦ ୱିକେଟ୍ ପୂରଣ କରିଛନ୍ତି।
ଏପର୍ଯ୍ୟନ୍ତ କଟକର ବାରବାଟୀ ଷ୍ଟାଡିୟମରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିପାରି ନଥିଲା। ଦକ୍ଷିଣ ଆଫ୍ରିକା ଉଭୟ ମ୍ୟାଚରେ ଭାରତକୁ ପରାସ୍ତ କରିଥିଲା, କିନ୍ତୁ ଏଥର ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ୧୦୧ ରନର ଦମଦାର ପରାଜୟ ବରଣ କରିଛି।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ବ୍ୟାଟରଙ୍କ ମଧ୍ୟରୁ କେହି ବଡ଼ ଇନିଂସ ଖେଳିପାରି ନଥିଲେ। ସୂର୍ଯ୍ୟକୁମାର ଯାଦବ, ଶୁଭମନ ଗିଲ୍ ଏବଂ ଅଭିଷେକ ଶର୍ମା ସମସ୍ତେ ଫ୍ଲପ୍ ହୋଇଥିଲେ। ଗୋଟିଏ ପାର୍ଶ୍ୱରୁ ୱିକେଟ୍ ପଡ଼ିବା ଜାରି ରହିଥିଲା, କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟା ୨୮ ବଲ୍ରେ ଅପରାଜିତ ୫୯ ରନର ଏକ ଧମାକାଦାର ଇନିଂସ ଖେଳିଥିଲେ। ଏକ ସମୟରେ ଟିମ୍ ଇଣ୍ଡିଆର ସ୍କୋର ୧୨ ଓଭରରେ ୮୦/୪ ଥିଲା, କିନ୍ତୁ ହାର୍ଦ୍ଦିକଙ୍କ ବ୍ୟାଟ୍ ବାରବାଟୀରେ ଖୁବ୍ ଗର୍ଜିଥିଲା। ଚୌକା ଓ ଛକା ବର୍ଷା କରିଥିଲେ ପାଣ୍ଡ୍ୟା। ଶେଷ ଆଠ ଓଭରରେ ୯୫ ରନ କରିଥିଲା ଭାରତ। ଫଳରେ ଦଳ ୬ ଓ୍ଵିକେଟ୍ ହରାଇ ୧୭୫ ରନ୍ କରିଥିଲା।
ଦକ୍ଷିଣ ଆଫ୍ରିକା ଦଳର ଖରାପ ଅବସ୍ଥା
୧୭୫ ରନର ଟାର୍ଗେଟ ପିଛା କରୁଥିବା ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ନିରାଶଜନକ ଥିଲା। ଦଳ ଖାତା ଖୋଲିବା ପୂର୍ବରୁ କ୍ୱିଣ୍ଟନ୍ ଡି କକ୍ ଆଉଟ୍ ହୋଇଥିଲେ। ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। କୌଣସି ବି ବ୍ୟାଟର ବଡ଼ ଇନିଂସ ଖେଳି ପାରି ନ ଥିଲେ। ଆଫ୍ରିକୀୟ ଦଳ ପକ୍ଷରୁ ଡେୱାଲ୍ଡ ବ୍ରେଭିସ୍ ସର୍ବାଧିକ ୨୨ ରନ କରି ସର୍ବାଧିକ ସ୍କୋରର ହୋଇଥିଲେ। ଅଧିନାୟକ ଆଡନ ମାରକ୍ରମ ୧୪ ରନ, ଟ୍ରିଷ୍ଟନ ଷ୍ଟବ୍ସ ୧୪ ରନ କରି ପାଭିଲିୟନ ଫେରିଥିଲେ। ଡେଭିଡ ମିଲର, ଫେରେରା ଓ ମାର୍କୋ ଜନସେନ ମଧ୍ୟ ନିରାଶ କରିଥିଲେ। ଭାରତର ଘାତକ ବୋଲିଂର ମୁକାବିଲା କରି ନ ପାରି ଭ୍ରମଣକାରୀ ଦଳ ୧୨.୩ ଓଭରରେ ୭୪ ରନରେ ଅଲଆଟଉ୍ ହୋଇଛି। ଦକ୍ଷିଣ ଆଫ୍ରିକାର କେବଳ ଚାରି ଜଣ ଖେଳାଳି ଦୁଇ ଅଙ୍କ ଛୁଇଁ ପାରିଥିଲେ। ଭାରତ ଏବେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୧-୦ରେ ଆଗୁଆ ଅଛି।
ଭାରତ ପକ୍ଷରୁ ଅର୍ଶଦୀପ ସିଂହ, ଯଶପ୍ରୀତ ବୁମରା, ବରୁଣ ଚକ୍ରବର୍ତ୍ତୀ ଏବଂ ଅକ୍ଷର ପଟେଲ ପ୍ରତ୍ୟେକେ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶିବମ୍ ଦୁବେ ମଧ୍ୟ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।