ପର୍ଥ: ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ନିକଟରୁ ୦-୩ରେ ଟେଷ୍ଟ ସିରିଜ୍ ହାରିବା ପରେ ଭାରତୀୟ କ୍ରିକେଟ୍ ଦଳକୁ ଚାରିଆଡୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡିଥିଲା । ଏପରିକି ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିରେ ଦଳର ପ୍ରଦର୍ଶନକୁ ନେଇ ସମସ୍ତେ ସନ୍ଦୀହାନ ଥିଲେ । ତେବେ ଭାରତୀୟ ଦଳ ସମସ୍ତଙ୍କୁ ଭୁଲ୍ ପ୍ରମାଣିତ କରିଛି । ପର୍ଥରେ ଖେଳା ଯାଇଥିବା ପ୍ରଥମ ମୁକାବିଲାରେ ଭାରତ ଦମଦାର ବିଜୟ ହାସଲ କରିଛି । ଘରୋଇ ଅଷ୍ଟ୍ରେଲିଆକୁ ୨୯୫ ରନରେ ହରାଇ ଐତିହାସିକ ବିଜୟ ହାସଲ କରିଛି । ଏଥିସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୧-୦ରେ ଅଗ୍ରଣୀ ହାସଲ କରିଛି ।
ଭାରତ ଦ୍ୱିତୀୟ ଇନିଂସରେ ୪୮୭/୬ରେ ପାଳି ସମାପ୍ତି ଘୋଷଣା ପରେ ଅଷ୍ଟ୍ରେଲିଆ ସମ୍ମୁଖରେ ୫୩୪ ରନର ବିଶାଳ ବିଜୟ ଲକ୍ଷ୍ୟ ମିଳିଥିଲା । ଜବାବରେ ଘରୋଇ ଦଳ ୨୩୮ ରନରେ ଅଲଆଉଟ୍ ହୋଇଛି । ପ୍ରଥମ ଟେଷ୍ଟ ବିଜୟରେ ଅଧିନାୟକ ଯଶପ୍ରୀତ ବୁମରା ଓ ଯଶସ୍ୱୀ ଜୟସ୍ୱାଲ ହିରୋ ସାଜିଛନ୍ତି । ଉଲ୍ଲେଖନୀୟ ପର୍ଥ ଷ୍ଟାଡିୟମରେ ଅଷ୍ଟ୍ରେଲିଆ କେବେ ଟେଷ୍ଟ ହାରି ନ ଥିଲା । ବିିଦେଶ ମାଟିରେ ଭାରତର ତୃତୀୟ ସବୁଠୁ ବଡ ବିଜୟ । ଏହା ପୂର୍ବରୁ ୨୦୧୯ରେ ଭାରତ ୱେଷ୍ଟଇଣ୍ଡିଜକୁ ୩୧୮ ରନରେ ହରାଇଥିଲା । ୨୦୧୭ରେ ଶ୍ରୀଲଙ୍କାକୁ ୩୧୭ ରନରେ ମାତ ଦେଇଥିଲା ।
ଗତକାଲିର ଖେଳ ୧୨/୩ରୁ ଅଷ୍ଟ୍ରେଲିଆ ବ୍ୟାଟିଂ ଆରମ୍ଭ କରିଥିଲା । ଆଉ ଚତୁର୍ଥ ଦିନ ଆରମ୍ଭରୁ ହିଁ ଅଷ୍ଟ୍ରେଲିଆକୁ ବଡ ଝଟକା ଲାଗିଥିଲା । ଉସ୍ମାନ ଖ୍ୱାଜା(୪)ଙ୍କୁ ପାଭିଲିୟନ ପଠାଇଥିଲେ ମହମ୍ମଦ ସିରାଜ । କ୍ରିଜରେ ଜମି ଆସୁଥିବା ଷ୍ଟିଭ ସ୍ମିଥ(୧୭)ଙ୍କୁ ନିଜର ଶିକାର କରିଥିଲେ ସିରାଜ । ଏହିପରି ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗି କଙ୍ଗାରୁ ଦଳ ୭୯ ରନରେ ୫ ୱିକେଟ୍ ହରାଇଥିଲା । ତେବେ ପଞ୍ଚମ ୱିକେଟ୍ରେ ସ୍ମିଥ ଓ ଟ୍ରେଭିସ ହେଡ ୬୨ ରନ ଯୋଡି ସ୍ଥିତି ସୁଧାରିବାକୁ ଚେଷ୍ଟା କରିଥିଲେ । ବିଶେଷ କରି ଟ୍ରେଭିସ ହେଡ କ୍ରିଜକୁ ଆସିବା ମାତ୍ରେ ଦ୍ରୁତ ବ୍ୟାଟିଂ କରିଥିଲେ ।
ଟ୍ରେଭିସ୍ ଓ ମିଚେଲ୍ ମାର୍ଶ ଦିନିକିଆ ଷ୍ଟାଇଲରେ ବ୍ୟାଟିଂ କରି ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରିଥିଲେ । ଉଭୟ ଷଷ୍ଠ ୱିକେଟ୍ରେ ୮୨ ରନ ଯୋଡିଥିଲେ । ହେଡ୍ ଅର୍ଦ୍ଧଶତକ ହାସଲ କରିବା ସହ ୧୦୧ ବଲରୁ ୮ ଚୌକା ସହ ୮୯ ରନର ଦର୍ଶନୀୟ ଇନିଂସ ଖେଳିଥିଲେ । ବୁମରା ତାଙ୍କୁ ଆଉଟ୍ କରି ଭାରତକୁ ଷଷ୍ଠ ସଫଳତା ଦେଇଥିଲେ । ମିଚେଲ୍ ମାର୍ଶ ୪୭ ରନ କରି ନୀତିଶ ରେଡ୍ଡୀଙ୍କ ବଲରେ ବୋଲ୍ଡ ହୋଇଥିଲେ । ନିମ୍ନକ୍ରମରେ ଆଲେକ୍ସ କେରି ୩୬ ରନ କରି ଭାରତ ବିଜୟକୁ ବିଳମ୍ବ କରିଥିଲେ । ନାଥନ ଲିୟନ ଖାତା ଖୋଲି ପାରି ନ ଥିଲେ । କେରିଙ୍କୁ ବୋଲ୍ଡ କରି ହର୍ଷିତ ରାଣା ଅଷ୍ଟ୍ରେଲିଆ ଇନିଂସକୁ ୨୩୮ ରନରେ ଅନ୍ତ ଘଟାଇଥିଲେ ।
ବୋଲିଂରେ ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୩ ୱିକେଟ୍ ଓ ମହମ୍ମଦ ସିରାଜ ମଧ୍ୟ ୩ ସଫଳତା ହାସଲ କରିଥିଲେ । ୱାଶିଂଟନ ସୁନ୍ଦର ଦୁଇଟି ୱିକେଟ୍ ନେଇଥିଲେ । ନୀତିଶ ରେଡ୍ଡୀ ଓ ହର୍ଷିତ ରାଣା ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଛି ।
ଏହା ପୂର୍ବରୁ ଭାରତ ଯଶସ୍ୱୀ ଜୟସ୍ୱାଲଙ୍କ ୧୬୧ ରନ, ବିରାଟ କେହାଲିଙ୍କ ଅପରାଜିତ ୧୦୦ ରନ ଓ କେଏଲ ରାହୁଲଙ୍କ ୭୭ ରନ ବଳରେ ୪୮୭/୬ରେ ଦ୍ୱିତୀୟ ଇନିଂସ ଘୋଷଣା କରିଥିଲା । ପ୍ରଥମ ଇନିଂସରେ ଭାରତ ୧୫୦ ରନ କରିଥିବା ବେଳେ ଅଷ୍ଟ୍ରେଲିଆ ୧୦୪ ରନରେ ଅଲଆଉଟ୍ ହୋଇଥିଲା । ଭାରତୀୟ ଅଧିନାୟକ ବୁମରା ଉଭୟ ଇନିଂସରେ ଦମଦାର ବୋଲିଂ କରି ୮ ୱିକେଟ୍ ନେଇଥିଲେ ।