କାନପୁର: ଭାରତ ଦ୍ୱିତୀୟ ଟେଷ୍ଟକୁ ମାତ୍ର ଦୁଇ ଦିନରେ ଜିତି ନେଇଛି । ଭ୍ରମଣକାରୀ ବାଂଲାଦେଶକୁ ୭ ୱିକେଟରେ ହରାଇ ସିରିଜ୍ ୨-୦ରେ କ୍ଲିନ ସୁଇପ୍ କରିଛି ରୋହିତ ବାହିନୀ । ପ୍ରଥମ ଦିନ ବର୍ଷା କାରଣରୁ ମାତ୍ର ୩୫ ଓଭର ଖେଳ ସମ୍ଭବ ହୋଇ ପାରିଥିଲା । ତଥାପି ପରବର୍ତ୍ତୀ ଦୁଇ ଦିନରେ ଭାରତୀୟ ଦଳ ଟି-୨୦ ଶୈଳୀରେ ଖେଳି ବାଂଲାଦେଶକୁ ଧୂଳି ଚଟାଇଛି । ଏହି ବିଜୟ ସହ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ଫାଇନାଲ ଅଭିମୁଖେ ନିଜର ମାର୍ଗକୁ ଆଉ ଟିକେ ସହଜ କରିଛି ।
ବିଶ୍ୱ ଟେଷ୍ଟ ଚାମ୍ପିଅନଶିପର ଫାଇନାଲ୍ ମ୍ୟାଚ୍ ଆସନ୍ତା ବର୍ଷ ଖେଳାଯିବ । ଏହା ପୂର୍ବରୁ ଭାରତକୁ ଆହୁରି ୮ଟି ଟେଷ୍ଟ ଖେଳିବା ବାକି ରହିଛି । ସମୀକରଣ ଏମିତି ରହିଥିଲା, ଯଦି କାନପୁର ଟେଷ୍ଟ ରଦ୍ଦ ହୋଇଯାଏ ତେବେ ଭାରତର ଫାଇନାଲ ଯିବା ବିପଦରେ ପଡିପାରେ । ଭାରତ ଏବେ ବି ଅଙ୍କ ତାଲିକାରେ ଶୀର୍ଷରେ ରହିଛି । ଦଳର ବିଜୟ ପ୍ରତିଶତ ୭୪.୨୪ରେ ପହଞ୍ଚିଛି । ଅନ୍ୟପଟେ ଅଷ୍ଟ୍ରେଲିଆ ୬୨.୫୦ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ରହିଛି ।
ଭାରତ ଏବେ ବି ଫାଇନାଲରେ ପ୍ରବେଶ କରିନାହିଁ । କାରଣ ଶ୍ରୀଲଙ୍କା ଯେଉଁଭଳି ଆଗକୁ ବଢୁଛି ଦଳ ୫୫.୫୬ ପ୍ରତିଶତ ସହ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ପହଞ୍ଚିଛି । ଯଦି ଦକ୍ଷିଣ ଆଫ୍ରିକା ବିପକ୍ଷ ଆଗାମୀ ଦୁଇ ଟେଷ୍ଟ ଦଳ ଜିତି ନିଏ ତେବେ ଭାରତ କିମ୍ବା ଅଷ୍ଟ୍ରେଲିଆ କୌଣସି ଗୋଟିଏ ଦଳର ଫାଇନାଲରେ ପହଞ୍ଚିବା ପଥ ମୁସ୍କିଲ ହୋଇଯିବ ।
ବାଂଲାଦେଶ ସିରିଜ୍ ପରେ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ । ଏହା ପରେ ଘରୋଇ ମାଟିରେ ରୋହିତ ବାହିନୀ ନ୍ୟୁଜିଲାଣ୍ଡ ବିପକ୍ଷରେ ୩ ମ୍ୟାଚର ଟେଷ୍ଟ ସିରିଜ୍ ଖେଳିବ, ଯାହା ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି । ପୁଣି ଦଳ ଅଷ୍ଟ୍ରେଲିଆ ଗସ୍ତ କରି ୫ ମ୍ୟାଚ୍ ବିଶିଷ୍ଟ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍ ଖେଳିବ । ଏହି ସିରିଜ୍ ନିର୍ଣ୍ଣୟ କରିବ ଯେ, କେଉଁ ଦୁଇ ଦଳ ଫାଇନାଲରେ ପ୍ରବେଶ କରିବେ ।