ନୂଆଦିଲ୍ଲୀ: ଭାରତର ୧୯ ବର୍ଷରୁ କମ ମହିଳା କ୍ରିକେଟ୍ ଦଳ ଇତିହାସ ରଚିଛନ୍ତି । ବୋଲରଙ୍କ ଘାତକ ବୋଲିଂ ବଳରେ କୁଆଲାଲମ୍ପୁରରେ ଖେଳା ଯାଇଥିବା ୧୯ ବର୍ଷରୁ କମ ମହିଳା ଟି-୨୦ ବିଶ୍ୱକପ୍ ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ଏକତରଫା ୯ ୱିକେଟରେ ହରାଇ ଚାମ୍ପିଅନ ହୋଇଛି । ବଡ କଥା ଭାରତ ଟୁର୍ଣ୍ଣାମେଣ୍ଟରେ ଅପରାଜୟ ରହି ବିଶ୍ୱ ଚାମ୍ପିଅନ ହୋଇଛି । ଭାରତ ପକ୍ଷରୁ ଜି ତୃଷା ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରି ସର୍ବାଧିକ ରନ ହାସଲକାରୀ ବ୍ୟାଟର ହୋଇଛନ୍ତି ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ଭାରତୀୟ ବୋଲରଙ୍କ ଘାତକ ବୋଲିଂର ମୁକାବିଲା କରି ନ ପାରି ୮୨ ରନରେ ଅଲଆଉଟ୍ ହୋଇଥିଲା । ଦଳ ପକ୍ଷରୁ ମିଏକେ ଭାନ ଭୁରସୁଟ ସର୍ବାଧିକ ୨୩ ରନ କରିଥିଲେ । ଜେମା ବୋଥା ୧୬ ରନ କରିଥିବା ବେଳେ ଫାଏ କାଅଲିଂ ୧୫ ରନ କରିଥିଲେ । ଅନ୍ୟ ବ୍ୟାଟର କେହି କ୍ରିଜରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ । ଜବାବରେ ଭାରତ ୧୧.୨ ଓଭରରେ ମାତ୍ର ଗୋଟିଏ ୱିକେଟ୍ ହରାଇ୮୪ ରନ କରି ଫାଇନାଲ୍ ମ୍ୟାଚ୍ ଜିତି ନେଇଛି । ଦଳ ପକ୍ଷରୁ ଜି ତୃଷା ୪୪ ରନ ଓ ସନିକା ଚଲକେ ୨୬ ରନ କରି ଅପରାଜିତ ରହି ଦଳକୁ ଜିତାଇଛନ୍ତି । ଜି କାମଲିନି ୮ ରନ କରି ଆଉଟ୍ ହୋଇଥିଲେ ।
ବୋଲିଂରେ ଭାରତ ପକ୍ଷରୁ ଜି ତ୍ରିଷା ୧୫ ରନ ଦେଇ ସର୍ବାଧିକ ୩ ୱିକେଟ ନେଇଥିବା ବେଳେ ପରୁନିକା, ଆୟୁଷି ଓ ବୈଷ୍ଣବୀ ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ ନେଇ ଦଳ ବିଜୟରେ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି । ବିଶେଷ କରି ଜି ତ୍ରିଷା ବୋଲିଂରେ ୩ ୱିକେଟ ସହ ବ୍ୟାଟିଂରେ ଅପରାଜିତ ୪୪ ରନ କରି ଭାରତକୁ ଚାମ୍ପିଅନ କରାଇଛନ୍ତି ।