ଜିମ୍ବାୱେ ବିପକ୍ଷ ସିରିଜର ୩ୟ ମ୍ୟାଚରେ ୧୦ ୱିକେଟ୍ ରେ ବିଜୟ ସହ ସିରିଜ ଜିତିଛି ଭାରତ । ୟଶସ୍ଵୀ ଜେସୱାଲଙ୍କ ୯୩ ଓ ଶୁଭମନ ଗିଲଙ୍କ ୫୮ ରନ ବଳରେ ମ୍ୟାଚ ଜିତିଛି ଭାରତ । ସିରିଜର ପ୍ରଥମ ମ୍ୟାଚରେ ପରାଜୟ ସତ୍ୱେ ଭାରତୀୟ ଦଳ ଲଗାତାର ୩ ଟି ମ୍ୟାଚରେ ବିଜୟ ହାସଲ କରି ସିରିଜ ଜିତିଛି । ବିସ୍ଫୋଟକ ଅନ୍ଦାଜରେ ବ୍ୟାଟିଂ କରିବା ସହ ୧୫.୨ ଓଭରରେ ନିର୍ଦ୍ଧାରିତ ଲକ୍ଷ୍ୟକୁ ହାସଲ କରିବାରେ ସାହାଯ୍ୟ କରିଥିବା ୟଶସ୍ଵୀ ଜେସୱାଲଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ରୂପେ ଚୟନ କରାଯାଇଛି ।
ତେବେ ଟସ୍ ଜିତି ବୋଲିଂର ନିଷ୍ପତି ନେଇଥିଲା ଭାରତ । ପାୱାରପ୍ଲେରେ ବୁଝି ବିଚାରି ବ୍ୟାଟିଂ କରୁଥିବା ଦୁଇ ଓପନରଙ୍କୁ ଆଉଟ କରିଥିଲେ ଅଭିଷେକ ଶର୍ମା । ବ୍ୟାଟରେ କମାଲ କରୁଥିବା ଅଭେଷେକ ବୋଲିଂ କରିବା ସହ ଦଳ ପାଇଁ ପ୍ରଥମ ୱିକେଟ୍ ହାସଲ କରିଥିଲେ । ଏହା ପରେ ଲଗାତାର ୱିକେଟ୍ ଯିବା ଫଳରେ ଜିମ୍ବାୱେ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୫୨ ରନ ସଂଗ୍ରହ କରିଥିଲା । ସିକନ୍ଦର ରାଜା ୨୮ ବଲରେ ୪୬ ରନ ସଂଗ୍ରହ କରିଥିଲେ । ଭାରତୀୟ ବୋଲିଂରେ ଖଲିଲ ଏହମଦ ୨ ଟି ୱିକେଟ୍ ନେଇଥିବାବେଳେ ଅଭିଷେକ ଶର୍ମା, ତୁଷାର ଦେଶପାଣ୍ଡେ, ୱାସିଂଟନ ସୁନ୍ଦର ଓ ଶିବମ ଦୁବେ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ପରେ ଦ୍ଵିତୀୟ ଇନିଂସରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ବ୍ୟାଟିଂ ଆଗରେ ଜିମ୍ବାୱେ ବୋଲର ଫିକା ପଡ଼ିଥିଲେ । ୟଶସ୍ଵୀ ଜେସୱାଲଙ୍କ ୫୩ ବଲରେ ୯୩ ରନ ସଂଗ୍ରହ କରିଥିଲେ ଯେଉଁଥିରେ ୧୩ ଟି ଚୌକା ଓ ୨ ଟି ଛକ୍କା ସାମିଲ ଥିଲା । ଅନ୍ୟପକ୍ଷରେ ଅଧିନାୟକ ଶୁଭମନ ଗିଲ ୩୯ ବଲରେ ୫୮ ରନ ସଂଗ୍ରହ କରିଥିଲେ । ଭାରତର ଦୁଇ ଓପନର ଅପରାଜିତ ରହି ୧୫.୨ ଓଭରରେ ନିର୍ଦ୍ଧାରିତ ଲକ୍ଷ୍ୟକୁ ହାସଲ କରିଥିଲେ ।