ଲାଉଡରହିଲ୍: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ଚଳିତ ଟି-୨୦ ପୁରୁଷ ବିଶ୍ବକପ୍ରେ ଆଜି ଭାରତ ଓ କାନାଡ଼ା ମଧ୍ୟରେ ମୁକାବିଲା ହେବ। ଏହି ଟୁର୍ଣ୍ଣାମେଣ୍ଟର ୩୩ତମ ମ୍ୟାଚ୍ ଫ୍ଲୋରିଡ଼ାର ଲାଉଡରହିଲସ୍ଥିତ ସେଣ୍ଟ୍ରାଲ ବ୍ରୋୱାର୍ଡ ରିଜନାଲ ପାର୍କ ଷ୍ଟାଡିୟମ୍ରେ ଖେଳାଯିବ। ଏହି ମ୍ୟାଚ ଭାରତୀୟ ସମୟ ରାତି ୮ଟାରୁ ଆରମ୍ଭ ହେବାର ଅଛି। କିନ୍ତୁ ଏହି ମ୍ୟାଚ୍ ଖେଳାଯିବା ନେଇ କମ୍ ସମ୍ଭାବନା ମଧ୍ୟ ରହିଛି। କାରଣ ଫ୍ଲୋରିଡାରେ କିଛି ଦିନ ହେବ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତିକୁ ନଜରରେ ରଖି ଜୁରୁରିକାଳୀନ ସ୍ଥିତି ଘୋଷଣା କରାଯାଇଛି। ଅନ୍ୟପଟରେ ଏହି ମ୍ୟାଚ୍ ଭାରତ ପାଇଁ ବିଶେଷ ଗୁରୁତ୍ବ ବହନ କରୁ ନାହିଁ। କାରଣ ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତ ପ୍ରଥମ ୩ଟି ମ୍ୟାଚ୍ ଜିତି ସୁପର-୮ରେ ପହଞ୍ଚିସାରିଛି।
ପାଗ ଯଦି ଠିକ୍ଠାକ ରହିବ, ତେବେ ଭାରତ-କାନାଡା ମ୍ୟାଚ ଖେଳାଯିବ। କ୍ରକେଟ୍ପ୍ରେମୀ, ପ୍ରଶଂସକଙ୍କୁ ପଡ଼ିଆରେ ପୁଣି ଏକ ଲଢ଼େଇ ଦେଖିବାକୁ ମିଳିବ। ବିଗତ ମ୍ୟାଚ୍ରେ ଭାରତୀୟ ବ୍ୟାଟର ବିରାଟ କୋହଲି ଭଲ ପ୍ରଦର୍ଶନ କରି ନଥିବାରୁ ଏଥର ତାଙ୍କର ବ୍ୟାଟିଂ ଶୈଳୀରେ ପରିବର୍ତ୍ତନ ଆଣିବାକୁ ଉଦ୍ୟମ କରିବେ। ତେଣୁ ବିରାଟ କୋହଲିଙ୍କ ଉପରେ ଦର୍ଶକଙ୍କ ନଜର ରହିବ। ଚଳିତ ଟି-୨୦ ବିଶ୍ବକପରେ ଭାରତ ନିଜର ପ୍ରଥମ ୩ଟି ମ୍ୟାଚ ନ୍ୟୁୟର୍କର ନସାଉ କାଉଣ୍ଟିରେ ଖେଳିଥିଲା, ଯେଉଁଥିରେ ପିଚ୍ରେ ଅସମତୁଲ ବାଉନ୍ସ ରହୁଥିଲା ବେଳେ ଆଉଟ୍ଫିଲ୍ଡ ମଧ୍ୟ ସ୍ପଞ୍ଜ ଭଳି ରହୁଥିଲା। ଏବେ ନ୍ୟୁୟର୍କଠୁ ୧୮୫୦ କିଲୋମିଟର ଦୂର ଫ୍ଲୋରିଡାରେ ଭାରତ ଲିଗ୍ ପର୍ଯ୍ୟାୟର ଶେଷ ମ୍ୟାଚ୍ ଖେଳିବ।