ହରାରେ: ୧୯ ବର୍ଷରୁ କମ ବିଶ୍ଵକପ୍ ୨୦୨୬ରେ ଫାଇନାଲରେ ପ୍ରବେଶ କଲା ଭାରତୀୟ ଦଳ। ବୁଧବାର ହରାରେରସ୍ପୋର୍ଟ୍ସ କ୍ଲବରେ ଖେଳା ଯାଇଥିବା ଦ୍ଵିତୀୟ ସେମିଫାଇନାଲରେ ଟିମ୍ ଇଣ୍ଡିଆ ମ୍ୟାଚକୁ ୭ ୱିକେଟରେ ଜିତି ଫାଇନାଲରେ ସ୍ଥାନ ପକ୍କା କରିଛି। ଏଥିସହ ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ୧୦ମ ଥର ଫାଇନାଲରେ ପ୍ରବେଶ କରିଛି। ଆଫଗାନିସ୍ତାନ ଦ୍ଵାରା ଧାର୍ଯ୍ୟ ୩୧୧ ରନର ବିଜୟ ଲକ୍ଷ୍ୟକୁ ଭାରତ ୪୧.୧ ଓଭରରେ ସହଜରେ ହାସଲ କରିଥିଲେ। ଓପନର ଆରନ୍ ଜର୍ଜ ଦଳ ପାଇଁ ୧୧୫ ରନର ଇନିଂସ ଖେଳିଥିବା ବେଳେ ବୈଭବ ସୂର୍ଯ୍ୟବଂଶୀ ୬୮ ରନ, ଅଧିନାୟକ ଆୟୁଷ ମହାତ୍ରେ ୬୨ ରନ କରିଥିଲେ।
୧୯ ବର୍ଷରୁ କମ୍ ବିଶ୍ୱକପ୍ ଇତିହାସରେ ଏହା ସର୍ବାଧିକ ବିଜୟ ଲକ୍ଷ୍ୟ ପିଛା କରି ରେକର୍ଡ କରିଚି ଭାରତ। ପୂର୍ବରୁ, ନ୍ୟୁଜିଲ୍ୟାଣ୍ଡ ୨୦୦୬ ରେ ଆୟରଲ୍ୟାଣ୍ଡ ବିପକ୍ଷରେ ୩୦୫ ରନର ପିଛା କରିଥିଲା। ଏବେ, ଭାରତ ଏହି ବିଶ୍ୱ ରେକର୍ଡ ଭାଙ୍ଗି ଫାଇନାଲରେ ସ୍ଥାନ ସୁନିଶ୍ଚିତ କରିଛି।
ଦ୍ଵିତୀୟ ସେମିଫାଇନାଲରେ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୪ ୱିକେଟରେ ୩୧୦ ରନ କରିଥିଲା। ଦଳ ପକ୍ଷରୁ ଫୈସଲ ସିଂନୋଜାଦା ସର୍ବାଧିକ ୯୩ ବଲ୍ ରୁ ୧୫ ଚୌକା ସହିତ ୧୧୦ ରନ୍ କରିଥିଲେ। ଉଜୈରୁଲ୍ଲା ମଧ୍ୟ ୮୬ ବଲ୍ ରୁ ୧୨ ଚୌକା ଏବଂ ୨ ଛକା ମାରି ଅପରାଜିତ ୧୦୧ ରନ୍ କରିଥିଲେ। ଭାରତ ପକ୍ଷରୁ ଦୀପେଶ ଦେବେନ୍ଦ୍ରନ୍ ଏବଂ କନିଷ୍କ ଚୌହାନ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ।
ଜବାବରେ, ଟିମ୍ ଇଣ୍ଡିଆ ୪୧.୧ ଓଭରରେ ମାତ୍ର ୩ ୱିକେଟ୍ ହରାଇ ମ୍ୟାଚ୍ ଜିତିଥିଲା। ଓପନର୍ ଆରନ୍ ଜର୍ଜ ଦଳ ପକ୍ଷରୁ ସର୍ବାଧିକ ଶତକ ହାସଲ କରିଥିଲେ। ବୈଭବ ସୂର୍ଯ୍ୟବଂଶୀ ଏବଂ ଅଧିନାୟକ ଆୟୁଷ ମହାତ୍ରେ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ। ଆଫଗାନିସ୍ତାନ ପାଇଁ ନୁରିସ୍ତାନି ଉମରଜାଇ ଦୁଇଟି ୱିକେଟ୍ ନେଇଥିଲେ।
ଫେବୃଆରୀ ୬ ତାରିଖରେ ଫାଇନାଲ୍
ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଏବେ ଶୁକ୍ରବାର, ଫେବୃଆରୀ ୬ ତାରିଖରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବ। ହାରାରେର ହରାରେ ସ୍ପୋର୍ଟ୍ସ କ୍ଲବରେ ଖେଳାଯିବାକୁ ଥିବା ଫାଇନାଲ୍ ମ୍ୟାଚ୍ IST ସମୟରେ ଅପରାହ୍ନ ୧ଟାରେ ଆରମ୍ଭ ହେବ। ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଷଷ୍ଠ ଥର ପାଇଁ ଟାଇଟଲ୍ ଜିତିବାକୁ ଲକ୍ଷ୍ୟ ରଖିଛି।
Also read: ଓଡ଼ିଶାରେ BSNLରେ ବାକି ପଡିଛି ୨୮.୫୪ କୋଟି; ବକେୟା ଅର୍ଥ ପରିଶୋଧ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସିନ୍ଧିଆ