ଦୁବାଇ: ଏସିଆ କପ୍ ୨୦୨୫ର ସୁପର-୪ର ସେମି ଫାଇନାଲ୍ କୁହାଯାଉଥିବା ମ୍ୟାଚରେ ବାଂଲାଦେଶକୁ ମାତ୍ ଦେଲା ପାକିସ୍ତାନ। ଗୁରୁବାର ଖେଳା ଯାଇଥିବା ଲୋ ସ୍କୋରିଂ ମୁକାବିଲାରେ ବାଂଲାଦେଶକୁ ୧୧ ରନରେ ହରାଇ ପାକିସ୍ତାନ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ଆଉ ଏବେ ଟାଇଟଲ୍ ମ୍ୟାଚରେ ମୁହାଁମୁହିଁ ହେବେ ଦୁଇ ଚିର ପ୍ରତିଦ୍ଵନ୍ଦ୍ଵୀ ଭାରତ ଓ ପାକିସ୍ତାନ। ଏସିଆ କପ୍ ଇତିହାସରେ ପ୍ରଥମ ଥର ଦୁଇ ଦଳ ମଧ୍ୟରେ ଖେଳାଯିବ ଟାଇଟଲ୍ ମୁକାବିଲା।
ସୁପର-୪ର ଗୁରୁତ୍ଵପୂର୍ଣ୍ଣ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୮ ଓ୍ଵିକେଟ୍ ହରାଇ ୧୩୫ ରନ କରିଥିଲା। ଦଳ ପକ୍ଷରୁ ମହମ୍ମଦ ହାରିସ ୩୧ ରନ କରିଥିଲେ। ଜବାବରେ ବାଂଲାଦେଶ ପାକ୍ ବୋଲରଙ୍କ ମୁକାବିଲା କରି ନ ପାରି ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୧୨୪ ରନ କରି ପାରିଛି। ପାକିସ୍ତାନ ବିଜୟରେ ଶାହୀନ ଶାହ ଆଫ୍ରିଦି ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି।
୧୩୬ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ବାଂଲାଦେଶ ଆରମ୍ଭ ପାକିସ୍ତାନ ପରି ନୈରାଶ୍ୟଜନକ ବ୍ୟାଟିଂ ଥିଲା। ଓପନର ପରଭେଜ ହୁସେନ ଇମନ ଖାତା ଖୋଲି ପାରି ନ ଥିଲା। ଟୋହିଦ ହୃଦୟ ମାତ୍ର ୫ ରନ କରି ଆଉଟ୍ ହୋଇଥିଲେ। ଇନଫର୍ମ ବ୍ୟାଟର ସୈଫ ହସନ ୧୮ ରନ କରି ଆଉଟ୍ ହେବା ବାଂଲାଦେଶକୁ ବହୁତ ବଡ଼ ଝଟକା ଲାଗିଥିଲା। ଓ୍ଵିକେଟ୍ ଖସିବା ସହ ଦଳ ଉପରେ ଚାପ ବଢିବାରେ ଲାଗିଥିଲା। ମଧ୍ୟକ୍ରମରେ ମେହଦି ହସନ ୧୧ ରନ ଓ ନୁରଲ ହସନ ୧୬ ରନ କରିଥିଲେ ହେଁ ଏହାକୁ ବଡ଼ ସ୍କୋରରେ ପରିଣତ କରି ପାରି ନ ଥିଲେ।
ତେବେ ସମିମ ହୁସେନ କ୍ରିଜରେ ଥିବା ପର୍ଯ୍ୟନ୍ତ ବାଂଲାଦେଶର ଆଶା ଉଜ୍ଜିବୀତ ରହିଥିଲା। ତେବେ ହୁସେନ ୨୫ ବଲରୁ ୩୦ ରନ କରି ଆଉଟ୍ ହେବା ବାଂଲାଦେଶର ବିଜୟ ଆଶା ମଉଳି ଯାଇଥିଲା। ରିଶାଦ ହୁସେନ ୧୬ ରନ କରିଥିଲେ ହେଁ ଦଳ ପାଇଁ ତାହା ପର୍ଯ୍ୟାପ୍ତ ନ ଥିଲା। ଶେଷରେ ବାଂଲାଦେଶ ୯ ଓ୍ଵିକେଟ୍ ହରାଇ ୧୨୪ ରନ କରି ପାରିଥିଲା। ମ୍ୟାଚକୁ ୧୧ ରନରେ ଜିତି ପାକିସ୍ତାନ ଏସିଆ କପ୍ ଫାଇନାଲରେ ପ୍ରବେଶ କରିଛି।
ବୋଲିଂରେ ପାକିସ୍ତାନ ପକ୍ଷରୁ ଶାହୀନ ଆଫ୍ରିଦି ୧୭ ରନ ଦେଇ ୩ଟି ଓ୍ଵିକେଟ୍ ନେଇଥିବା ବେଳେ ହାରିସ ରଉଫ ୩୩ ରନ ଦେଇ ୩ଟି ଓ୍ଵିକେଟ୍ ନେଇ ଦଳ ବିଜୟରେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ।। ସାମ ଆୟୁବଙ୍କୁ ଦୁଇଟି ଓ୍ଵିକେଟ୍ ମିଳିଥିଲା।
ଏହା ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନର ଆରମ୍ଭ ଦୟନୀୟ ଥିଲା। ଦଳର ଇନଫର୍ମ ବ୍ୟାଟର ଶାହିବଜାଦ ଫରହାନ ୪ ରନ ଆଉଟ୍ ହେବାରୁ ଦଳ ପାଓ୍ଵାର ପ୍ଲେର ଫାଇଦା ଉଠାଇ ପାରି ନ ଥିଲା।। ସାମ ଆୟୁବ ନିଜର ଖରାପ ଫର୍ମ ବଜାୟ ରଖି ପୁଣି ଥରେ ଖାତା ଖୋଲି ପାରି ନ ଥିଲେ। ଫଖର ଜମାନ ୧୩ ରନ କରିଥିବା ବେଳେ ଅଧିନାୟକ ସଲମାନ ଆଗା ୧୯ ରନର ଧିମା ରନ କରିଥିଲେ। ତେବେ ମହମ୍ମଦ ହାରିସ ୨୩ ବଲରୁ ୩୧ ରନ ଓ ମହମ୍ମଦ ନଓ୍ଵାଜ ୧୫ ବଲ୍ରୁ ୨୫ ରନ କରିବାରୁ ପାକିସ୍ତାନ ୮ ଓ୍ଵିକେଟ୍ ହରାଇ ୧୩୫ ରନ କରିଥିଲା।ବିଶେଷ କରି ଶେଷ ୫ ଓଭରରେ ପାକିସ୍ତାନ ୫୨ ରନ କରିବାରୁ ଦଳ ଏହି ସମ୍ମାଜନକ ସ୍କୋରରେ ପହଞ୍ଚି ପାରିଥିଲା।