ଅହମଦାବାଦ, ମାର୍ଚ୍ଚ ୦୬ (ଖବର ଓଡ଼ିଶା):
ଚତୁର୍ଥ ଟେଷ୍ଟରେ ଇଂଲଣ୍ଡକୁ ଗୋଟିଏ ଇନିଂସ ଏବଂ ୨୫ ରନରେ ହରାଇବା ସହ ସିରିଜକୁ ୩-୧ ରେ ଜିତିଛି ଭାରତ । ଏହି ମ୍ୟାଚ ବିଜୟ ସହ ଆଇସିସି ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ପହଂଚିଛି ଭାରତ । ମ୍ୟାଚର ଚତୃର୍ଥ ଇନିଂସରେ ମାତ୍ର ୧୩୫ ରନରେ ଅଲଆଉଟ ହୋଇ ଯାଇଛି ଇଂଲଣ୍ଡ । ଭାରତ ପକ୍ଷରୁ ଦୁଇ ସ୍ପିନର ରବି ଚନ୍ଦ୍ରନ ଅଶ୍ୱିନ ଏବଂ ଅକ୍ସର ପଟେଲ ୫ ଟି ଲେଖାଁଏ ୱିକେଟ ଅକ୍ତିଆର କରିଛନ୍ତି । ପୂର୍ବରୁ ଗତକାଲି ସ୍କୋରରୁ ଖେଳ ଆରମ୍ଭ କରି ଭାରତ ୩୬୫ ରନରେ ଅଲଆଉଟ ହୋଇଯାଇଥିଲା । ଚେନ୍ନାଇରେ ପ୍ରଥମ ଟେଷ୍ଟ ମ୍ୟାଚ ହାରିବା ପରେ ଭାରତ କମ ବ୍ୟାକ କରିବା ସହ ବାକି ତିନୋଟି ଟେଷ୍ଟ ମ୍ୟାଚ ଜିତି ସିରିଜ ହାତେଇଛି । ଭାରତ ପକ୍ଷରୁ ଏହି ମ୍ୟାଚରେ ଶତକ ହାସଲ କରିଥିବା ରିଷଭ ପନ୍ଥଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଥିବା ବେଳେ ସିରିଜରେ ସର୍ବାଧିକ ୱିକେଟ ହାସଲ କରିଥିବା ରବି ଅଶ୍ୱିନଙ୍କୁ ମ୍ୟାନ ଅଫ ସିରିଜ ବିବେଚିତ କରାଯାଇଛି । ଏହି ଇଂନିସରେ ପାଂଚ ୱିକେଟ ନେବା ସହ କ୍ୟାରିୟରରେ ୩୦ ତମ ପାଂଚ ୱିକେଟ ହାସଲ କରିଛନ୍ତି ଅଶ୍ୱିନ । ଜୁନ ୧୮ ରୁ ୨୨ ଯାଏ ଇଂଲଣ୍ଡର ଲର୍ଡସ କ୍ରିକେଟ ଗ୍ରାଉଣ୍ଡରେ ଭାରତ ଏବଂ ନ୍ୟୁଜଲାଣ୍ଡ ମଧ୍ୟରେ ଆଇସିସି ୱାର୍ଲଡ ଚେଷ୍ଟ ଚାମ୍ପିଅନସିପ ଫାଇନାଲ ଖେଳାଯିବ ।