ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ) ୨୦୨୫ର କ୍ରୀଡାସୂଚୀ ଘୋଷଣା ହୋଇଛି । ଆଇପିଏଲର ୧୮ତମ ସଂସ୍କରଣର ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ କୋଲକାତା ନାଇଟ୍ ରାଇଡର୍ସ(କେକେଆର) ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) । ଏହି ଉଦଘାଟନୀ ମ୍ୟାଚ୍ ମାର୍ଚ୍ଚ ୨୨ରେ କୋଲକାତାର ଘରୋଇ ପଡ଼ିଆ ଇଡେନ ଗାର୍ଡେନ୍ସରେ ଖେଳାଯିବ। ଫାଇନାଲ୍ ମ୍ୟାଚ୍ ମେ ୨୫ରେ ଖେଳାଯିବ।
ଏଥର ସଂସ୍କରଣରେ ନକଆଉଟ୍ ଓ ପ୍ଲେଅଫ୍କୁ ମିଶାଇ ମୋଟ୍ ୭୪ଟି ମ୍ୟାଚ୍ ଖେଳାଯିବ। ମାର୍ଚ୍ଚ ୨୨ରୁ ମେ ୧୮ ତାରିଖ ପର୍ୟ୍ୟନ୍ତ ଲିଗ୍ ପର୍ୟ୍ୟାୟ ମ୍ୟାଚ୍ ଖେଳା ଯାଉଥିବା ବେଳେ ଉଦଘାଟନୀ ମ୍ୟାଚ୍ ସହ କ୍ଵାଲିଫାୟର ୨ ଓ ଫାଇନାଲ୍ ମ୍ୟାଚ୍ ଇଡେନ ଗାର୍ଡେନ୍ସରେ ଖେଳାଯିବ। କ୍ଵାଲିଫାୟର-୧ ଓ ଏଲିମିନେଟର ମୁକାବିଲା ହାଇଦ୍ରାବାଦରେ ଆୟୋଜିତ ହେବ। ଆଇପିଏଲ୍ ୨୦୨୫ ଦେଶର ୧୩ଟି ସହରରେ ୧୦ଟି ଦଳ ମଧ୍ୟରେ ଖେଳାଯିବ।
ଯେଉଁ ୧୩ ସହରରେ ମ୍ୟାଚ୍ ଖେଳାଯିବ ଏଥିରେ ଲକ୍ଷ୍ନୌ, ମୁମ୍ବାଇ, ହାଇଦ୍ରାବାଦ, ଚେନ୍ନାଇ, ଅହମ୍ମଦାବାଦ, ବିଶାଖାପଟନମ, ଗୌହାଟୀ, ବେଙ୍ଗାଲୁରୁ, ନ୍ୟୁ ଚଣ୍ଡିଗଡ଼, ଜୟପୁର, ଦିଲ୍ଲୀ, କୋଲକାତା ଓ ଧର୍ମଶାଳା ସାମିଲ। ଯେଉଁ ଦିନ ଦୁଇଟି ମ୍ୟାଚ୍ ଖେଳାଯିବ, ସେହି ଦିନ ପ୍ରଥମ ମ୍ୟାଚ୍ ଅପରାହ୍ଣ ୩ଟା ୩୦ରେ ଏବଂ ଦ୍ଵିତୀୟ ମ୍ୟାଚ୍ ରାତି ୭ଟା ୩୦ରୁ ଆରମ୍ଭ ହେବ। ଏଥର ଆଇପିଏଲ୍ରେ ମୋଟ୍ ୧୨ଟି ଡବଲ ହେଡର ମୁକାବିଲା ଖେଳାଯିବ। ସବୁ ଡବଲ ହେଡର ମ୍ୟାଚ୍ ଶନିବାର ଓ ରବିବାର ଖେଳାଯିବ।
ଆଇପିଏଲ ୨୦୨୫ର ଦ୍ୱିତୀୟ ମ୍ୟାଚ୍ ୨୩ ମାର୍ଚ୍ଚରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ। ଏହି ଦିନ ଦ୍ଵିତୀୟ ମ୍ୟାଚ୍ରେ ମୁହାଁମୁହିଁ ହେବେ ଆଇପିଏଲ୍ ଇତିହାସର ଦୁଇ ବଡ଼ ଟିମ୍ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ । ଚଳିତ ସଂସ୍କରଣରେ ଚେନ୍ନାଇ ଓ ମୁମ୍ବାଇ ପରସ୍ପରକୁ ଦୁଇ ଥର ଭେଟିବେ।