ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ର କ୍ରୀଡାସୂଚୀ ଜାରି ହୋଇଛି । ଆଇପିଏଲର ୧୮ତମ ସଂସ୍କରଣ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ନିଜର ଅଭିଯାନ ମାର୍ଚ୍ଚ ୨୩ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚରୁ କରିବ । ଏହି ମ୍ୟାଚ୍ ଚେନ୍ନାଇର ଚେପକ ଷ୍ଟାଡିୟମରେ ଖେଳାଯିବ । ତେବେ ଏହା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିଛି ବଡ ଝଟକା ଲାଗିଛି । ଚେନ୍ନାଇ ବିପକ୍ଷ ପ୍ରଥମ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା ଖେଳି ପାରିବେ ନାହିଁ । କାରଣ ଏହି ଅଲରାଉଣ୍ଡଙ୍କ ଉପରେ ଗୋଟିଏ ମ୍ୟାଚର କଟକଣା ଲାଗିଛି ।
ଆଇପିଏଲ୍ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ୩ ଥର ସ୍ଲୋ ଓଭର ରେଟ୍ ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିଲା । ଫଳରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ଗୋଟିଏ ମ୍ୟାଚରୁ ବାସନ୍ଦ କରାଯାଇଛି । ଗତ ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ଲିଗ୍ ପର୍ଯ୍ୟାୟରୁ ବାଦ୍ ପଡିଥିଲା । ତେଣୁ ହାର୍ଦ୍ଦିକଙ୍କୁ ଏହି ଦଣ୍ଡ ମିଳି ନ ଥିଲା । ଏବେ ଆଇପିଏଲ୍ ୨୦୨୫ରେ ହାର୍ଦ୍ଦିକଙ୍କୁ ପ୍ରଥମ ମ୍ୟାଚରେ ବାହାରେ ବସିବାକୁ ପଡିବ ।
ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ) ୨୦୨୫ର କ୍ରୀଡାସୂଚୀ ଘୋଷଣା ହୋଇଛି । ଆଇପିଏଲର ୧୮ତମ ସଂସ୍କରଣର ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ କୋଲକାତା ନାଇଟ୍ ରାଇଡର୍ସ(କେକେଆର) ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) । ଏହି ଉଦଘାଟନୀ ମ୍ୟାଚ୍ ମାର୍ଚ୍ଚ ୨୨ରେ କୋଲକାତାର ଘରୋଇ ପଡ଼ିଆ ଇଡେନ ଗାର୍ଡେନ୍ସରେ ଖେଳାଯିବ। ଫାଇନାଲ୍ ମ୍ୟାଚ୍ ମେ ୨୫ରେ ଖେଳାଯିବ।
ଏଥର ସଂସ୍କରଣରେ ନକଆଉଟ୍ ଓ ପ୍ଲେଅଫ୍କୁ ମିଶାଇ ମୋଟ୍ ୭୪ଟି ମ୍ୟାଚ୍ ଖେଳାଯିବ। ମାର୍ଚ୍ଚ ୨୨ରୁ ମେ ୧୮ ତାରିଖ ପର୍ୟ୍ୟନ୍ତ ଲିଗ୍ ପର୍ୟ୍ୟାୟ ମ୍ୟାଚ୍ ଖେଳା ଯାଉଥିବା ବେଳେ ଉଦଘାଟନୀ ମ୍ୟାଚ୍ ସହ କ୍ଵାଲିଫାୟର ୨ ଓ ଫାଇନାଲ୍ ମ୍ୟାଚ୍ ଇଡେନ ଗାର୍ଡେନ୍ସରେ ଖେଳାଯିବ। କ୍ଵାଲିଫାୟର-୧ ଓ ଏଲିମିନେଟର ମୁକାବିଲା ହାଇଦ୍ରାବାଦରେ ଆୟୋଜିତ ହେବ। ଆଇପିଏଲ୍ ୨୦୨୫ ଦେଶର ୧୩ଟି ସହରରେ ୧୦ଟି ଦଳ ମଧ୍ୟରେ ଖେଳାଯିବ।