ଲଖନଉ: ଆଜି ଆଇପିଏଲରେ ଗୁରୁ ଶିଷ୍ୟଙ୍କ ଲଢେଇ ଦେଖିବାକୁ ମିଳିବ । ଏମଏସ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ଲଗାତାର ୫ ପରାଜୟର ଧାରା ଭାଙ୍ଗିବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ । ଅନ୍ୟପଟେ ଋଷଭ ପନ୍ତଙ୍କ ଏଲଏସଜିର ନଜର ଆଜିର ମ୍ୟାଚ୍ ଜିତି ପଏଣ୍ଟ ବେବୁଲର ଶୀର୍ଷକୁ ଉଠିବା ଉପରେ ରହିଛି । ଏହି ମୁକାବିଲା ଲଖନଉର ଇକାନା ଷ୍ଟାଡିୟମରେ ଖେଳାଯିବ ।
ଲଖଉନ ସୁପର ଜାଏଣ୍ଟଓ ଅଙ୍କ ତାଲିକାର ଚତୁର୍ଥ ସ୍ଥାନରେ ରହିଛି । ଦଳ ୬ଟିରୁ ୪ ବିଜୟ ଓ ୨ ପରାଜୟ ଭୋଗିଛି । ଯଦି ଆଜିର ମ୍ୟାଚ୍ ଦଳ ଜିତିଯାଏ ତେବେ ୧୦ ପଏଣ୍ଟ ସହ ଶୀର୍ଷକୁ ଉଠିବ । ଦଳର ବ୍ୟାଟର ନିକୋଲାସ ପୂରନଙ୍କ ବ୍ୟାଟ୍ ଖୁବ୍ ଗର୍ଜୁଛି । ଅନ୍ୟପଟେ ଋଷଭ ପନ୍ତଙ୍କ ଖରାପ ଫର୍ମ ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି । ଯଦି ଚେନ୍ନାଇକୁ ମ୍ୟାଚ୍ ଜିତିବାର ଅଛି ତେବେ ପୁରନଙ୍କୁ ଶୀଘ୍ର ଆଉଟ୍ କରିବାକୁ ପଡିବ ।
ଚଳିତ ସଂସ୍କରଣରେ ଚେନ୍ନାଇର ପ୍ରଦର୍ଶନ ଅତି ନିମ୍ନମାନର ରହିଛି । ଦଳର ନିୟମିତ ଅଧିନାୟକ ଋତୁରାଜ ଗାଏକ୍ୱାଡ ଆହତ କାରଣରୁ ପୂରା ସିଜିନରୁ ବାଦ୍ ପଡିଛନ୍ତି । ଏମଏସ ଧୋନୀ ଅଧିନାୟକ ଦାୟିତ୍ୱ ଗ୍ରହଣ କରିଥିଲେ ହେଁ ଗତ ମ୍ୟାଚରେ ଦଳ ଶୋଚନୀୟ ପରାଜୟ ଭୋଗିଛି । ଦଳ କ୍ରମାଗତ ୫ଟି ମ୍ୟାଚ୍ ହାରି ଅଙ୍କ ତାଲିକାରେ ୧୦ମ ସ୍ଥାନରେ ରହିଛି ।
ଲଖନଉ ଓ ଚେନ୍ନାଇ ମଧ୍ୟରେ ଏ ପର୍ଯ୍ୟନ୍ତ ୫ଟି ମ୍ୟାଚ୍ ଖେଳା ଯାଇଛି । ଏଥିରେ ଲଖନଉର ପଲ୍ଲା ଭାରି ରହିଛି । ଦଳ ୩ଟି ଜିତିଥିବା ବେଳେ ଚେନ୍ନାଇ ମାତ୍ର ଗୋଟିଏ ମ୍ୟାଚ୍ ଜିତିଛି ଏବଂ ଗୋଟିଏ ମ୍ୟାଚର ଫଳାଫଳ ଶୂନ୍ୟ ରହିଛି । ଏଲଏସଜି ବିପକ୍ଷରେ ଚେନ୍ନାଇର ସର୍ବୋଚ୍ଚ ସ୍କୋର ୨୧୭ ରନ ରହିଥିବା ବେଳେ ସିଏସକେ ବିପକ୍ଷରେ ଏଲଏସଜିର ସ୍କୋର ୨୧୩ ରନ ରହିଛି ।
ଲଖନଉରେ ଆଇପିଏଲର ମୋଟ୍ ୧୭ ମ୍ୟାଚ୍ ଖେଳା ଯାଇଛି । ଏଥିରୁ ୮ ଥର ପ୍ରଥମେ ବ୍ୟାଟିଂ କରିଥିବା ଦଳ ମ୍ୟାଚ୍ ଜିତିଥିବା ବେଳେ ୮ ଥର ଦ୍ୱିତୀୟରେ ବ୍ୟାଟିଂ କରିଥିବା ଦଳ ମ୍ୟାଚ୍ ଜିତିଛି । ୧୦ ଥର ଟସ୍ ଜିତିବା ଦଳ ମ୍ୟାଚ୍ ଜିତିଥିବା ବେଳେ ୬ ଥର ଟସ୍ ହାରିଥିବା ଦଳ ମ୍ୟାଚ୍ ଜିତି ପାରିଛି । ଏହି ଷ୍ଟାଡିୟମରେ ଆଇପିଏଲର ସର୍ବୋଚ୍ଚ ସ୍କୋର ୨୩୫ ରନ ରହିଛି । ଏଠାକାର ପିଚ୍ ଉଭୟ ବୋଲର ଓ ବ୍ୟାଟରଙ୍କୁ ସୁହାଇଥାଏ ।