ଚେନ୍ନାଇ: ସ୍ଥାନୀୟ ଏମ୍ ଏ ଚିଦାମ୍ବରମ୍ ଷ୍ଟାଡିୟମରେ ରବିବାର ରାତିରେ କୋଲକାତା ନାଇଟ୍ ରାଇଡର୍ସ ପୁଣି ଥରେ ପ୍ରଶଂସନୀୟ ପ୍ରଦର୍ଶନ କରିଛି । ଶ୍ରେୟସ୍ ଆୟରଙ୍କ ନେତୃତ୍ୱରେ ଖେଳିଥିବା ଟିମ୍ ସନ୍ରାଇଜର୍ସ ହାଇଦ୍ରାବାଦ୍କୁ ୮ ୱିକେଟ୍ରେ ପରାସ୍ତ କରିଛି । ଏହି ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ପରେ ସର୍ବାଧିକ ୩ଥର ଆଇପିଏଲ୍ ବିଜୟୀ ଟିମ୍ ହୋଇପାରିଛି । ଚଳିତ ସଂସ୍କରଣରେ କୋଲକାତା ଟିମ୍ ଆରମ୍ଭରୁ ଶେଷ ଯାଏଁ ଭଲ ପ୍ରଦର୍ଶନ କରିଛି । କୋଲକାତାର ଏହି ସଫଳତାରେ ପୂର୍ବତନ ଅଧିନାୟକ ଗୌତମ ଗମ୍ଭୀରଙ୍କ ଭୂମିକା ଅଧିକ ସ୍ମରଣୀୟ ରହିଛି ।
ଆଇପିଏଲ୍-୨୦୨୪ ପୂର୍ବରୁ ଗୌତମ ଗମ୍ଭୀରଙ୍କୁ କୋଲକାତା ନିଜ ସହିତ ରଖିଥିଲା । କାରଣ ଗମ୍ଭୀରଙ୍କ ସହିତ କୋଲକାତାର ସଂପର୍କ ଅତି ନିବିଡ଼ । ସେ ଏହି ଫ୍ରାଞ୍ଚାଇଜ୍ ଟିମ୍ ୨୦୧୨ ଓ ୨୦୧୪ ନିଜର ଅଧିନାୟକତ୍ୱ ବଳରେ ଦଳକୁ ଚାମ୍ପିଅନ୍ କରାଇଥିଲେ । ସେ କୋଲକାତାକୁ ଯେଉଁଭଳି ଭାବେ ଉପରକୁ ଉଠାଇଥିଲେ, ତାର ଫଳ ତାଙ୍କୁ ମିଳିଛି । ରବିବାର ଚେନ୍ନାଇରେ କୋଲକାତା ଟିମ୍ ଚାମ୍ପିଅନ ହେଲା ପରେ ଗୌତମ ଗମ୍ଭୀରଙ୍କୁ ଏକ ଅଭିନବ ଶୈଳୀରେ ସମ୍ମାନ ଦେଇଛି ।
କୋଲକାତା ନାଇଟ୍ ରାଇଡର୍ସ ଚାମ୍ପିଅନ୍ ହେଲା ପରେ ଚେନ୍ନାଇର ଷ୍ଟାଡିୟମରେ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା । ଟିମ୍ର ଖେଳାଳିମାନେ ଗୌତମ ଗମ୍ଭୀରଙ୍କୁ କାନ୍ଧରେ ବୋହି ଷ୍ଟାଡିୟମରେ ବୁଲାଇଥିଲେ । ଏହି ଦୃଶ୍ୟ ସଚିନ ତେନ୍ଦୁଲକରଙ୍କୁ ମନେ ପକାଇଦେଉଥିଲା । ୨୦୧୧ରେ ଭାରତ ବିଶ୍ୱକପ ବିଜୟୀ ହୋଇଥିଲା । ସେଦିନ ସଚିନ ତେନ୍ଦୁଲକରଙ୍କୁ ଭାରତୀୟ ଖେଳାଳିମାନେ କାନ୍ଧରେ ବସାଇ ଷ୍ଟାଡିୟମରେ ବୁଲାଇଥିଲେ । ଗୌତମ ଗମ୍ଭୀରଙ୍କୁ ମଧ୍ୟ ସଚିନଙ୍କ ଭଳି ସମ୍ମାନ ମିଳିଛି ।
ଫାଇନାଲ ମ୍ୟାଚରେ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୧୩ ରନରେ ସୀମିତ ରହିଯାଇଥିଲା । ଫଳରେ କୋଲକାତା ନାଇଟରାଇଡର୍ସ ଆଗରେ ବିଜୟ ପାଇଁ ୧୧୪ ରନର ଲକ୍ଷ୍ୟ ଥିଲା । କୋଲକାତା ଏହି ଲକ୍ଷ୍ୟକୁ ୧୦.୩ ଓଭରରେ ୨ଟି ୱିକେଟ୍ ହରାଇ ହାସଲ କରିଥିଲା ।