ଲର୍ଡ୍ସ: ଲର୍ଡ୍ସରେ ଖେଳା ଯାଉଥିବା ଭାରତ ବନାମ ଇଂଲଣ୍ଡ ମ୍ୟାଚ୍ ରୋମାଞ୍ଚକର ମୋଡରେ ପହଞ୍ଚି ଯାଇଛି । ସୋମବାର ଶେଷ ଦିନରେ କିଏ ମ୍ୟାଚ୍ ବାଜି ମାରିବ କହିବା ମୁସ୍କିଲ । ଭାରତକୁ ମ୍ୟାଚ୍ ଜିତିବା ପାଇଁ ୧୩୫ ରନ ଦରକାର ଥିବା ବେଳେ ଇଂଲଣ୍ଡକୁ ଦରକାର ୬ ୱିକେଟ୍ । ଯିଏ ଏହି ମ୍ୟାଚ୍ ଜିତି ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିବ । ତେବେ ଶେଷ ତଥା ପଞ୍ଚମ ଦିନର ଖେଳ ପୂର୍ବରୁ ଇଂଲଣ୍ଡର କୋଚ୍ ଭାରତକୁ ଖୋଲା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ମାତ୍ର ଘଣ୍ଟାରେ ଭାରତର ୬ ୱିକେଟ୍ ନେଇ ମ୍ୟାଚ୍ ଜିତିବୁ ।
ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ୧୯୨ ରନରେ ଅଲଆଉଟ୍ ହେବାରୁ ଭାରତ ଆଗରେ ରହିଛି ୧୯୩ ରନର ବିଜୟ ଲକ୍ଷ୍ୟ । ତେବେ ଭାରତ ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ୫୮ ରନରେ ୪ ୱିକେଟ୍ ହରାଇ ସଙ୍କଟରେ ରହିଛି । କ୍ରିଜରେ କେଏଲ ରାହୁଲ ୩୩ ରନ କରି ଅପରାଜିତ ଅଛନ୍ତି । ଏବେ ଭାରତକୁ ଭରସା କେଏଲ ରାହୁଲ, ଋଷଭ ପନ୍ତ, ରବୀନ୍ଦ୍ର ଜାଡେଜା, ୱାଶିଂଟନ ସୁନ୍ଦର ଓ ନୀତିଶ ରେଡ୍ଡୀ ।
ଚତୁର୍ଥ ଦିନର ଖେଳ ସରିବା ପରେ ଇଂଲଣ୍ଡର ସହାୟକ କୋଚ୍ ମାର୍କସ ଟ୍ରେସ୍କୋଥିକ ଏକ ସାହସିକ ଚେତାବନୀ ଦେଇ କହିଛନ୍ତି ଯେ, ଆମେ ପଞ୍ଚମ ଦିନର ପ୍ରଥମ ସେସନର ପ୍ରଥମ ଘଣ୍ଟାରେ ଭାରତର ୬ ୱିକେଟ୍ ନେଇ ମ୍ୟାଚ୍ ଜିତିବୁ । ସାମ୍ବାଦିକ ସମ୍ମିଳନୀରେ ଟ୍ରେସ୍କୋଥିକ ଚତୁର୍ଥ ଦିନର ଶେଷ ଏକ ଘଣ୍ଟାର ଖେଳକୁ ଅଦ୍ଭୁତ ବୋଲି କହିଛନ୍ତି । ସମସ୍ତ ଖେଳାଳି ଏବଂ ଦର୍ଶକ ପୂରା ସମର୍ପିତ ଥିଲେ । ପଡିଆ ଚାରିପଟେ ହଲଚଲ ଖେଳାଳିଙ୍କ ଉତ୍ସାହ ବଢାଉଥିଲା । ସେ ପଞ୍ଚମ ଦିନର ପ୍ରଥମ ଏକ ଘଣ୍ଟାର ଖେଳ ଉପରେ ଗୁରୁତ୍ୱ ଦେଇଛନ୍ତି । ଏହି ଘଣ୍ଟାଏ ଉପରେ ସଭିଙ୍କ ଧ୍ୟାନ କେନ୍ଦ୍ରିତ ରହିବ । ଭାରତ କେତେ ସକରାତ୍ମକ ଏବଂ କେତେ ପ୍ରଭାବଶାଳୀ ଜଣା ପଡିବ ।
ସୂଚନାଯୋଗ୍ୟ, ଇଂଲଣ୍ଡ ପ୍ରଥମ ଇନିଂସରେ ୩୮୭ ରନର ଜବାବରେ ଭାରତ ମଧ୍ୟ ପ୍ରଥମ ଇନିଂସରେ ସମାନ ୩୮୭ ରନ କରିଥିଲା । ତେବେ ଚତୁର୍ଥ ଦିନରେ ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ଭାରତୀୟ ବୋଲରଙ୍କ ମୁକାବିଲା କରି ନ ପାରି ୧୯୨ ରନରେ ଅଲଆଉଟ୍ ହୋଇଥିଲା । ଏହା ପରେ ଲାଗୁଥିଲା ମ୍ୟାଚ୍ ସଂପୂର୍ଣ୍ଣ ଭାବେ ଭାରତ ମୁଠାରେ । କିନ୍ତୁ ମ୍ୟାଚର ଶେଷ ଏକ ଘଣ୍ଟାର ଖେଳ ସବୁ ଓଲଟ ପାଲଟ କରି ଦେଇଛି । ଏବେ ମ୍ୟାଚରେ ଇଂଲଣ୍ଡର ପଲ୍ଲା ଅପେକ୍ଷାକୃତ ଭାରି ରହିଛି ।