ଚେନ୍ନାଇ: ଋତୁରାଜ ଗାଏକ୍ୱାଡ ଆହତ ହେଲେ ତାଙ୍କ ସ୍ଥାନରେ ମହେନ୍ଦ୍ର ସିଂ ଧୋନୀ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ହେଲେ । କିନ୍ତୁ ଚେନ୍ନାଇର ଭାଗ୍ୟରେ କିଛି ପରିବର୍ତ୍ତନ ହେଲାନି । ଓଲଟା ଦଳ ନିଜର ଷଷ୍ଠ ମ୍ୟାଚରେ ଶୋଚନୀୟ ପରାଜୟ ଭୋଗିଛି । ନିଜର ଘରୋଇ ଗ୍ରାଉଣ୍ଡରେ ଦଳ କୋଲକାତା ନାଇଟ ରାଇଡର୍ସଠୁ ଶୋଚନୀୟ ଭାବେ ୮ ୱିକେଟରେ ହାରି ଚଳିତ ସଂସ୍କରଣରେ ଲଗାତାର ପଞ୍ଚମ ପରାଜୟ ଭୋଗିଛି ଚେନ୍ନାଇ । ଅନ୍ୟପଟେ କୋଲକାତା ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ ପ୍ରଦର୍ଶନ କରି ସହଜ ବିଜୟ ସହ ୬ ପଏଣ୍ଟ ପାଇ ଟେବୁଲର ତୃତୀୟ ସ୍ଥାନକୁ ଲମ୍ଫ ମାରିଛି । ଚେନ୍ନାଇ ଦ୍ୱାରା ଧାର୍ଯ୍ୟ ୧୦୪ ରନର ବିଜୟ ଲକ୍ଷ୍ୟକୁ କୋଲକାତା ମାତ୍ର ୨ ୱିକେଟ୍ ହରାଇ ୧୦.୧ ଓଭରରେ ହାସଲ କରି ନେଇଛି ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ନିଜର ଘରୋଇ ମଇଦାନରେ ଏମିତି ଦୟନୀୟ ବ୍ୟାଟିଂ କରିବ କେହି କେବେ ଆଶା କରି ନ ଥିଲେ । କୋଲକାତାର ସ୍ପିନ ବୋଲିଂ ସାମ୍ନାରେ ଶିବମ ଦୁବେଙ୍କୁ ବାଦ୍ ଦେଲେ ଚେନ୍ନାଇର ଜଣେ ହେଲେ ବ୍ୟାଟର କ୍ରିଜରେ ତିଷ୍ଠି ପାରି ନ ଥିଲେ । ବିଜୟ ଶଙ୍କର ଦ୍ୱିତୀୟ ସର୍ବାଧିକ ୨୯ ରନ କରିଥିଲେ । ରାହୁଲ ତ୍ରିପାଠୀ ୧୬ ଓ ଡେଭନ ୧୨ ରନ କରି ଦୁଇ ଅଙ୍କ ଛୁଇଁ ପାରି ଥିଲେ । ଶିବମ ଦୁବେ ଅପରାଜିତ ୩୧ ରନର ଇନିଂସ ଖେଳିବାରୁ ଚେନ୍ନାଇ ୯ ୱିକେଟ ହରାଇ ୧୦୩ ରନ କରି ପାରିଥିଲା । ବୋଲିଂରେ କୋଲକାତା ପକ୍ଷରୁ ସୁନିଲ ନାରିନ ମାତ୍ର ୧୩ ରନ ଦେଇ ୩ଟି ୱିକେଟ ଅକ୍ତିକାର କରିଥିଲେ ।
ଜବାବରେ କୋଲକାତା ବିସ୍ଫୋରକ ଢଙ୍ଗରେ ବିଜୟ ଲକ୍ଷ୍ୟର ପିଛା କରିଥିଲା । କ୍ୱିଣ୍ଟନ ଡି କକ ଓ ସୁନିଲ ନାରିନ ୪୬ ରନ ଯୋଡିଥିଲେ । ଡି କକ୍ ୧୩ ରନ କରି ପାଭିଲିୟନ ଫେରିତଥିଲେ । ଏହା ପରେ ନାରିନ ଓ ଅଧିନାୟକ ଆଜିଙ୍କ୍ୟ ରାହାନେ ଦଳର ସ୍କୋରକୁ ୮୫ରେ ପହଞ୍ଚାଇଥିଲେ । ବିସ୍ଫୋରକ ବ୍ୟାଟିଂ କରୁଥିବା ନାରିନ ମାତ୍ର ୧୮ ବଲରୁ ୨ ଚୌକା ୬ ଛକା ଜରିଆରେ ୪୪ ରନ କରି ଆଉଟ୍ ହୋଇଥିଲେ । ଏହା ପରେ ବାକି ଔପଚାରିକତା ପୂରଣ କରିଥିଲେ ରାହାଣେ ଓ ରିଙ୍କୁ ସିଂ । ରାହାଣେ ୨୦ ଓ ରିଙ୍କୁ ୧୫ ରନ କରି ଅପରାଜିତ ଥିଲେ । ଆଉ କେକେଆର ମାତ୍ର ୧୦.୧ ଓଭରରେ ୨ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଛି ।