ଭୁବନେଶ୍ବର: ଆସନ୍ତା ଡିସେମ୍ବର ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ର ସମୀକ୍ଷା କରିଛନ୍ତି ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ।
ଆୟୋଜିତ ହେବାକୁ ଥିବା ମ୍ୟାଚ ଯେପରି ସୁବ୍ୟବସ୍ଥିତ ଓ ସୁନିୟନ୍ତ୍ରିତ ଭାବେ ଆୟୋଜିତ ହେବ ସେଥିପାଇଁ ସମସ୍ତ ବ୍ୟବସ୍ଥାକୁ ତୃଟିଶୂନ୍ୟ ଭାବେ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଆଜି ଲୋକସେବା ଭବନରେ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଟି-୨୦ ମ୍ୟାଚ୍ ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଓଡିଶା କ୍ରିକେଟ୍ ଆସୋସିଏସନ୍ ଓ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀ ମାନଙ୍କୁ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କ୍ରିକେଟ୍ ଆମ ଦେଶର ଏକ ଅତ୍ୟନ୍ତ ଲୋକପ୍ରିୟ ଖେଳ। ତେଣୁ, ଏହି ମ୍ୟାଚ୍ ପ୍ରତି ସମଗ୍ର ଦେଶ ଓ ବିଶ୍ବର ନଜର ରହିବ। ତେଣୁ, ଏହା ଯେପରି ତୃଟିଶୂନ୍ୟ ଭାବେ ପରିଚାଳିତ ହେବ ଏବଂ ଓଡିଶାର ମର୍ଯ୍ୟାଦା ସୁରକ୍ଷିତ ହେବ, ସେଥିପାଇଁ ସମସ୍ତେ ସଚେତନ ରହିବା ଆବଶ୍ୟକ।
ଏହି ବୈଠକରେ ଓସିଏ ସମ୍ପାଦକ ଶ୍ରୀ ସଞ୍ଜୟ ବେହେରା ମ୍ୟାଚ୍ର ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଟିକେଟ୍ କିଣାବିକା, ଦର୍ଶକ ମାନଙ୍କ ପାଇଁ ସୁବ୍ୟବସ୍ଥା, ନିରନ୍ତର ଲାଇଟିଙ୍ଗ ବ୍ୟବସ୍ଥା, ଷ୍ଟାଡିୟମ୍ର ଭିତ୍ତିଭୂମି ଓ ଅଗ୍ନି ନିର୍ବାପକ ବ୍ୟବସ୍ଥା, ପାର୍କିଂ ଏବଂ ଟ୍ରାଫିକ୍ ପରିଚାଳନା ଆଦି ବିଭିନ୍ନ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା।
ତେବେ ପୂର୍ବରୁ ଭାରତ - ଇଂଲଣ୍ଡ ମଧ୍ଯରେ ଖେଳାଯାଇଥିବା ଦିନିକିଆ ମ୍ୟାଚରେ ଅଧାରୁ ଲାଇଟ୍ କଟିବା ନେଇ ବିଭ୍ରାଟ ହୋଇଥିଲା। ତେଣୁ ସମସ୍ତ ଦିଗରୁ ବିଶେଷ ଧ୍ଯାନ ଦିଆଯିବା ସହ କଡା ନଜର ରଖିବାକୁ ମୁଖ୍ଯମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।