ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଏସିଆନ କ୍ରିକେଟ୍ କାଉନସିଲର ଚେୟାରମ୍ୟାନ ତଥା ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ମୋହସିନ ନକଭିଙ୍କୁ ଏସିଆ କପ୍ ଟ୍ରଫିକୁ ନେଇ ଡେଡଲାଇନ ଜାରି କରିଛି । ଏସିଆ କପ୍ ୨୦୨୫ର ଟାଇଟଲ୍ ଜିତିବା ପରେ ଟିମ୍ ଇଣ୍ଡିଆ ମୋହସିନ ନକଭିଙ୍କଠୁ ଟ୍ରଫି ନେବାକୁ ମନା କରି ଦେଇଥିଲା । ଏହା ପରେ ନକଭି ଟ୍ରଫି ନେଇ ପଡିଆରୁ ଚାଲି ଯାଇଥିଲେ । ଫଳରେ ପାକିସ୍ତାନକୁ ହରାଇ ଚାମ୍ପିଅନ ହୋଇଥିବା ଟିମ ଇଣ୍ଡିଆକୁ ଟ୍ରଫି ମିଳିନାହିଁ । ଏବେ ବିସିସିଆଇ ନକଭିଙ୍କୁ ଟ୍ରଫି ହସ୍ତାନ୍ତର କରିବାର ଶେଷ ତାରିଖ ଦେଇଛି । ଯଦି ସେହି ତାରିଖ ଭିତରେ ଭାରତକୁ ଟ୍ରଫି ନ ମିଳେ ତେବେ ଏହି ପ୍ରସଙ୍ଗକୁ ବିସିିସିଆଇ ଆଇସିସି ବୈଠକରେ ଉଠାଇବ ।
ବିସିସିଆଇ ସଚିବ ଦେବଜିତ ସୈକିୟା କହିଛନ୍ତି, ୧୦ ଦିନ ପୂର୍ବେ ଆମେ ଏସିସି ଅଧ୍ୟକ୍ଷଙ୍କୁ ଚିଠି ଲେଖି ଶୀଘ୍ର ବିସିସିଆଇକୁ ଟ୍ରଫି ଦେବାକୁ ଅନୁରୋଧ କରିଥିଲୁ । ହେଲେ ଆଜି ପର୍ଯ୍ୟନ୍ତ ଟ୍ରଫି ମିଳିନାହିଁ । ଆମେ ଆଉ ଗୋଟିଏ ଦିନ ଅପେକ୍ଷା କରିବୁ । ଯଦି ଆମକୁ ନଭେମ୍ବର ୩ ସୁଦ୍ଧା ଟ୍ରଫି ନ ମିଳେ ତେବେ ଦୁବାଇରେ ଆଇସିସି ମୁଖ୍ୟାଳୟରେ ଏକ ବୈଠକ ବସିବ । ଏଥିରେ ବିସିସିଆଇ ଅଭିଯୋଗ କରିବ । ମୋତେ ବିଶ୍ୱାସ ଯେ, ଆଇସିସି ନ୍ୟାୟ କରିବ ଏବଂ ଭାରତକୁ ଯଥା ଶୀଘ୍ର ଟ୍ରଫି ଦେବାରେ ସାହାଯ୍ୟ କରିବ ।
ସୂଚନାଯୋଗ୍ୟ, ପହଲଗାମ ହମଲା ପରେ ଭାରତୀୟ ସେନା ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନ ଓ ପିଓକେ ସ୍ଥିତ ଆତଙ୍କୀ ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ କରିଥିଲା । ଏହା ପରେ ଦୁଇ ଦେଶ ମଧ୍ୟରେ ଚାରି ଦିନ ଧରି ସଂଘର୍ଷ ଘଟିଥିଲା । ପହଲଗାମ ହମଲା ପ୍ରତିବାଦରେ ଭାରତୀୟ ଦଳ ଏସିଆ କପରେ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳିଥିଲେ ହେଁ ପ୍ରତିପକ୍ଷ ଦଳର ଖେଳାଳିଙ୍କ ସହ ହାତ ମିଳାଇ ନ ଥିଲା । ଟସ୍ ସମୟରେ ବି ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନ ଅଧିନାୟକଙ୍କ ସହ ହାତ ମିଳାଇ ନ ଥିଲେ ।
ଟ୍ରଫି ନ ମିଳିଲେ ବି ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୨୦୨୪ ଟି-୨୦ ବିଶ୍ୱକପରେ ରୋହିତ ଶର୍ମା ଯେଉଁଭଳି ଟ୍ରଫି ଧରି ସେଲିବ୍ରେସନ କରିଥିଲେ, ଠିକ୍ ସେହି ପରି କାଳ୍ପନିକ ଭାବେ ଖେଳାଳିଙ୍କ ଉତ୍ସବ ମନାଇଥିଲେ । ଏବେ ଟ୍ରଫିକୁ ନେଇ ବିବାଦ ଥମିବାର ନାଁ ଧରୁନି ।
Also read: ବିଶ୍ୱ ବିଜୟୀ ଟିମ୍ ପାଇଁ ୫୧ କୋଟି ଟଙ୍କା ଘୋଷଣା କଲା ବିସିସିଆଇ