ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ ପାଇଁ ଅନୁଷ୍ଠିତ ଆଇପିଏଲ୍ ମେଗା ନିଲାମରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ୧୩ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ । ଏହି ଯୁବ ଖେଳାଳି ଏବେ ଆଇପିଏଲରେ ପଦାର୍ପଣ କରିବାକୁ ଯାଉଛନ୍ତି । ଆଇପିଏଲ୍ ଇତିହାସରେ ସର୍ବକନିଷ୍ଠ କୋଟିପତି ହେବାର ରେକର୍ଡ ନିଜ ନାମରେ କରିଛନ୍ତି ବୈଭଭ। ରାଜସ୍ଥାନ ରୟାଲ୍ସ ତାଙ୍କୁ ୧.୧୦ କୋଟି ଟଙ୍କାରେ କିଣିଛି।
ବାମହାତୀ ବ୍ୟାଟର ବୈଭବ ବିହାରର ବାସିନ୍ଦା। ଆଇପିଏଲ୍ ମେଗା ନିଲାମରେ ଓହ୍ଲାଇବାରେ ବୈଭବ ସର୍ବକନିଷ୍ଠ କ୍ରିକେଟର। ତାଙ୍କର ବେସ୍ ପ୍ରାଇସ୍ ୩୦ ଲକ୍ଷ ଟଙ୍କା ଥିବା ବେଳେ ରାଜସ୍ଥାନ ରୟାଲ୍ସ ତାଙ୍କୁ ୧.୧୦ କୋଟି ଟଙ୍କାରେ କିଣିଛି। ବୈଭବଙ୍କୁ କିଣିବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଛକାପଞ୍ଝା ଦେଖିବାକୁ ମିଳିଥିଲା। ଶେଷରେ ରାଜସ୍ଥାନ ରୟାଲ୍ସ ବାଜି ମାରି ନେଇଛି। ଏହି ଯୁବ ବ୍ୟାଟର ଏବେ ସଞ୍ଜୁ ସାମସନଙ୍କ ନେତୃତ୍ଵାଧୀନ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିବେ।
ବୈଭବ ସୂର୍ୟ୍ୟ ବଂଶୀ ନିକଟରେ ନିଜର ବିସ୍ଫୋରକ ବ୍ୟାଟିଂକୁ ନେଇ ଚର୍ଚ୍ଚାରେ ରହିଥିଲେ। ଭାରତର ୧୯ ବର୍ଷରୁ କମ ଟେଷ୍ଟ ମ୍ୟାଚ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳି ବୈଭବ ଉକ୍ତ ମ୍ୟାଚ୍ରେ ମାତ୍ର ୬୨ ବଲ୍ରୁ ୧୦୪ ରନର ଇନିଂସ ଖେଳିଥିବା ବେଳେ ୫୯ ବଲ୍ରୁ ଶତକ ପୂରଣ କରିଥିଲେ। ସେ ଅନ୍ତର୍ଜାତୀୟ ସ୍ତରରେ ଶତକ ହାସଲକାରୀ ଯୁବ ଖେଳାଳି ହେବା ରେକର୍ଡ କରିଛନ୍ତି ।
ସେ ଚଳିତ ବର୍ଷ ବିହାର ପକ୍ଷରୁ ରଣଜୀରେ ପଦାର୍ପଣ କରି ପ୍ରଥମ ଥର ଚର୍ଚ୍ଚାକୁ ଆସିଥିଲେ। ସେହି ସମୟରେ ବୈଭବଙ୍କୁ ମାତ୍ର ୧୨ ବର୍ଷ ୨୮୪ ଦିନ ହୋଇଥିଲା। ସେ ଭାରତ ପାଇଁ ପ୍ରଥମ ଶ୍ରେଣୀ ଟୁର୍ଣ୍ଣାମେଣ୍ଟ ଖେଳିବାରେ ସବୁଠୁ ଯୁବ ଖେଳାଳି ହୋଇଥିଲେ। ଆଉ ଏବେ ସବୁଠୁ ଯୁବ ଖେଳାଳି ଭାବେ ଆଇପିଏଲରେ ନଜର ଆସିବେ ।